ଭୁବନେଶ୍ୱର,୦୯/୦୮/୨୦୨୫(ଓଡ଼ିଶା ସମାଚାର)- ଦାଦାବଟି ମାଗିବା ଓ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ଦାସ ଓରଫ ସନ୍ତୁ ଓ କାଲା ରାମ । ଉଲ୍ଲେଖଯୋଗ୍ୟ ଯେ, ଅଭିଯୋଗକାରୀ ମୋହନ ପ୍ରସାଦଙ୍କର କଳ୍ପନା ଛକ ନିକଟରେ ଏକ ୱାଇନ ସପ୍ ଅଛି । ଗତ ତା.୨୫.୦୮.୨୦୨୪ ରିଖ ରାତି ପ୍ରାୟ ୮.୩୦ ସମୟରେ ଅଭିଯୁକ୍ତ ସନ୍ତୋଷ ଦାସ ଓରଫ ସନ୍ତୁ ଏବଂ କାଲା ରାମ ଓରଫ କାଡା ମଦ୍ୟପାନ କରି ଅଭିଯୋଗକାରୀଙ୍କ ମଦ ଦୋକାନକୁ ଯାଇ ସେଲ୍ସମ୍ୟାନଙ୍କୁ ଧମକଚମକ ଦେଇ ବିନା ଦେୟରେ ମଦ ମାଗିଥିଲେ ।
ସେଲ୍ସମ୍ୟାନ ବିନା ଦେୟରେ ମଦ ଦେବାକୁ ମନା କରିବାରୁ ଉଭୟ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ହଠାତ ଥାକରୁ ଏକ ମଦ ବୋତଲ ବାହାର କରି ସେଲ୍ସମ୍ୟାନଙ୍କୁ ଲକ୍ଷ କରି ଫୋପାଡ଼ି ଥିଲେ । କିନ୍ତୁ ସେଲ୍ସମ୍ୟାନ ଜଣକ ଏହି ଆକ୍ରମଣରୁ ଅଳ୍ପକେ ବର୍ତି ଯାଇଥିଲେ । ଏହା ଦେଖି ଉଭୟ ଅଭିଯୁକ୍ତ ଅଧିକ ହିଂସ୍ର ହୋଇ ଦୋକାନର କାଚ କବାଟ ଭାଙ୍ଗି ଅଭିଯୋଗକାରୀ ଏବଂ ତାଙ୍କ କର୍ମଚାରୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେବା ସହିତ ସେମାନଙ୍କୁ ବଟି ଦେବା ଲାଗି କହିଥିଲେ । ଯଦି ସେମାନଙ୍କୁ ବଟି ଦିଆ ନଯାଏ, ତେବେ ସେ ଆଉ ତାଙ୍କର ଦୋକାନ ଖୋଲିପାରିବେ ନାହିଁ ବୋଲି ଖୋଲାଖୋଲି ଧମକ ଦେଇଥିଲେ । ଏନେଇ ଅଭିଯୋଗକାରୀ ଥାନାର ଦ୍ୱାରସ୍ଥ ହୋଇଥିଲେ ।
ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ଲକ୍ଷ୍ମୀସାଗର ଥାନାରେ ଉପରୋକ୍ତ ମାମଲା ରୁଜୁ ହୋଇଥିଲା ଏବଂ ଏହାର ତଦନ୍ତ ଦାୟିତ୍ୱ ଏଏସଆଇ ଶ୍ରୀ ଜେ. ନାୟକଙ୍କୁ ଦିଆଯାଇଥିଲା । ଶ୍ରୀ ନାୟକ ଏହି ମାମଲାର ପୁଙ୍ଖାନୁୁପୁଙ୍ଖ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଦାଲତରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଥିଲେ । ଉପରୋକ୍ତ ମାମଲାର ବିଚାର କରି, ମାନ୍ୟବର ଅଦାଲତ ଘଟଣା ସହିତ ସଂପୃକ୍ତ ୦୪ ଜଣ ସାକ୍ଷୀ ଏବଂ ୫ ଗୋଟି ପ୍ରଯୁଜ୍ୟ ଦସ୍ତାବିଜ ଆଧାରରେ ଆସାମୀ ସନ୍ତୋଷ ଦାସ ଓରଫ ସନ୍ତୁ ଓ କାଲା ଓରଫ କାଡାଙ୍କୁ ଭାରତୀୟ ନ୍ୟାୟ ସଂହିତାର ଧାରା-୩୨୪ (୨) ଅନୁଯାଇ ୩,୦୦୦/- ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି, ଏବଂ ଜୋରିମନା ଅନାଦେୟ କ୍ଷେତ୍ରରେ, ୨୦ ଦିନ ଲାଗି କାରାଦଣ୍ଡର ଆଦେଶ ଦେଇଛନ୍ତି ।
