ଉଜ୍ଜୈନ-ଓଁକାରେଶ୍ୱର ତୀର୍ଥସ୍ଥଳ ପରିଭ୍ରମଣ କରି ଜିଲ୍ଲାକୁ ଫେରିଲେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ

ଯାଜପୁର, ୧୧/୦୧/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ବାରା ଆୟୋଜିତ ୨୦୨୩-୨୪ର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଯାଜପୁର ଜିଲ୍ଲାରୁ ଉଜ୍ଜୈନ-ଓଁକାରେଶ୍ୱର ପରିଭ୍ରମଣରେ ଯାଇଥିବା ସମସ୍ତ ତୀର୍ଥଯାତ୍ରୀ ଗତ କାଲି ଜିଲ୍ଲାକୁ ଫେରିଆସିଛନ୍ତି। ବାଲେଶ୍ୱର, ଭଦ୍ରଖ, କେଉଁଝର, ମୟୂରଭଞ୍ଜ ଓ ଯାଜପୁର, ୫ଟି ଜିଲ୍ଲାର  ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଗତକାଲି ଅପରାହ୍ନରେ ବାଲେଶ୍ୱର ରେଳଷ୍ଟେସନରେ ପହଞ୍ଚିବା ପରେ ଯାଜପୁର ଜିଲ୍ଲାର ତୀର୍ଥଯାତ୍ରୀମାନଙ୍କୁ ଯାଜପୁର ପର୍ଯ୍ୟଟନ କାର୍ୟାଳୟ ଦ୍ଵାରା ଆୟୋଜିତ ସ୍ଵତନ୍ତ୍ର ବସ୍ ଯୋଗେ ସେମାନଙ୍କ ସହ ତୀର୍ଥଯାତ୍ରାରେ ଯାଇଥିବା ସହାୟକ ଅଧିକାରୀମାନଙ୍କ ସହଯୋଗରେ ସ୍ଵସ୍ଥାନକୁ ପହଞ୍ଚାଇଦିଆଯାଇଥିଲା। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଆଇ.ଆର.ସି.ଟି.ସି. ଆନୁକୂଲ୍ୟରେ ଆୟୋଜିତ ସପ୍ତାହବ୍ୟାପୀ ଏହି ତୀର୍ଥଯାତ୍ରାରେ ଜିଲ୍ଲାର ବରିଷ୍ଠ ତୀର୍ଥଯାତ୍ରୀମାନେ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ଉଜ୍ଜୈନ ଏବଂ ଓଁକାରେଶ୍ୱର ପରିଦର୍ଶନ କରିବାର ସୁଯୋଗ ପାଇପାରିଥିଲେ। ଯାତ୍ରା ଆରମ୍ଭରୁ ଯାତ୍ରା ଶେଷଯାଏଁ ତୀର୍ଥଯାତ୍ରୀମାନଙ୍କର ଖାଦ୍ୟପେୟ, ରହଣି, ଯାତ୍ରା ଓ ଭ୍ରମଣର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗଦ୍ଵାରା ବହନ କରାଯାଇଥିଲା। ଏତଦ୍‌ବ୍ୟତୀତ ପ୍ରତିବର୍ଷ ପରି ଏହି ଯାତ୍ରାରେ ବି ତୀର୍ଥଯାତ୍ରୀମାନଙ୍କୁ କମ୍ବଳ, ବେଡ୍‌ସିଟ୍, ଛତା, ତଉଲିଆ, ଟୋପି ସହ ଯାତ୍ରା ଉପଯୋଗୀ ଏକ ଭ୍ରମଣ କିଟ୍ ପ୍ରଦାନ କରାଯାଇଥିଲା। ତୀର୍ଥଯାତ୍ରାରୁ ଫେରିଥିବା ତୀର୍ଥଯାତ୍ରୀମାନେ ଉଜ୍ଜୈନ ଏବଂ ଓଁକାରେଶ୍ୱର ଜ୍ୟୋତିର୍ଲିଙ୍ଗ ପରିଭ୍ରମଣ ଯାତ୍ରାର ସୁଯୋଗ ପାଇଥିବା ସୌଭାଗ୍ୟର ବିଷୟ ବୋଲି କହିଥିଲେ।

ରାଜ୍ୟ ସରକାରଙ୍କଦ୍ଵାରା ୨୦୧୬-୧୭ରୁ ଆରମ୍ଭ କରାଯାଇଥିବା ପ୍ରତିବର୍ଷ ଆୟୋଜିତ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା, ଆର୍ଥିକ ଅନଗ୍ରସର ଶ୍ରେଣୀର ବରିଷ୍ଠ ନାଗରିକଙ୍କୁ ତୀର୍ଥସ୍ଥଳ ପରିଭ୍ରମଣ କରିବାର ସୁଯୋଗ ଯୋଗାଇଦେବାର ଏକ ଅଭିନବ ଏବଂ ପ୍ରଶଂସନୀୟ ଉଦ୍ୟମ। ଏହି ବର୍ଷ ପ୍ରଥମଥର ପାଇଁ ଅନ୍ ଲାଇନ୍ ରେ ଆବେଦନପତ୍ର ଗ୍ରହଣ କରାଯାଇଥିଲା। ଅଫ୍ ଲାଇନ୍ ରେ ଗୃହୀତ ଆବେଦନପତ୍ରଗୁଡିକୁ ଅନ୍ ଲାଇନ୍ ରେ ପଞ୍ଜୀକୃତ କରାଯାଇ ସମସ୍ତ ଆବେଦନପତ୍ର ମଧ୍ୟରୁ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲାସ୍ତରୀୟ ଚୟନ କମିଟି ସହଯୋଗରେ ନିରପେକ୍ଷଭାବେ ଇ-ରାଣ୍ଡୋମାଇଜେସନ ମାଧ୍ୟମରେ ଉଜ୍ଜୈନ- ଓଁକାରେଶ୍ୱର ଯାତ୍ରା ପାଇଁ ତୀର୍ଥଯାତ୍ରୀଙ୍କ ଚୟନ କରାଯାଇଥିଲା।

୨୦୨୩-୨୪ରେ ଯାଜପୁର ଜିଲ୍ଲା ପାଇଁ ଉଦ୍ଦିଷ୍ଟ ଦୁଇଟି ତୀର୍ଥଯାତ୍ରା ପାଇଁ ଆବେଦନପତ୍ର ଗ୍ରହଣ ପ୍ରକ୍ରିୟା ଶେଷ ହୋଇସାରିଛି। ଉଜ୍ଜୈନ-ଓଁକାରେଶ୍ୱର ଯାତ୍ରାରେ ଯାଇଥିବା ତୀର୍ଥଯାତ୍ରୀଙ୍କ ନାମକୁ ବାଦ୍ ଦେଇ ଅନ୍ୟ ସମସ୍ତ ବୈଧ ଆବେଦନପତ୍ର ୨୦୨୪ ମାର୍ଚ୍ଚ ୩ ରୁ ୭ ତାରିଖ ପାଇଁ ସ୍ଥିରୀକୃତ ମଥୁରା-ବୃନ୍ଦାବନ ତୀର୍ଥଯାତ୍ରାପାଇଁ ତୀର୍ଥଯାତ୍ରୀ ଚୟନପ୍ରକ୍ରିୟାରେ ସାମିଲ କରାଯିବ। ଜିଲ୍ଲାବାସୀ, ଜିଲ୍ଲା ପ୍ରଶାସନ ଓ ଗଣମଧ୍ୟମର ସହଯୋଗରେ ଉଜ୍ଜୈନ-ଓଁକାରେଶ୍ୱର ଯାତ୍ରାପରି ମଥୁରା-ବୃନ୍ଦାବନ ତୀର୍ଥଯାତ୍ରା ମଧ୍ୟ ସଫଳ ହୋଇପାରିବ ବୋଲି ପର୍ଯ୍ୟଟନ ବିଭାଗର ଉପ ନିର୍ଦ୍ଦେଶିକା ତଥା ଯାଜପୁର ପର୍ଯ୍ୟଟନ କାର୍ୟାଳୟର ଭାରପ୍ରାପ୍ତ ଅଧିକାରୀ ହିମାଳୟା ତ୍ରିପାଠୀ ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *