ନିବନ୍ଧକ ସମବାୟ ସମିତି ସମୁହ ନିର୍ଦ୍ଦେଶାଳୟ କାର୍ଯ୍ୟାବଳୀର ସମୀକ୍ଷା ବୈଠକ

#       ଅଧିକ ସ୍ୱଚ୍ଛତା ଓ କାର୍ଯ୍ୟଦକ୍ଷତା ପାଇଁ ପାକ୍ସରେ ହେବ ନୂଆ କ୍ୟାଡର୍‌

#       ଆୟର ଉତ୍ସ ବହୁଗୁଣିତ କରିବାକୁ ବିବିଧ କାର୍ଯ୍ୟ କରିବ ପାକ୍ସ

#       କଟ୍‌ନି ଛଟ୍‌ନି ଓ ବାଟମାରଣା ବନ୍ଦ ସହ ସମ୍ପୂର୍ଣ୍ଣ ୩୧୦୦ଟଙ୍କା ଚାଷୀ ପାଇବା ପାଇଁ ଗ୍ରହଣ କରାଯିବ ଦୃଢ଼ ତଦାରଖ ବ୍ୟବସ୍ଥା

#       ମଣ୍ଡିକୁ ଆସୁଥିବା କୃଷକଙ୍କ ପାଇଁ ବିଶ୍ରାମ ଗୃହ, ପାନୀଳ ଜଳ, ଟଏଲେଟ୍ ଆଦି ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ପରାମର୍ଶ

ଭୁବନେଶ୍ୱର, ୧୮ /୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତଙ୍କ ଅଧ୍ୟକ୍ଷତାରେ ଆଜି ସମବାୟ ବିଭାଗ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନିବନ୍ଧକ ସମବାୟ ସମିତି ସମୁହର ନିର୍ଦ୍ଦେଶାଳୟ (ରେଜିଷ୍ଟ୍ରାର୍ ଅଫ୍ କୋ-ଅପରେଟିଭ୍ ସୋସାଇଟିଜ୍‌)ର ବିଭିନ୍ନ କାର୍ଯ୍ୟାବଳୀର ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଥିଲେ, ଚାଷୀଙ୍କ ମଙ୍ଗଳ ପାଇଁ ସରକାର ସ୍ଥିର କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଧାନ କ୍ୱିଂଟାଲ ପିଛା ୩୧୦୦ ଟଙ୍କା ଯେପରି ଚାଷୀ ପାଇବେ ସେଥିପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। କଟ୍‌ନି ଛଟ୍‌ନି ଓ ବାଟମାରଣାକୁ ବନ୍ଦ କରିବା ପାଇଁ ଦୃଢ଼ ତଦାରଖ ବ୍ୟବସ୍ଥା ଗ୍ରହଣ କରିବାକୁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଅଧିକ ସ୍ୱଚ୍ଛତା ଓ କାର୍ଯ୍ୟଦକ୍ଷତା ପାଇଁ ପ୍ରାଥମିକ କୃଷି ସମବାୟ ସମିତିର କର୍ମଚାରୀଙ୍କୁ ନୂଆ କ୍ୟାଡର୍‌ଭୁକ୍ତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ନୂତନଭାବେ ପଞ୍ଜିକୃତ ୧୫୪୨ ପ୍ରାଥମିକ କୃଷି ସମବାୟ ସମିିତି (ପାକ୍ସ)ର କାର୍ଯ୍ୟାଳୟ, ଗୋଦାମ ଗୃହ, ଧାନ ପିଣ୍ଡି ନିର୍ମାଣ ସହ ଭିତ୍ତିଭୂମିର ବିକାଶ କରାଯିବ। ସମବାୟ ଶୀତଳ ଭଣ୍ଡାର, ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ପୁନଃରୁଦ୍ଧାର କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଆୟର ଉତ୍ସ ବହୁଗୁଣିତ କରିବାକୁ ବିବିଧ କାର୍ଯ୍ୟକଳାପରେ ପାକ୍ସ ଅଂଶଗ୍ରହଣ କରିବା ପାଇଁ ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା। ଗୋପାଳପୁରରେ ନିର୍ମାଣଧୀନ ବିଶ୍ୱସ୍ତରୀୟ ସମବାୟ ପ୍ରଶିକ୍ଷଣ କେନ୍ଦ୍ର କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପାକ୍ସର କମ୍ପୁଟରୀକରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଏହି ସମୀକ୍ଷା ବୈଠକରେ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ କୁମାର ଦାଶ, ମାନ୍ୟବର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପୀତାମ୍ବର ସାମଲ, ଯୁଗ୍ମ ଶାସନ ସଚିବ ସଂଗ୍ରାମ କିଶୋର ରାଉତ, ସମବାୟ ସମିତି ସମୂହର ନିବନ୍ଧକ ପ୍ରଭୁ କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ନିବନ୍ଧକ ଡ. ସୁଶାନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *