କଟକ, ୨୬/୦୫/୨୦୨୪ (ଓଡ଼ିଶା ସମାଚାର)- ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ୍) ପରୀକ୍ଷାଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍ ହାର ରହିଛି ୯୬.୦୭ ପ୍ରତିଶତ। ଏଥର ପୁଅମାନଙ୍କ ତୁଳନାରେ ଝିଅମାନେ ଭଲ କରିଛନ୍ତି। ଏଥିର ଛାତ୍ରମାନଙ୍କ ପାସ୍ ହାର ରହିଛି ୯୫.୩୯ ପ୍ରତିଶତ। ଏଣେ ଛାତ୍ରୀମାନଙ୍କ ପାସ୍ ହାର ହେଲା ୯୬.୭୩ ପ୍ରତିଶତ। ଚଳିତ ଥର ରାଜ୍ୟର ୨୬୪୪ଟି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ତେବେ ଏଥର କୌଣସି ସ୍କୁଲରେ ଜିରୋ ରେଜଲ୍ଟ ହୋଇନାହିଁ।୨୦୨୩ରେ ପାସ୍ ହାର ୯୬.୦୪ ଥିବାବେଳେ ଚଳିତ ବର୍ଷ ଏହାର ୯୬ . ୦୭ ହୋଇଛି। କହିବାକୁ ଗଲେ ଏଥର ରାଜ୍ୟରେ ମାଟ୍ରିକ ରେଜଲ୍ଟ ଭଲ ହୋଇଛି।
ଚଳିତବର୍ଷ ମୋଟ୍ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୭.୯୮ ପ୍ରତିଶତ ପାସ୍ ହାର ରହିଥିବା ବେଳେ ନୂଆପଡ଼ାରେ ସର୍ବନିମ୍ନ ୯୩.୯୧ ପ୍ରତିଶତ ପାସ୍ ହାର ରହିଛି। ସେହିଭଳି କଟକରେ ପାସ୍ହାର ରହିଛି ୯୭.୫୮%। ଜଗତସିଂହପୁରରେ ୯୭.୬%, ଯାଜପୁରରେ ୯୫.୯୨%, କେନ୍ଦ୍ରାପଡାରେ ୯୫.୭୭%, ରାୟଗଡାରେ ୯୬.୧୬%, ମାଲକାନଗିରିରେ ୯୫.୦୪%, କୋରାପୁଟରେ ୯୪.୮୨% ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
ସେହିଭଳି, ଅନଗୁଳରେ ୯୬.୬୩%, ଢେଙ୍କାନାଳରେ ୯୫.୧୨%, ପୁରୀରେ ୯୬.୭୬%, ନୟାଗଡ଼ରେ ୯୬.୨୩%, ବାଲେଶ୍ୱରରେ ୯୬.୧%, ଭଦ୍ରକରେ ୯୬.୭୩%, କେନ୍ଦୁଝରରେ ୯୪.୮%, ମୟୂରଭଞ୍ଜରେ ୯୫.୭% ପାସ୍ହାର ରହିଛି। କନ୍ଧମାଳରେ ୯୬.୬%, ନୂଆପଡାରେ ୯୩.୯୧% ପାସ୍ହାର ଥିବାବେଳେ ବରଗଡ଼ରେ ୯୬.୬୪%, ସମ୍ୱଲପୁରରେ ୯୬.୭୩, ଦେବଗଡ଼ରେ ୯୬.୭୧% ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
ରବିବାର ସକାଳ ସାଢେ ୧୦ଟାରେ କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇଛି। ମାଟ୍ରିକ୍ ସହ ମଧ୍ୟମା (ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (ପ୍ରଥମ)ର ଫଳାଫଳ ପ୍ରକାଶ କରାଯାଇଛି। ମାଟ୍ରିକ, ମାଧ୍ୟମା ଓ ମୁକ୍ତବିଦ୍ୟାଳୟ ପରୀକ୍ଷାଫଳ ରବିବାର ସକାଳ ୧୧ଟା ୩୦ରେ ବୋର୍ଡ ୱେବ୍ସାଇଟ୍ www.bseodisha.ac.inରେ ଉପଲବ୍ଧ ହୋଇଛି। ଯେଉଁ ସ୍ଥାନରେ ଇଣ୍ଟରନେଟ୍ ସୁବିଧା ନାହିଁ, ସେସବୁ ସ୍ଥାନରେ ଛାତ୍ରଛାତ୍ରୀମାନେ ମୋବାଇଲ୍ ଫୋନ୍ ମାଧ୍ୟମରେ OR10<Roll No> ଟାଇପ୍ କରି ମୋବାଇଲ୍ ନଂ ୫୬୭୬୭୫୦ କୁ ଏସ୍ଏମ୍ଏସ୍ କରି ପରୀକ୍ଷାଫଳ ପାଇପାରିବେ। ଦିନ ୧୨ଟା ୩୦ ପରେ ଛାତ୍ରଛାତ୍ରୀଙ୍କ ଟାବୁଲେସନ୍ ରେଜିଷ୍ଟର୍(ନମ୍ବର) ସ୍କୁଲରୁ ମିଳିବ।
ବିଦ୍ୟାଳୟର ମୁଖ୍ୟ/ପ୍ରଧାନଶିକ୍ଷକମାନେ ୟୁଜର ଆଇଡି ଓ ପାସ୍ୱାର୍ଡ ବ୍ୟବହାର କରି ଟାବୁଲେସନ୍ ରେଜିଷ୍ଟର୍କୁ ଡାଉନ୍ଲୋଡ୍ କରିପାରିବେ। ଚଳିତ ବର୍ଷ ପ୍ରଥମ କରି ବୋର୍ଡ ପକ୍ଷରୁ ଫଳ ପ୍ରକାଶ ଦିନ ଛାତ୍ରଛାତ୍ରୀଙ୍କୁ ଡିଜିଟାଇଜ୍ ବୋର୍ଡ ସାର୍ଟିଫିକେଟ୍ ପ୍ରଦାନ ବ୍ୟବସ୍ଥା ହୋଇଛି। ରବିବାର ଅପରାହ୍ଣ ୪ଟାରୁ ଅନ୍ଲାଇନ୍ରେ ମାଟ୍ରିକ୍, ମଧ୍ୟମା ଓ ଓପନ୍ ସ୍କୁଲ ପରୀକ୍ଷାର ଡିଜିଟାଇଜ୍ ବୋର୍ଡ ସାର୍ଟିଫିକେଟ୍ ଉପଲବ୍ଧ ହେବ। ଏହି ଡିଜିଟାଇଜ୍ ସାର୍ଟିଫିକେଟ୍ ଛାତ୍ରଛାତ୍ରୀମାନେ ମୋବାଇଲ୍ ମାଧ୍ୟମରେ ମଧ୍ୟ ପାଇପାରିବେ। ପରୀକ୍ଷାଫଳ ପ୍ରକାଶ ପରେ ମେ’ ୨୯ରୁ ଜୁନ୍ ୧୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ରିଚେକିଂ ପାଇଁ ଆବେଦନ କରିପାରିବେ। ମାଟ୍ରିକ ପାଇଁ ଅନ୍ଲାଇନ୍ରେ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପାଇଁ ଅଫ୍ଲାଇନ୍ରେ ରିଚେକିଂ ଆବେଦନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।