ଚୌଦ୍ୱାର କଲେଜର ୪୭ତମ ପ୍ରତିଷ୍ଠା ଦିବସ ପାଳିତ

ମାନବିକ ମୂଲ୍ୟବୋଧର ବିକାଶ ଦିଗରେ ଛାତ୍ରଛାତ୍ରୀମାନେ ବ୍ରତୀ ହେବାକୁ ଆହ୍ୱାନ
ଭୁବନେଶ୍ୱର, ୧୬/୦୮/୨୦୨୫(ଓଡ଼ିଶା ସମାଚାର)- ଯେକୌଣସି ଶିକ୍ଷାନୁଷ୍ଠାନର ବିକାଶରେ ପୁରାତନ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଅତୀତର ଅନୁଭୂତି ଓ ଅଭିଜ୍ଞତାକୁ ଆଧାର କରି ସେମାନେ ସେବା ମନ୍ତ୍ରରେ ଦୀକ୍ଷିତ ହେବା ସଂଗେସଂଗେ ପାଶ୍ୱର୍ବର୍ତୀ ଅଂଚଳର ଉନ୍ନତି ସାଧନ ନିମନ୍ତେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି । ଆଜି ପୂର୍ବାହ୍ନରେ ଚୌଦ୍ୱାର କଲେଜର ୪୭ତମ ପ୍ରତିଷ୍ଠା ଦିବସ ସମାରୋହ ଗୋପବନ୍ଧୁ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ରସଂସଦ ପକ୍ଷରୁ ଆୟୋଜିତ ଏହି ଭବ୍ୟ ସମାରୋହରେ ଅତିଥିମାନେ ମାନବିକ ମୂଲ୍ୟବୋଧର ବିକାଶ, ସମାଜସେବା ଓ ଆଦର୍ଶ ପ୍ରତିଷ୍ଠା ଦିଗରେ ଛାତ୍ରଛାତ୍ରୀ ବ୍ରତୀ ହେବାକୁ ଆହ୍ୱାନ ଜଣାଇଛନ୍ତି ।

ପୁରାତନ ଛାତ୍ରସଂସଦର ସଭାପତି ତଥା ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରାତନ ଛାତ୍ରସଂସଦ କଲେଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ସଦୃଶ୍ୟ ଏବଂ କଲେଜର ସାମୁହିକ ବିକାଶରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି ବୋଲି କହିଥିଲେ । ସମାରୋହରେ ବିଶିଷ୍ଟ ସାମ୍ବାଦିକ ଓ ସ୍ତମ୍ଭକାର ପ୍ରଦୋଶ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ, ଅବସରପ୍ରାପ୍ତ ସି.ଆର.ପି.ଏଫ୍. ଆଇ.ଜି. ତ୍ରୈଲୋକ୍ୟନାଥ ଖୁଂଟିଆ, ଚୌଦ୍ୱାର କଲେଜ ଅଧ୍ୟକ୍ଷା ଶ୍ରୀମତୀ ରଶ୍ମୀ ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରାତନ ଛାତ୍ର ସଂସଦର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଅବସରରେ କଲେଜ ଅଧ୍ୟକ୍ଷା ଶ୍ରୀମତୀ ରାଉତରାୟ କଲେଜର ବିଭିନ୍ନ ସମସ୍ୟା ଓ ଅଭାବ ଅସୁବିଧା ପ୍ରତି ମୁଖ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୁରାତନ ଛାତ୍ର ସଂସଦ ସମ୍ପାଦକ କେଶବ ଚନ୍ଦ୍ର ସାହୁ ବିବରଣୀ ପାଠ କରିଥିଲା ବେଳେ ବରିଷ୍ଠ ସଦସ୍ୟ ବିଭୂତି ଭୂଷଣ ସାହୁ, ରବୀନ୍ଦ୍ର କୁମାର ମହାପାତ୍ର, ରେଣୁବାଳା ସ୍ୱାଇଁ ପ୍ରମୁଖ କଲେଜର ପ୍ରତିଷ୍ଠା ଦିଗରେ ସ୍ୱର୍ଗତ ରାଜକିଶୋର ରାମଙ୍କ ଅବଦାନକୁ ସ୍ମରଣ କରିଥିଲେ ।

ଏହି ଅବସରରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଲେଜର ପ୍ରଥମ ବ୍ୟାଚ୍ (୧୯୭୮) ଛାତ୍ରୀ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅଞ୍ଜନା ସ୍ୱାଇଁ, ସମାଜସେବା ପାଇଁ ବିଶିଷ୍ଟ ଉଦ୍ୟୋଗୀ ବିବେକାନନ୍ଦ ବେହେରା (୧୯୭୯) ଓ ଅଞ୍ଜନ ଜେନା, ଦେଶର ସୁରକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଅବସରପ୍ରାପ୍ତ ଆଇ.ଜି. ସି.ଆର.ପି.ଏଫ୍. ତ୍ରୈଲୋକ୍ୟନାଥ ଖୁଂଟିଆ ଓ ପୋଲିସ୍ ସେବାରେ ସଫଳତା ପାଇଁ ମିନାକ୍ଷୀ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି କଲେଜର ବିଭିନ୍ନ ବର୍ଗର କୃତି ଶିକ୍ଷାର୍ଥୀଙ୍କୁ ମଧ୍ୟ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

ସମାରୋହ ପୂର୍ବରୁ କଲେଜର ପ୍ରାଣ ପ୍ରତିଷ୍ଠାତା ରାଜକିଶୋର ରାମଙ୍କ ପ୍ରତିମୂର୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିବା ସହ କଲେଜ ପରିସରରେ ବୃକ୍ଷରୋପଣ କରିଥିଲେ । ସଭା ଶେଷରେ ପୁରାତନ ଛାତ୍ର ସଂସଦର ସକ୍ରିୟ ସଦସ୍ୟ ତଥା ସ୍ଥାନୀୟ କାଉନସିଲର ଆଶୁତୋଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଷୀରୋଦ ବେହେରା, ଝୁଲେନ୍ଦ୍ର ନାୟକ, ମୁରଲୀଧର ବେହୁରା, କବିତା ପରିଡ଼ା, ଅମିତା ଦାସ, ବିଚିତ୍ରାନନ୍ଦ ସାହୁ, ଗଙ୍ଗାଧର ସାହୁ, ଶ୍ରୀନିବାସ ସାହୁ, ପ୍ରମୋଦ ଓଝା, ହରିହର ପରିଡ଼ା ପ୍ରମୁଖ ବହୁ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *