ଭୁବନେଶ୍ୱର,୦୧/୦୮/୨୦୨୫ (ଓଡ଼ିଶା ସମାଚାର)- ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀ ଶରଧାବାଲିରେ ଦଳାଚକଟା ଘଟଣା ଘଟିଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉନ୍ନୟନ କମିଶନର ଅନୁ ଗର୍ଗ ରିପୋର୍ଟ ଦାଖଲ କରିଛନ୍ତି ।
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଉନ୍ନୟନ କମିଶନର ଅନୁ ଗର୍ଗ ଏହି ରିପୋର୍ଟ ଦାଖଲ କରିଛନ୍ତି । ତଦନ୍ତ ରିପୋର୍ଟ ମିଳିଥିବା ବେଳେ ଏବେ କ’ଣ କାର୍ଯ୍ୟାନୁଷ୍ଠାନ ନେବେ ସରକାର ସେନେଇ ଚିନ୍ତା କରିବେ ।
ପୁରୀର ଶରଧାବାଲିରେ ଗତମାସ ୨୯ ତାରିଖ (ରବିବାର) ଦିନ ଭୋର୍ ସମୟରେ ଦଳାଚକଟା ଘଟଣା ଘଟିଥିଲା । ଏହି ଅଘଟଣ ଯୋଗୁଁ ତିନି ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିଲା । ଆହୁରି ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରି ପୁରୀ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । ଉନ୍ନୟନ କମିସଶନରଙ୍କ ନେତୃତ୍ୱରେ ତଦନ୍ତ ପାଇଁ ଗଠନ କରାଯାଇଥିବା ଏହି କମିଟିରେ ୪ ଜଣ ଓଏଏସ୍ ଅଧିକାରୀଙ୍କୁ ସାମିଲ କରାଯାଇଥିଲା ।
ରାଜ୍ୟ ସରକାର ମାନସ ରଂଜନ ସାମଲ, ବିନୟ କୁମାର ଦାଶ, ରଶ୍ମୀ ରଂଜନ ନାୟକ ଓ ପ୍ରଦୀପ କୁମାର ସାହୁଙ୍କୁ ତଦନ୍ତକାରୀ ଟିମ୍ ରେ ସାମିଲ କରିଥିଲେ । ଏହି ୪ଜଣ ଜଣ ଓଏଏସ୍ ଅଧିକାରୀ ପ୍ରତିଦିନ ଉନ୍ନୟନ କମିଶନରଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅପରାହ୍ଣ ୩ଟାରୁ ୫ଟା ଯାଏଁ ତଦନ୍ତ ପାଇଁ ସମୟ ଦେବେ ବୋଲି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଧେଶନାମା ଜାରି କରାଯାଇଥିଲା । ଏହି ଘଟଣା ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟାର୍ଗେଟ କରିଥିଲେ ।
