ଭୁବନେଶ୍ୱର,୦୧/୦୮/୨୦୨୫ (ଓଡ଼ିଶା ସମାଚାର)- ଶିଶୁମାନଙ୍କୁ ସୁସ୍ଥ ଭବିଷ୍ୟତ ପ୍ରଦାନ କରିବା ପାଇଁ ସ୍ତନ୍ୟପାନ ସମର୍ଥନକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଅଗଷ୍ଟ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଳନ ହେଉଥିବା ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ୟୁନିସେଫ୍ ସହଭାଗିତାରେ ଏକ ସୁସ୍ଥ ପିଢ଼ି ଗଠନ ପାଇଁ ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ଼ କରିଛି ।
ଏହି ଉପଲକ୍ଷେ ଗୁରୁବାର ବିଭାଗର ସମ୍ମିଳନୀ କକ୍ଷରେ ଏକ ଗଣମାଧ୍ୟମ କର୍ମଶାଳା ଆୟୋଜିତ ହୋଇଥିଲା । ଏହି କର୍ମଶାଳାରେ ସ୍ତନ୍ୟପାନର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇ ସାରା ଓଡ଼ିଶାରେ ସ୍ତନ୍ୟପାନ ପାଇଁ ଉନ୍ନତ ସହାୟକ ବ୍ୟବସ୍ଥାର ଆହ୍ୱାନ ଦିଆଯାଇଥିଲା । ଏହି ବର୍ଷର ବିଷୟବସ୍ତୁ, ‘ସ୍ତନ୍ୟପାନକୁ ପ୍ରାଥମିକତା ଦିଅନ୍ତୁ: ନିରନ୍ତର ସହାୟତା ପ୍ରଦାନର ବ୍ୟବସ୍ଥା କରନ୍ତୁ/ ସ୍ତନ୍ୟପାନରେ ନିବେଶ, ଭବିଷ୍ୟତ ପାଇଁ ନିବେଶ’ ଶିଶୁଙ୍କୁ ଜୀବନର ସର୍ବୋତମ ଆରମ୍ଭ ପ୍ରଦାନ କରିବା ପାଇଁ ପରିବାର, ସାମାଜିକ ଗୋଷ୍ଠୀ ଏବଂ ନୀତିନିର୍ମାତାଙ୍କ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲା ।
ୟୁନିସେଫ୍ ଓଡ଼ିଶା ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ ବିଶ୍ୱ ଓ ରାଜ୍ୟସ୍ତରରେ ସ୍ଥାୟୀ ସ୍ତନ୍ୟପାନ ସହାୟତା ବ୍ୟବସ୍ଥା ସୃଷ୍ଟି ପାଇଁ ଆବଶ୍ୟକ ରଣନୀତି ଉପରେ ଆଲୋକପାତ କରିଥିଲେ । ଶିଶୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଧେଶକ ଡ. ଆଦିତ୍ୟ ମହାପାତ୍ର, ମା ଓ ଶିଶୁ ଉଭୟଙ୍କ ପାଇଁ ସ୍ତନ୍ୟପାନର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ପୋଷଣ ଯୁଗ୍ମ ନିର୍ଦ୍ଧେଶକ ଡ଼ଃ ସ୍ମୃତିଜିତ୍ ପଟ୍ଟନାୟକ ବିଭାଗର ବ୍ୟାପକ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।
