ଭୁବନେଶ୍ୱର,୧୮/୦୮/୨୦୨୫(ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)-ଭାରତବର୍ଷ ତାର ୭୯ତମ ସ୍ୱାଧୀନତା ସପ୍ତାହ ପାଳନ କରୁଥିବାବେଳେ ୧୭ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ଓଡିଶା ସରକାର ଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ପାନାସିଆ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ରାଜ୍ୟସ୍ତରୀୟ ଦେଶଭକ୍ତିର କାର୍ଯ୍ୟକ୍ରମ”ମାତୃଭୁମିକୁ ପ୍ରଣାମ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ସମସ୍ତ ବ୍ୟକ୍ତିବିଶେଷ ଧଳାବସ୍ତ୍ର ପିନ୍ଧିବା ସହିତ ତ୍ରିରଙ୍ଗାରେ ସଜେଇହେଇ ଆସିଥିଲେ। ପ୍ରାରମ୍ଭରେ ପରିବେଷିତ ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମ” ଏଇ ଦେଶ ଏଇ ମାଟି”ଦର୍ଶକଙ୍କ ଭିତରେ ଦେଶପ୍ରେମର ଭାବନାକୁ ଜାଗ୍ରତ କରିଥିଲା।ବାସ୍ତବରେ କହିବାକୁ ଗଲେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ସେଠାରେ ଗୋଟିଏ ସ୍ୱତନ୍ତ୍ର ଦେଶ ଭକ୍ତିମୟ ପରିବେଶ ସୃଷ୍ଟିକରିଥିଲା।
ଓଡିଶା ରାଜ୍ୟ ବିଜେପି ର ଉପସଭାପତି ଶ୍ରୀଯୁକ୍ତ ଗୋଲକ ପ୍ରସାଦ ମହାପାତ୍ର ମୁଖ୍ୟଅତିଥି,ବିଜେପି ର ବରିଷ୍ଠ ନେତା ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟବକ୍ତା, ବିଜେପି ର ବରିଷ୍ଠ ନେତା ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ, ଓଡ଼ିଆ ଭାଷା ର ସହ ପ୍ରାଧ୍ୟାପକ ଡକ୍ଟର ଦେବାଶିଷ ମହାପାତ୍ର,ସରକାରୀ ଭେଷଜ ବିଦ୍ୟାଳୟ ଓ ହସ୍ପିଟାଲ, ଫୁଲବାଣୀ, କନ୍ଧମାଳ ର ସହକାରୀ ପ୍ରାଧ୍ୟାପକ ଡ଼ା.ଚନ୍ଦନ କୁମାର ଗନ୍ତାୟତ,ବିଜେପି ର ନେତ୍ରୀ ଶ୍ରୀମତୀ ସୁଭାଷିନୀ ପୃଷ୍ଟି ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଆଲୋଚ୍ୟ ବିଷୟବସ୍ତୁ ଗୋଟିଏ ସଭ୍ୟତାର ପ୍ରକୃତ ପରିଚୟ- ତାହାର ଭାଷା,ସାହିତ୍ୟ,ସଂସ୍କୃତି ଓ ପରମ୍ପରା ଉପରେ ନିଜନିଜର ବକ୍ତବ୍ୟ ରଖିଥିଲେ। ଉପସ୍ଥିତ ମହିଳା ମାନଙ୍କ ସହିତ ସମ୍ମାନିତ ଅତିଥିଗଣ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଭାରତମାତା ଙ୍କର ପୂଜନ ଓ ଆରତୀ କରିଥିଲେ, ଯାହାକି କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ରହିଥିଲା।
ସଭାକାର୍ଯ୍ୟ ଆରମ୍ଭରେ ସାମୁହିକ ଜାତୀୟ ସଂଗୀତ ଗାନ କରାଯାଇଥିଲା। ଏହି ଅବସରରେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଆମର ଜାତୀୟ ପତାକା ତ୍ରିରଙ୍ଗାର କ୍ରମବିକାଶ ଉପରେ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ପାନାସିଆ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଚଳିତ ମାସ ୦୩ ତାରିଖ ଦିନ ଜୟଦେବ ଭବନରେ ହୋଇଯାଇଥିବା ରାଜ୍ୟସ୍ତରୀୟ ଦେଶାତ୍ମବୋଧକ ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତାର ୬୧ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମାତୃଭୂମିକୁ ପ୍ରଣାମ ଉତ୍ସବ ପାଳନ ଅବସରରେ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ଦିଆଗଲା। 
ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିବା ସହିତ ସଭାକାର୍ଯ୍ୟକୁ ଅନୁଷ୍ଠାନର ପ୍ରତିଷ୍ଠାତା ଡ଼ା.ବିଶ୍ଵରଞ୍ଜନ ପ୍ରଧାନ ପରିଚାଳନା କରିଥିଲେ ଓ ଓୟୁଟିଆର ପଦାର୍ଥ ବିଜ୍ଞାନ ସ୍ନାତକର ମେଧାବୀ ଛାତ୍ର ସୌମ୍ୟପ୍ରିୟଦର୍ଶୀ ପ୍ରଧାନ ପ୍ରାରମ୍ଭିକ ଅଭିଭାଷଣ ଦେବା ସହିତ ମଞ୍ଚ ପରିଚାଳନା କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପଦେଷ୍ଟା ଆଡ଼ଭୋକେଟ ସୁକାନ୍ତ କୁମାର ସାହୁ, ବୈଜ୍ଞାନିକ ଡ଼କ୍ଟର ବିନୋଦ ବିହାରୀ ପଲେଇ, ଉପାଧ୍ୟକ୍ଷା ଡ଼ା. ସସ୍ମିତା ରାଉତ୍,ସଭାପତି ଲୀନା ମିଶ୍ର, ସମ୍ପାଦିକା ଗୀତାଞ୍ଜଳି ଦାସ, ଉପସଭାପତି ଦିପ୍ତିମୟୀ ମିଶ୍ର,ଯୁଗ୍ମ-ସମ୍ପାଦକ ସନତ କୁମାର ବଟୁ, ଯୁଗ୍ମ-ସମ୍ପାଦିକା ଅର୍ଚ୍ଚନା ଚୌଧୁରୀ ତଥା ସମସ୍ତ ସଦସ୍ୟ ସଦସ୍ୟା ସୁପରିଚାଳନା କରିଥିଲେ। ଶେଷରେ ଅନୁଷ୍ଠାନର ଉପାଧ୍ୟକ୍ଷା ଡ଼ା. ସସ୍ମିତା ରାଉତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
