ଏସ୍ ପି ଅଫିସ୍ ଘେରାଉ ଚେତାବନୀ ଦେଲା ବିଜେଡି
ମାହାଙ୍ଗା, ୨୧/୦୮/୨୦୨୫(ଓଡ଼ିଶା ସମାଚାର)- ନିଛାଟିଆ ରାସ୍ତାରେ କଲେଜ ଯିବା ବେଳେ ମାହାଙ୍ଗା ବ୍ଲକ ଜେଏନ୍ କଲେଜ ଛାତ୍ରୀ ଶୁଭସ୍ମିତା ସାହୁଙ୍କୁ ଦୁଇଜଣ ଦୁର୍ବୃତ ହଠାତ୍ ଅଟକାଇ ମୋବାଇଲ ଓ ବ୍ୟାଗ ଛଡ଼ାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଶୁଭସ୍ମିତା ଡରି ନ ଯାଇ ସେମାନଙ୍କ ସହ ଲଢ଼େଇ କରିଥିଲେ । ଶେଷରେ ଦୁର୍ବୃତମାନେ ଶୁଭସ୍ମିତାଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ । ଫଳରେ ସେ ଜୋର୍ ରେ ଚିତ୍କାର କରିଥିଲେ । ଚିତ୍କାର ଶୁଣି କିଛି ଲୋକ ଆସିଯିବାରୁ ଦୁର୍ବୃତମାନେ ଘଟଣାସ୍ଥଳ ଛାଡି ପଳାଇଥିଲେ । ଦର୍ବୃତ ଙ୍କ ଆକ୍ରମଣରେ ଶୁଭସ୍ମିତା ଙ୍କ ହାତ, କାନ୍ଧ ଓ ବେକରେ ଆଘାତ ଲାଗିଛି । ପ୍ରଥମେ ତାଙ୍କୁ ସ୍ଥାନୀୟ ଚିଦାନନ୍ଦ ମେଡିକାଲ , ପରେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଥିଲେ । ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ ହୋଇଥିଲେ । ସେଠାରୁ ସେ ଚକିତ୍ସିତ ହୋଇ ଘରକୁ ଫେରିଛନ୍ତି । ହେଲେ ଏବେ ବି ସେ ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ଭୟରେ ସେ କିଛି କହିପାରୁ ନାହାନ୍ତି । ସେପଟେ ଝିଅର ଅବସ୍ଥା ଦେଖି ପରିବାର ଲୋକେ ଭୟ ଭିତ ଅବସ୍ଥାରେ ଅଛନ୍ତିି । ତୁରନ୍ତ ଏଭଳି ଘଟଣା ଘଟାଇଥିବା ଦୁର୍ବୃତମାନଙ୍କୁ ଧରି କଠୋରରୁ କଠୋର ଦଣ୍ଡ ଦେବାକୁ ଶୁଭସ୍ମିତାଙ୍କ ବାପା ଦାବି କରିଛନ୍ତି ।
ଶୁଭସ୍ମିତାକଙ୍କ ପ୍ରତି ଘଟିଥିବା ଘଟଣାକୁ ନେଇ ତାଙ୍କ ସହ କଲେଜରେ ପଢୁଥିବା ଅନ୍ୟ ଝିଅମାନେ ମଧ୍ୟ ଭୟଭୀତ ହୋଇ ପଡ଼ିବା ସହିତ ନ୍ୟାୟ ଦାବି କରିଛନ୍ତି । ଅପରପକ୍ଷେ ଶୁଭସ୍ମିତାଙ୍କ ପ୍ରତି ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି ବିଜେଡି । ବିଜେଡିର ଏକ ପ୍ରତିନିଧି ଦଳ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଜିଲା ସଭାପତି ପ୍ରଫୁଲ୍ଳ ସିଂହ, ମହିଳାନେତ୍ରୀ ଶୁଭଦ୍ରା ଦାସ, ପୂର୍ବତନ ମେୟର ଅନିତା ବେହେରା, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ସୁସ୍ମିତା ଖଣ୍ଡୁଆଳ, ସଂଚିତା ମହାପାତ୍ର, ପୂର୍ଣ୍ଣିମା ସିଂହ, ଶର୍ମିଷ୍ଠା ନଟିଆ, ମାହାଙ୍ଗା ବ୍ଲକ ଅଧ୍ୟକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ସୁସ୍ମିତା ଦାସ, ରାଜକିଶୋର ଜେନାଙ୍କ ସମେତ ବହୁ ବିଜେଡି ନେତା ଶୁଭସ୍ମିତାଙ୍କ ଘରେ ପହଂଚିଥିଲେ ।
ଏହି ଘଟଣାକୁ ନେଇ ପୂର୍ବତନ ମନ୍ତ୍ରୀ ଶ୍ରୀ ଜେନା ଶୁଭସ୍ମିତାଙ୍କ ଚିକିତ୍ସା ବ୍ୟବସ୍ଥାକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି । ଶୁଭସ୍ମିତାଙ୍କୁ ତରବରିଆ ଭାବେ ଚିକିତ୍ସା କରି ଛାଡ଼ିଦିଆଯାଇଥିବା ସେ କହିଛନ୍ତି । ରାଜ୍ୟରେ ମହିଳା ଓ କଲେଜ ଛାତ୍ରୀମାନେ ଯେଭଳି ଅସୁରକ୍ଷିତ ଏହାର କାରଣ ହେଲା ବିଜେପିର କର୍ମୀମାନେ ସବୁ ଥାନାକୁ ପାର୍ଟି ଅଫିସ୍ କରିସାରିଲେଣି ବୋଲି ଶ୍ରୀ ଜେନା କହିଥିଲେ । ପୁଲିସ କାର୍ଯ୍ୟରେ ବିଜେପି ହସ୍ତକ୍ଷେପ କରୁଥିବାରୁ ଅପରାଧୀମାନଙ୍କ ସାହାସ ବଢ଼ୁଛି । ଏହାକୁ ଆମେ ଜୋରଦାର୍ ବିରୋଧ କରିବୁ । ମାହାଙ୍ଗା ଛାତ୍ରୀ ଘଟଣା ୨୪ଘଂଟା ବିତିଲାଣି ଆସାମୀ ଧରା ହେଉନାହାନ୍ତି । ଆମେ ଆହୁରି ୨୪ଘଂଟା ଦେଉଛୁ, ଯଦି ଆସାମୀମାନଙ୍କୁ ପୁଲିସ ନ ଧରେ ତା’ହେଲେ ବିଜେଡି ପକ୍ଷରୁ ଏସ୍ି ପି ଅଫିସ୍ ଆଗରେ ଜୋରଦାର୍ ଆନ୍ଦୋଳନ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ସେ ନିଯେ ଧାରଣାରେ ବସିବେ ବୋଲି ଶ୍ରୀ ଜେନା କହିଥିଲେ । ସେପଟେ ବାଙ୍କୀ ବିଧାୟକ ଓ ବିଜେଡି ମହିଳା ଉପସଭାପତି ଶୁଭଦ୍ରା ଦାସ ଘଟଣାକୁ ତୀବ୍ର ନିନ୍ଦାକରି କଲେଜ ଛାତ୍ରୀ ଓ ମହିଳାମାନଙ୍କ ସୁରକ୍ଷା ଦାବି କରିଛନ୍ତି ।
