କେନ୍ଦ୍ରାପଡ଼ା, ୨୨/୦୮/୨୦୨୫(ଓଡ଼ିଶା ସମାଚାର)- ଗାଁସାଥୀଙ୍କ ଡାଟାବେସ୍ ସଠିକ ଭାବରେ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ତୁରନ୍ତ ପଠାଇବାକୁ ଗାଁସାଥୀ (ମେଟ୍)ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, କେନ୍ଦ୍ରାପଡା ଜିଲା ଶାଖା ପକ୍ଷରୁ ଦାବି କରାଯାଇଛି । ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ପତ୍ର ସଂଖ୍ୟା-୨୦୮୭୭,ତା ୩୧. ୦୭. ୨୦୨୫ରିଖର ନିର୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇ ଜିଲାର ୯ଟି ବ୍ଲକ କୁ ଏସମ୍ପର୍କରେ ଅବଗତ କରାଯିବା ସହ ରାଜ୍ୟ ସରକାର ମାଗିଥିବା ସମସ୍ତ ତଥ୍ୟ ଯୋଗାଇ ଦିଆଯିବାକୁ ଗାଁସାଥୀ(ମେଟ୍)ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି କରାଯାଇଛି ।
ଏସମ୍ପର୍କରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଅଜାମ୍ବର ମହାନ୍ତିଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ରାଜ୍ୟ ସରକାରଙ୍କ ଉପରୋକ୍ତ ନିର୍ଦେଶ ଅନୁଯାୟୀ ପ୍ରତ୍ୟେକ ଜିଲାରୁ ଗାଁ ସାଥୀମାନଙ୍କ ସଠିକ ଡାଟାବେସ ପ୍ରସ୍ତୁତ କରାଯାଇ ଚଳିତ ଅଗଷ୍ଟମାସ ୧୬ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କୁ ପଠାଯିବା କଥା । କିନ୍ତୁ ଏପର୍ଯ୍ୟନ୍ତ ଏହି ଜିଲାର କେତେକ ବ୍ଲକ ରାଜ୍ୟ ସରକାରଙ୍କ ଏସମ୍ପର୍କିତ କୈାଣସି ନିର୍ଦେଶ ପାଇନଥିବା କହୁଛନ୍ତି । ଗାଁସାଥୀ(ମେଟ୍)ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲା ଶାଖାର କର୍ମକର୍ତା ଓ ସେହି ବ୍ଲକରେ କାର୍ଯ୍ୟରତ ଗାଁସାଥୀ(ମେଟ୍)ମାନେ ସେମାନଙ୍କ ବ୍ଲକ କର୍ତୃପକ୍ଷଙ୍କୁ ଏଦିଗରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ଥିବାବେଳେ ସେମାନେ କିନ୍ତୁ ସହଯୋଗ ପାଉନଥିବା ଅଭିଯୋଗ କରିଛନ୍ତି ।
ତେଣୁ ସରକାରଙ୍କ ଉପରୋକ୍ତ ନିର୍ଦେଶ ତୁରନ୍ତ କାର୍ଯ୍ୟକାରୀ କରାଯିବା ସହ ଜିଲାର ୯ଟି ବ୍ଲକରେ କାର୍ଯ୍ୟରତ ସମସ୍ତ ଗାଁସାଥୀମାନଙ୍କ ଡାଟାବେସ ତୁରନ୍ତ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବାକୁ ଗାଁସାଥୀ(ମେଟ୍)ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲା ଶାଖା ପକ୍ଷରୁ ସଭାପତି ଅନିଲ କୁମାର ଜେନା, ସମ୍ପାଦକ ବିଜୟ କୁମାର ବେହେରା, କୁମାରେଶ ସାହୁ, ପରମାନନ୍ଦ ସାମଲ, ସୁଶାନ୍ତ ପରିଡା, କୁନ୍ତଳା ରାଉତ, ଉର୍ମିଳା ମହାନ୍ତି, ଅନିଲ କୁମାର ପରିଡା, ଜ୍ୟୋସ୍ନôାରାଣୀ ପରିଡା, ଗିତାଞ୍ଜଳୀ ରଥ, ଜାନକୀ ମହାରଣା, ରୀତାଞ୍ଜଳି ଗୋଛାୟତ, ବାଇଧର ସେଠୀ, ବିଜୟ କୁମାର ରାଉତ, କୌଶଲ୍ୟା ନାୟକ ପ୍ରମୁଖ ଶତାଧିକ କର୍ମକର୍ତା ଓ ସଦସ୍ୟମାନେ ସିଡପିିଓ ଶ୍ରୀ ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଚଳିତମାସ ୨୫ତାରିଖ ସୁଦ୍ଧା ଏହି ଡାଟାବେସ ରାଜ୍ୟ ସରକାରଙ୍କୁ ପ୍ରଦାନ କରାନଗଲେ ସେମାନେ ଆସନ୍ତା ୨୬ତାରିଖରେ ଜିଲା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।
