ହିତାଧିକାରୀଙ୍କ ସାମଗ୍ରିକ ଆର୍ଥିକ ସଶକ୍ତିକରଣକୁ ଗୁରୁତ୍ୱ
ଭୁବନେଶ୍ୱର,୦୧/୦୮/୨୦୨୫ (ଓଡ଼ିଶା ସମାଚାର)- ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ‘ସୁଭଦ୍ରା’ ରାଜ୍ୟସ୍ତରୀୟ ପରିଚାଳନା ଓ ତଦାରଖ କମିଟି ବୈଠକ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ସୁଭଦ୍ରା ଯୋଜନାର ପ୍ରଭାବୀ କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା ଓ ତଦାରଖ କରିବା ସହ ଯୋଜନାର ଆଗାମୀ କାର୍ଯ୍ୟାନ୍ୱୟନ ଉପରେ ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ । ସୁଭଦ୍ରା ହିତାଧିକାରୀମାନେ ସରକାରଙ୍କ ଅନ୍ୟ ବିଭିନ୍ନ ଯୋଜନାରୁ ଲାଭ ଉଠାଇ କିରି ସାମଗ୍ରିକ ଆର୍ଥିକ ସଶକ୍ତିକରଣ ହୋଇପାରିବେ ସେ ସଂପର୍କରେ ଶ୍ରୀ ଆହୁଜା ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ନିର୍ଦ୍ଧେଶିକା ମୋନିଷା ବାନାର୍ଜୀ ସୁଭଦ୍ରା କାର୍ଯ୍ୟକାରିତା ସମ୍ବନ୍ଧରେ ବିସ୍ତୃତ ଉପସ୍ଥାପନ କରି ଯୋଜନାରେ ଅବଲମ୍ବନ କରାଯାଇଥିବା ଉତମ ଅଭ୍ୟାସ ଓ ଅଭିନବତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଏଯାବତ ସୁଭଦ୍ରାରେ ୧ କୋଟି ୯ ଲକ୍ଷ ୮୭ ହଜାର ୮୯୪ ଆବେଦନପତ୍ର ପ୍ରାପ୍ତ ହୋଇଛି । ୧ କୋଟି ୨ ଲକ୍ଷ ୮୦ ହଜାର ୯୨ଜଣ ହିତାଧିକାରୀ ସୁଭଦ୍ରାର ପ୍ରଥମ କିସ୍ତି ପାଇଥିବା ବେଳେ ୧ କୋଟି ୯୬ ହଜାର ୩୦୭ ଜଣ ଦ୍ୱିତୀୟ କିସ୍ତି ପାଇଛନ୍ତି ।
ପରିବାରରେ ୪ ଚକିଆ ଯାନ ଥିବା, ୨୧ ବୟସରୁ କମ ଓ ୬୦ ବୟସରୁ ଅଧିକ, ପରିବାର ରୋଜଗାର ୨.୫ ଲକ୍ଷରୁ ଅଧିକ, ସରକାରୀ ଚାକିରି କରିଥିବା ଅବା ପେନସନ୍ ପାଉଥିବା ପରିବାର ଓ ଏହି ଭଳି ବିଭିନ୍ନ ୧୫ଟି କାରଣରୁ ୫ ଲକ୍ଷ ୮୨ ହଜାର ୮୦୦ ଜଣ ମହିଳା ସୁଭଦ୍ରା ସହାୟତାରୁ ବାଦ୍ ପଡ଼ିଛନ୍ତି । ୨୦୨୫ – ୨୬ ଆର୍ଥôକ ବର୍ଷରେ ୬୦ ବୟସ ହୋଇଯାଇଥିବା ୯୩ ହଜାର ୭୯୨ ସୁଭଦ୍ରା ହିତାଧିକାରୀ ତୃତୀୟ କିସ୍ତିରୁ ବାଦ ପଡ଼ିଛନ୍ତି ବୋଲି ଏହି ବିଭାଗୀୟ ନିର୍ଦ୍ଧେଶିକା ସୂଚନା ଦେଇଛନ୍ତି ।
୬୦ ବର୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ତାଲିକାକୁ ବାର୍ଦ୍ଧକ୍ୟ ଭତାରେ ସାମିଲ କରିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ପ୍ରଦାନ କରିବା ପାଇଁ ଏହି ବୈଠକରେ ପ୍ରସ୍ତାବ ଦିଆଯାଇଛି । ଅପ୍ଟ ଆଉଟ କରିବାକୁ ଚାହୁଁଥିବା ହିତାଧିକାରୀମାନେ ସମ୍ପୃକ୍ତ ସିଡିପିଓ କାର୍ଯ୍ୟାଳୟରେ ଥିବା ହେଲ୍ପଡ଼େସ୍କରେ ଲଗ ଇନ କରି ଅପ୍ଟ ଆଉଟ କରିାରିବେ ବୋଲି ବିଭାଗୀୟ ନିର୍ଦ୍ଧେଶିକା ମୋନିଷା ବାନାର୍ଜୀ ସୂଚନା ଦେଇଛନ୍ତି । ଏହା ସହ ସୁଭଦ୍ରା ଯୋଜନା ସମ୍ବନ୍ଧୀୟ ଖର୍ଚ୍ଚ ବାବଦରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା ।
ମହିଳା ଓ ଶିଶୁ ବିକାଶ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ ଓ ଆଇଆଇଏମ୍ ସମ୍ବଲପୁରର ମିଳିତ ସହଭାଗିତାରେ ଆରମ୍ଭ ହୋଇଥିବା “ସୁଭଦ୍ରା ସମୀକ୍ଷା” କାର୍ଯ୍ୟକ୍ରମ ସମ୍ବନ୍ଧରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା ।ଏଯାବତ ମିଳିଥିବା ତଥ୍ୟର ମୂଲ୍ୟାୟନ ଅନୁଯାୟୀ ବହୁ ସଂଖ୍ୟାରେ ହିତାଧିକାରୀମାନେ ସୁଭଦ୍ରା ସହାୟତାକୁ ଉଦ୍ୟମିତା କ୍ଷେତ୍ରରେ ବିନିଯୋଗ କରୁଛନ୍ତି ବୋଲି ବୈଠକରେ ଉପସ୍ଥାପନ କରାଯାଇଥିଲା । ଅଭିଯୋଗ ଶୁଣାଣି ପ୍ରକ୍ରିୟାରେ ସୁଭଦ୍ରା ପୋର୍ଟାଲରେ ଏଯାବତ ୩ ଲକ୍ଷ ୫୧ ହଜାର ୪୯୨ ଅଭିଯୋଗ ମଧ୍ୟରୁ ୧ ଲକ୍ଷ ୮୩ ହଜାର ୬୮୧ ଅଭିଯୋଗର ସମାଧାନ ହୋଇପାରିଛି ।
କେବଳ ମହିଳାମାନଙ୍କ ଦ୍ୱାରା ଚାଲୁଥିବା “କୁହ ସୁଭଦ୍ରା” ଅଭିଯୋଗ ସମାଧାନ କେନ୍ଦ୍ରରେ ଏଯାବତ ଏକ ଦିନରେ ହାରାହାରି ୨୦ ହଜାରରୁ ଅଧିକ କଲ ଗ୍ରହଣ କରାଯାଇ ସେମାନଙ୍କ ଉତର ଦିଆଯାଇଥିବା ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଉଲ୍ଲେଖ କରିଥିଲେ । ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ତଥା କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
