ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୧୧/୦୧/୨୦୨୪ (ଓଡ଼ିଶା ସମାଚାର)- ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ପରେ ସ୍ଥିର ହେଲା ଯେ, ସାଧାରଣତନ୍ତ୍ର ଦିବସ ଦିନ ପ୍ରତ୍ୟୁଷ ୪.୩୦ ମିନିଟ୍ ସମୟରେ ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ପୌରାଂଚଳରେ ରାମଧୂନ୍ ପ୍ରଚାର କରାଯିବ । ସକାଳ ୭.୩୦ମିନିଟ୍ ସମୟରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ, ବାଣିଜ୍ୟାନୁଷ୍ଠାନ ଓ ନିଜସ୍ୱ ଗୃହମାନଙ୍କରେ ଜାତୀୟ ପତାକା ଉତୋଳନ କରି ସନ୍ଧ୍ୟା ପୂର୍ବରୁ ସମ୍ମାନର ସହ ପତାକା ଅବତରଣ କରାଯିବ । ସକାଳ ୮.୩୦ମିନିଟ୍ ସମୟରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆଠାରେ ମୁଖ୍ୟଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ, ସମ୍ମିଳିତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ, ଅଭିଭାଷଣ ପ୍ରଦାନ କରାଯିବ । ଜିଲାସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯିବ । ଏହି ସାଧାରଣତନ୍ତ୍ର ଦିବସ ଅବସରରେ ଜିଲା ଆରକ୍ଷୀ ବାହିନୀ ବ୍ୟାଣ୍ଡ୍ ପାର୍ଟି ପରିବେଷଣ କରିବେ ଜାତୀୟ ସଙ୍ଗୀତ । ପ୍ରତିଯୋଗିତାର ଶ୍ରେଷ୍ଠ ୩ଟି ଦଳ, ଦଳଗତ ଦେଶଭକ୍ତି ନୃତ୍ୟ ପରିବେଷଣ କରିବେ । ମୁଖ୍ୟ ଅତିଥି ଜିଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧିତ କରିବା ପରେ କଏଦୀମାନଙ୍କୁ ମିଷ୍ଟାନ୍ନ ବଂଟନ କରିବା ପାଇଁ ଯିବେ ଏବଂ ପରେପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ତେବାସୀ ରୋଗୀମାନଙ୍କୁ ଫଳ ବଂଟନ କରିବେ । ଜିଲା ଶିକ୍ଷାଧିକାରୀ ସ୍କୁଲ୍ କଲେଜ୍ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ଦେଶଭକ୍ତି ସଙ୍ଗୀତ ଓ ଚିତ୍ରକଳା ପ୍ରତିଯୋଗିତା କରାଇବେ । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା କରାଇବା ପାଇଁ ସମଗ୍ର ଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଜିଲାର ବିଭିନ୍ନ ବିଭାଗ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଓ ଜନକଲ୍ୟାଣକାରୀ ଯୋଜନାକୁ ପ୍ରଜ୍ଞାପନ ମେଢରେ ପ୍ରଦର୍ଶିତ କରାଇବେ । ଜିଲାସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଏବଂ ପ୍ୟାରେଡ୍ ରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ଟ୍ରଫିର ପ୍ରାୟୋଜକ ହେଉଛନ୍ତି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବ୍ୟାଙ୍କ୍ ଅଫ୍ ବରୋଦା, ୟୁନିଅନ୍ ବ୍ୟାଙ୍କ, କେନ୍ଦ୍ରାପଡ଼ା ଅର୍ବାନ୍ କୋପରେଟିଭ୍ ବ୍ୟାଙ୍କ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହ ବୈଠକରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଆରଟିଓ ଧୀରେନ୍ଦ୍ର କୁମାର ନାୟକ, ଡକ୍ଟର ପିକେ ପ୍ରହରାଜ, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ରଂଜିତ ଦାସ, ପୂର୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଆଜାମୁଦ୍ଧିନ୍ ଖାନ୍, ଆରଆଇ ପ୍ରସାନ୍ତ କୁମାର ରଣସିଂହ, ଜିଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ରମଣ କୁମାର ଦାଶ, ଅଗ୍ନିଶମ ବିଭାଗର ଶଶିଶେଖର ପଣ୍ଡା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରୁପାଲି ପ୍ରିୟଦର୍ଶନୀ, ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ, ବିଭିନ୍ନ କଲେଜ ଓ ସ୍କୁଲର ଶିକ୍ଷକ/ଶିକ୍ଷୟତ୍ରୀ ପ୍ରମୂଖ ଏହି ପ୍ରସ୍ତୁତି ବୈଠକରେ ଯୋଗ ଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *