ସଡକ ଦୁର୍ଘଟଣାରେ ଯୁବକ ମୃତ

କେନ୍ଦ୍ରାପଡ଼ା, ୧୮/୦୮/୨୦୨୫(ଓଡ଼ିଶା ସମାଚାର)- ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି । ପାରାଦୀପ- ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥର ସଦର ଥାନା ଅନ୍ତର୍ଗତ ଅଳାବାଙ୍କ ଛକ ନିକଟରେ ଏକ ଟ୍ରଲର ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ପ୍ରତ୍ୟକ୍ଷଦର୍ଶୀ ସଞ୍ଜୟ ପ୍ରଧାନଙ୍କ ସୂଚନା ଅନୁଯାଇ ସୋମବାର ପୂର୍ବାହ୍ନ ପ୍ରାୟ ସାଢ଼େ ଦଶଟା ସମୟରେ ଚଣ୍ଡୀଖୋଲ ଆଡୁ ପାରାଦ୍ୱୀପ ଅଭିମୁଖେ ଆସୁଥିବା ଜଣେ ସ୍କୁଟି ଆରୋହୀ ଅଳାବାଙ୍କ ଛକ ଆଗକୁ ଥିବା ଏକ ଡାଇଭର୍ସନ ନିକଟରେ ବୁଲାଣି ବୁଲୁଥିବା ବେଳେ ସେହି ଦିଗରୁ ଆସୁଥିବା ଏସଭିଟି ଲଜିଷ୍ଟିକର ଏକ ଟ୍ରଲର ନଂ(ଓଡି୦୨ବିସି ୬୦୪୨) ପଛପଟୁ ଧକ୍କା ଦେଇଥିଲା । ଫଳରେ ସ୍କୁଟି ଆରୋହୀ ଜଣଙ୍କ କିଛି ଦୂରକୁ ଛିଟିକି ପଡିଥିବା ବେଳେ ଟ୍ରଲରର ମଝି ଦୁଇଚକ ଯୁବକଙ୍କ ପେଟ ଉପରେ ଚଢ଼ି ଯାଇଥିଲା ।

ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରଲର ଚାଳକକୁ ଲୋକେ କାବୁ କରିନେଇ ପୋଲିସ ଜିମା ଦେଇଥିଲେ । ମୃତ ଯୁବକ ଜଣକ ହେଉଛନ୍ତି ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଡ଼ଗପୁର ଅଂଚଳର ଅଟୋ ଚାଳକ ବୁଢା ପାତ୍ରଙ୍କ ପୁଅ ଆଶିଷ ପାତ୍ର ବୋଲି ଜଣାପଡିଛି । ସେ କୌଣସି କାମରେ କେନ୍ଦ୍ରାପଡା ଆଡକୁ ଯାଉଥିଲେ ବୋଲି ସୂଚନା ମିଳିଛି । ଦୂର୍ଘଟଣା ସମ୍ପର୍କରେ ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରଲର ଓ ସ୍କୁଟିକୁ ଜବତ କରିବା ସହ ଆଶିଷଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସଦର ଥାନା ସୁତ୍ରରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *