ଭିନ୍ନକ୍ଷମଙ୍କ ପ୍ରତିଭାର ବିକାଶ ପାଇଁ ପ୍ରୋତ୍ସାହନ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ
ଭୁବନେଶ୍ୱର, ୧୯/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭିନ୍ନକ୍ଷମ ମାନଙ୍କଠାରେ ଭରପୁର ପ୍ରତିଭା ରହିଛି ।ଏଣୁ ସେମାନଙ୍କଠାରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ପ୍ରକାଶ ପାଇଁ ପ୍ରୋତ୍ସାହନ ଯୋଗାଇବା ଉପରେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି ।ଏ ଦିଗରେ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି । ଆଜି ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଶ୍ରୀହର୍ଷ ମିଶ୍ର ସ୍ମୃତି ବଧିର ବିଦ୍ୟାଳୟ,
ଜଟଣୀର ଛାତ୍ରାଛାତ୍ରୀମାନେ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରିବା ଅବସରରେ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ଛାତ୍ରଛାତ୍ରୀମାନେ ରାଜଭବନ ଉଦ୍ୟାନ ପରିଦର୍ଶନ କରି ଏହାର ନୈସର୍ଗିକ ଶୋଭାରାଜି ଦେଖିବା ପରେ ଅଭିଷେକ ହଲ୍ ଠାରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ।ଦୁଇ ଜଣ ଛାତ୍ର / ଛାତ୍ରୀ ନିଜ ଦ୍ୱାରା ଆଙ୍କିତ ରାଜ୍ୟପାଳଙ୍କ ଫଟୋଚିତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ ।ଛାତ୍ରଛାତ୍ରୀଙ୍କର ସୃଜନଶୀଳତା ଓ ପ୍ରତିଭା ପାଇଁ ରାଜ୍ୟପାଳ ପ୍ରଶଂସା କରିଥିଲେ ।
ବିଦ୍ୟାଳୟର ଅଧ୍ୟକ୍ଷ ଦେବବ୍ରତ ବେହେରାଙ୍କ ଜରିଆରେ ରାଜ୍ୟପାଳ ପିଲାମାନଙ୍କର କୁଶଳ ଜିଜ୍ଞାସା କରିଥିଲେ ।ଶ୍ରବଣଶକ୍ତି ବାଧିତ ପିଲାମାନଙ୍କ ପାଇଁ ଉକ୍ତ ଆବାସିକ ବିଦ୍ୟାଳୟର ସ୍ଥାପନା, ପରିଚାଳନା, ପାଠପଢ଼ା, ଖାଇବା ଓ ରହିବା ବ୍ୟବସ୍ଥା, ଶ୍ରବଣ ଯନ୍ତ୍ର ଯୋଗାଣ, କର୍ମଚାରୀ ମାନଙ୍କର ଦରମା ବ୍ୟବସ୍ଥା, ସରକାରଙ୍କ ତରଫରୁ କରାଯାଇଥିବା ବ୍ୟବସ୍ଥା ତଥା ବିଦ୍ୟାଳୟର ଆବଶ୍ୟକତା ସଂପର୍କରେ ରାଜ୍ୟପାଳ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ପଚାରି ବୁଝିଥିଲେ ।
-୦-
ସଂଜୀବବାରିକ, ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟରୁ
ଶ୍ରୀହର୍ଷ ମିଶ୍ର ସ୍ମୃତି ବିଧିର ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ରାଜ୍ୟପାଳଙ୍କୁ ସାକ୍ଷାତ
