ଭୁବନେଶ୍ୱର ସମେତ ସବୁ ରାଜ୍ୟ ରାଜଧାନୀରେ ବାଜପେୟୀ ଓ ସର୍ଦ୍ଧାର ପଟେଲ ଙ୍କ ପ୍ରତିମୂର୍ତି ସ୍ଥାପନ ଦାବି
ଭୁବନେଶ୍ୱର,୧୬/୦୮/୨୦୨୫ (ଓଡ଼ିଶା ସମାଚାର)-ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଓ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ତଥା ଲୌହମାନବ ଭାରତରତ୍ନ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ୍ ଙ୍କର ପ୍ରତିମୂର୍ତି ଭୁବନେଶ୍ୱର ସମେତ ସବୁ ରାଜ୍ୟର ରାଜଧାନୀ ମାନଙ୍କରେ ସ୍ଥାପନ କରିବା ପାଇଁ ବରିଷ୍ଠ ବିଜେପି ମହିଳା ନେତ୍ରୀ ସୁଜାତା ବାରିକ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି ।
ଏହି ପତ୍ରରେ ଶ୍ରୀମତୀ ବାରିକ ଦର୍ଶାଇଛନ୍ତି ଯେ, ଜାତୀୟ ସଂହତି ଓ ଅଖଣ୍ଡତା ପ୍ରତି ଏହି ଦୁଇ ବରିଷ୍ଠ ରାଜନେତାଙ୍କର ଅବଦାନକୁ ସ୍ମରଣ କରି ଭୁବନେଶ୍ୱର ସମେତ ସବୁ ରାଜ୍ୟର ରାଜଧାନୀରେ ସେମାନଙ୍କ ପ୍ରତିମୂର୍ତି ସ୍ଥାପନ ହେଲେ ଆଗାମୀ ପିଢୀ ତାଙ୍କ ବ୍ୟକ୍ତିତ୍ୱ, ଦେଶଭକ୍ତି ଓ ଦେଶପ୍ରତି ଅବଦାନ ନେଇ ପ୍ରେରଣ ଲାଭ କରିବେ ଏବଂ ନିଜକୁ ଗଢ଼ି ତୋଳିବାକୁ ଉଦ୍ୟମ କରିବେ ।
ବିଶେଷତଃ ଦେଶ ସେବା ଓ ରାଜନୀତି ପ୍ରତି ଆଗ୍ରହ ରଖୁଥିବା ଯୁବପିଢୀଙ୍କ ପାଇଁ ଏହି ଦୁଇ ମହାନ୍ ବ୍ୟକ୍ତି ପ୍ରେରଣାର ସ୍ରୋତ ହେବେ । ତେଣୁ ସେମାନଙ୍କର ପ୍ରତିମୂର୍ତି ଭୁବନେଶ୍ୱର ସମେତ ସବୁ ରାଜ୍ୟର ରାଜଧାନୀରେ ପ୍ରତିଷ୍ଠା କରିବା ପାଇଁ ସରକାର ପଦକ୍ଷେପ ନେବାକୁ ସ୍ୱର୍ଗତ ବାଜପେୟୀଙ୍କର ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରୀମତୀ ବାରିକ ଭାରତର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କୁ ଅନୁରୋଧ କରିଛନ୍ତି ।
