ଜିଲାପାଳ ଙ୍କ ବନ୍ୟାଂଚଳ ପରିଦର୍ଶନ – –

ସହାୟତା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକଙ୍କ ଚିଠି

କେନ୍ଦ୍ରାପଡା,୦୧/୦୮/୨୦୨୫ (ଓଡ଼ିଶା ସମାଚାର)- ପଟ୍ଟାମୁଣ୍ଡାଇରେ ବନ୍ୟା ପରିସ୍ଥିତି ଅପରିବର୍ତିତ ରହିଛି  । ତେବେ ତୁହାକୁ ତୁହା ବର୍ଷା ବନ୍ୟା ବିପନ୍ନଙ୍କ ଦୁର୍ଦଶା ବୃଦ୍ଧି କରିଛି  । ବୁଧବାର ସକାଳ ଠାରୁ ବର୍ଷା ଲାଗି ରହିଥିବା ବେଳେ ଗୁରୁବାର ଦିନ ପାଗରେ କିଛିଟା ପରିବର୍ତନ ହୋଇଛି । ବ୍ରାହ୍ମଣୀ ନଦୀରେ ଦେଖା ଦେଇଥିବା ୨ୟ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ସିଂହ ଗାଁ, ଶ୍ରୀରାମପୁର, ଡାମରପୁର, ବଳଭଦ୍ରୁର ଓ ବାଛରା ପଂଚାୟତର ଅନେକ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇରହିଛି  । କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟାର ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଂଚଳ ବୋଟ ଯୋଗେ ଯାଇ ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ସହିତ ବିଭିନ୍ନ ଲୋକମାନଙ୍କ ସହିତ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ  ।

ଏଥି ସହିତ ବନ୍ୟା ବିପନ୍ନ ଶ୍ରୀରାମପୁର, ଡାମରପୁର ଓ ବଳଭଦ୍ରପୁର ଲୋକମାନଙ୍କ ଯାତାୟାତ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଗୋଟିଏ ଏସଆରସି ବୋଟ ଯୋଗାଇ ଦିଆଯାଇଥିବା ବେଳେ ଆଉ ଏକ ବୋଟ ଯୋଗାଇ ଦେବାକୁ ଜିଲାପାଳ ତହସିଲଦାରଙ୍କୁ ନିର୍ଦେଶ ଦେବା ସହିତ ବନ୍ୟାଂଚଳର ଗୃହପାଳିତ ପଶୁମାନଙ୍କ ପାଇଁ ଗୋଖାଦ୍ୟ ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦେଶ ଦେଇଥିଲେ ଓ ବନ୍ୟା ଅଂଚଳରେ ପିଇବା ପାଣି ଓ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱାରୋପ କରି ତଦନୁଯାୟୀ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ  । ଜିଲାପାଳଙ୍କ ସହିତ ପଟ୍ଟାମୁଣ୍ଡାଇ ବିଡ଼ିଓ ଅଶୋକ ମହାନ୍ତିଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧି ବନ୍ୟାଅଂଚଳ ପରିଦର୍ଶନ କରିଥିଲେ ।

ବନ୍ୟା ବିପନ୍ନଙ୍କୁ ତୁରନ୍ତ ରିଲିଫ ଯୋଗାଇଦେବା ସହ ଫସଲ କ୍ଷୟକ୍ଷତିର ଆକଳନ କରି ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୁରଣ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖି ଦାବି ରଖିଛନ୍ତି କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ।

Leave a Reply

Your email address will not be published. Required fields are marked *