୫ ବିରଳ ଓରାଙ୍ଗଓଟାନ୍ ଓଡ଼ିଶାରେ

ଭୋଗରାଇରୁ ନିଆଗଲା ନନ୍ଦନକାନନ
ଦେଖଣାହାରୀଙ୍କ ଛୁଟିଲା ସୁଅ
ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ
ଅନ୍ତର୍ଜାତୀୟ ଚୋରା ଚାଲାଣ ସନ୍ଦେହ
ବାଲେଶ୍ୱର/ଭୁବନେଶ୍ୱର, ୦୮/୦୯/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ଦକ୍ଷିଣ- ପୂର୍ବ ଏସିଆର ବର୍ଷାବହୁଳ ଜଙ୍ଗଲରେ ବାସ କରିଥାନ୍ତି ବିରଳ ଓରାଙ୍ଗଓଟାନ । ମାତ୍ର ବାଲେଶ୍ୱର ଜିଲାର ଏକ ସଂରକ୍ଷିତ ଜଙ୍ଗଲ ଅଂଚଳରୁ ଏଥିରୁ ୫ଟି ଉଦ୍ଧାର କରାଯାଇଛି । ତେବେ ଏହି ବିଦେଶୀ ପ୍ରାଣୀମାନଙ୍କୁ ଭାରତରେ କିପରି କିଏ ପହଂଚାଇଲା ତାହା ବିସ୍ମୟ ସୃଷ୍ଟି କରିଛି । ଏପରି ବନ୍ୟପ୍ରାଣୀ ଚୋରା ଚାଲାଣରେ କିଏ ବା କେଉଁମାନେ ସାମିଲ ସେ ବିଷୟରେ ତଦନ୍ତ ଆରମ୍ଭ ହୋଇଛି ।

ଭୋଗରାଇ ବ୍ଲକ ଅଂଚଳରୁ ଏସବୁ ଠାବ ହେବା ପରେ ଏଠାକୁ ସକାଳୁ ସକାଳୁ ସ୍ଥାନୀୟ ଦେଖେଣାହାରୀଙ୍କ ସୁଅ ଛୁଟିଥିଲା । ସ୍ଥାନୀୟ ବାସିନ୍ଦାଙ୍କଠାରୁ ସୂଚନା ପାଇବା ପରେ ବନ ବିଭାଗ ଅଧିକାରୀମାନେ ମଙ୍ଗଳବାର ସକାଳେ ଉଦୟପୁର ବନ ବିଭାଗ ଅଧୀନରେ ଥିବା ବଡ଼ପାଇ ରଣକାଠ ସଂରକ୍ଷିତ ଜଙ୍ଗଲ ଅଂଚଳରୁ ପାଂଚଟି ଓରାଙ୍ଗଓଟାନ୍ଙ୍କୁ ଉଦ୍ଧାର କରିଛନ୍ତି । ସୂଚନା ଅନୁଯାୟୀ, ଉଦୟପୁର ସେକ୍ସନ୍ ର ବନରକ୍ଷୀ ସଞ୍ଜୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ସକାଳ ପ୍ରାୟ ୬ଟା ସମୟରେ ନିୟମିତ ପାଟ୍ରୋଲିଂ କରୁଥିବା ବେଳେ ଜଙ୍ଗଲ ମଧ୍ୟରେ ୫ଟି ଓରାଙ୍ଗଓଟାନକୁ ଦେଖିଥିଲେ । ପଶୁମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ସେମାନଙ୍କୁ ତୁରନ୍ତ ଉଦୟପୁର ସେକସନ୍ କାର୍ଯ୍ୟାଳୟ ପରିସରକୁ ଆଣିଥିଲା । ସେଠାରେ ସେମାନଙ୍କୁ ନିରନ୍ତର ନଜରରେ ରଖାଯାଇଥିବା ବେଳେ ବାରିପଦା ସର୍କଲ୍ର ଭେଟେରିନାରୀ ଟିମ୍ ପକ୍ଷରୁ ଆବଶ୍ୟକ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

ପରେ ଖବର ପାଇ ନନ୍ଦନକାନନ ଟିମ୍ ମଧ୍ୟ ପହଂଚି ସ୍ଥିତି ଯାଂଚ କରିଥିଲେ ଓ ଏହା ପରେ ନନ୍ଦନକାନନକୁ ପଠାଯାଇଥିଲା । ଗ୍ରାମାଂଚଳ ଜଙ୍ଗଲରେ ପ୍ରଥମ ଥର ପାଇଁ ଠାବ ଏହି ବନ୍ୟପଶୁଙ୍କ ଅନ୍ତର୍ଜାତୀୟ ସ୍ମଗଲିଂର ସନ୍ଦେହ କରାଯାଉଛି ବୋଲି ପିସିସିଏଫ୍ ପ୍ରେମ୍ ଝା କହିଛନ୍ତି । ପିସିସିଏଫ୍ କହିଛନ୍ତି, ଦେଶର ଦୁଇରୁ ତିନୋଟି ସ୍ଥାନରେ କ୍ୱଚିତ୍ ଓରାଙ୍ଗଓଟାନ ଦେଖାଯାଆନ୍ତି । ଓଡ଼ିଶାରେ ଏହି ପ୍ରଜାତିର ପ୍ରାଣୀ କେବେ ଦେଖାଯିବାର ନଜିର ନାହିଁ । ତେଣୁ ଭୋଗରାଇରୁ ଏକାଥରକେ ୫ଟି ଓରାଙ୍ଗଉଟାନ ଠାବ ହେବା ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି । ଘଟଣାର ତଦନ୍ତ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି । ଏହା ପଛରେ ଥିବା ରହସ୍ୟ ଉପରୁ ପରଦା ହଟିବାକୁ ଅପେକ୍ଷା କରାଯାଇଛି ।

Leave a Reply

Your email address will not be published. Required fields are marked *