ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଙ୍କ ଦ୍ଵାରା ଜିଲ୍ଲା ର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ

ଜଗତସିଂହପୁର, ୩୧/୦୭/୨୦୨୫ (ଓଡ଼ିଶା ସମାଚାର)- ଆଜି  ଅପରାହ୍ନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲା ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିଥିଲେ। ‘କୌଣସି କାର୍ଯ୍ୟକ୍ରମ ର ସଫଳ ରୂପାୟନ ନିମନ୍ତେ ସଠିକ୍ ଯୋଜନା, ନୂତନ ତଥା ଉନ୍ନତ ଚିନ୍ତାଧାରା ର ବିଶ୍ଳେଷଣ ଏବଂ ସର୍ବୋପରି ପ୍ରତ୍ୟେକ ସ୍ତର ର କାର୍ଯ୍ୟକର୍ତ୍ତା ଙ୍କ ମଧ୍ୟରେ ସଠିକ୍ ସମନ୍ଵୟ ନିତାନ୍ତ ଆବଶ୍ୟକ ‘, ଏପରି ଏକ ସକାରାତ୍ମକ ଅଭିବ୍ୟକ୍ତି ସହ ଶ୍ରୀମତୀ ପାଢ଼ୀ ଜିଲ୍ଲା ର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସମ୍ବୋଧନ କରି ଆଜିର ସମୀକ୍ଷା ବୈଠକ ଆରମ୍ଭ କରିଥିଲେ।

ଗତ କାଲିଠାରୁ ଜିଲ୍ଲା ଗସ୍ତ ରେ ଆସି ବିଭିନ୍ନ ପଞ୍ଚାୟତ, ପୌରାଞ୍ଚଳ ତଥା ଅନୁଷ୍ଠାନ ପରିଦର୍ଶନ କରି ହିତାଧୀକାରୀ ଏବଂ ଅଧିବାସୀ ମାନଙ୍କ ଠାରୁ ଶୁଣିଥିବା ସମସ୍ୟା କୁ ଗୋଟି ଗୋଟି କରି ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ। ପ୍ରଥମେ ଏଲ ଡି ଏମ, ବ୍ୟାଙ୍କ ଙ୍କୁ ମହିଳା ଏଣ୍ଟରପ୍ରିନିଉଅର୍ ମାନଙ୍କୁ ସୁବିଧା ରେ ଋଣ ଯୋଗାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ। ଏସ ଏଚ ଜି ଗ୍ରୁପ ବ୍ୟତୀତ ବ୍ୟକ୍ତିଗତ ଭାବେ ଯେଉଁମାନେ ଖୁବ୍ ଭଲ କାମ କରୁଛନ୍ତି, ସେପରି ମହିଳା ମାନଙ୍କୁ ନିଜସ୍ୱ ଅନୁଷ୍ଠାନ ଗଢ଼ିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମ ରେ ଲୋନ, ସବସିଡି ଆଦି ଯୋଗାଇ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହିପରି ମହିଳା ମାନଙ୍କୁ ଚିହ୍ନଟ କରି ଗୋପାଳନ, ମତ୍ସ୍ୟଚାଷ, ପରିବା ଚାଷ ଆଦି ଲାଭଜନକ ବ୍ୟବସାୟ ପ୍ରତିଷ୍ଠାନ ନିମନ୍ତେ ସହାୟତା ଯୋଗାଇବ ପାଇଁ ଡି ପି ସି ମିଶନ ଶକ୍ତି, ଡି ପି ଏମ ଓ ଏଲ୍ ଏମ ଙ୍କୁ ଉପଦେଶ ଦେଇଥିଲେ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇବା, ଅମୃତ ମିଶନ, ପାନୀୟ ଜଳ ଯୋଗାଣ ସମସ୍ୟା ଓ ନିରାକରଣ, କୃଷି, ଉଦ୍ୟାନ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଶକ୍ତି ବିଭାଗ, ସାମାଜିକ ସୁରକ୍ଷା, ଏସ ସି,ଏସ ଟି ଉନ୍ନତିକରଣ ଉପରେ ବିଷଦ ଆଲୋଚନା ହୋଇଥିଲା।

ଜିଲ୍ଲା ରେ ଉପଲବ୍ଧ ସରକାରୀ ଜମି ର ସଦୁପଯୋଗ କରି ମଲ୍ଟି  ଷ୍ଟରେଡ ବିଲ୍ଡିଂ ତିଆରି ସହ ରାଜସ୍ବ ଆଦାୟ ତଥା ରୋଜଗାର ସୃଷ୍ଟି ପାଇଁ ଅଭିନବ ଉପାୟ ଅବଲମ୍ବନ କରିବା କୁ ଉପଦେଶ ଦେଇଥିଲେ। ଶିକ୍ଷା କ୍ଷେତ୍ର ରେ ଜଗତସିଂହପୁର ଜିଲ୍ଲା ର ଉତ୍ତମ ପ୍ରଦର୍ଶନ କୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଆହୁରି ଉନ୍ନତି କରିବା ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପୌର ଅଞ୍ଚଳର ଆବଶ୍ୟକତା କୁ ବୁଝି ଉପଯୁକ୍ତ ପଦକ୍ଷେପ ନେବା ସହ ସମସ୍ୟା ର ସମାଧାନ କରିବା ପାଇଁ ଦୁଇ ପୌର ପରିଷଦର ନିର୍ବାହୀ ଅଧିକାରୀ ଙ୍କୁ ଉପଦେଶ ଦେଇଥିଲେ।

ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜିଲ୍ଲା ର ବିଭିନ୍ନ ସମସ୍ୟା ସମ୍ପର୍କରେ ଶ୍ରୀମତୀ ପାଢ଼ୀ ଙ୍କୁ ଅବଗତ କରାଇବା ସହ ଉନ୍ନତିମୂଳକ କାର୍ଯ୍ୟ ର ରୂପରେଖ କହିଥିଲେ। ସମସ୍ତ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ନୂତନ ପଦକ୍ଷେପ ଗ୍ରହଣ ସହ ସରକାର ଙ୍କ ଯୋଜନା କୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବାକୁ ପ୍ରମୁଖ ସଚିବ ଜିଲ୍ଲାପାଳ ଙ୍କୁ ପରମର୍ଶ ଦେଇଥିଲେ। ସର୍ବୋପରି ଜିଲ୍ଲା ରେ ନୂତନ ରୋଜଗାର ସଂଭାବନା ସୃଷ୍ଟି କରିବା, ଦକ୍ଷତା ବିକାଶ କୁ ପ୍ରୋତ୍ସାହନ, ନକାରାତ୍ମକ ପରିସ୍ଥିତି , ମାନବ ସମ୍ବଳ ର ଅଭାବ ସତ୍ତ୍ୱେ ମଧ୍ୟ ଉନ୍ନତିମୂଳକ କାର୍ଯ୍ୟ କୁ ଫଳପ୍ରଦ କରିବା ପାଇଁ ମାର୍ଗଦର୍ଶନ କରିଥିଲେ ଶ୍ରୀମତୀ ପାଢ଼ୀ।ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା,ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠି ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷତ୍ରିୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

ଆଜି ପୂର୍ବାହ୍ନ ରେ ଶ୍ରୀମତୀ ଉଷା ପାଢ଼ୀ ପାରାଦ୍ଵୀପ ପୌରାଞ୍ଚଳ ବୁଲି ଲୋକ ମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା ମାଧ୍ୟମ ରେ ସୁବିଧା ଅସୁବିଧା ପଚାରି ବୁଝିଥିଲେ।

ଭୂତମୁଣ୍ଡାଇ ଟ୍ରକ ଟର୍ମିନାଲ ବୁଲି ଏହାର ଉନ୍ନୟନ ବିଷୟରେ ଆଲୋଚନା କରିଥିଲେ। ସମୀକ୍ଷା ବୈଠକ ପରେ ଯୋଗଧାରି ଠାରେ ନୂତନ ଭାବେ ହେଉଥିବା ବସ ଷ୍ଟାଣ୍ଡ ବୁଲି ଦେଖିଥିଲେ।

Leave a Reply

Your email address will not be published. Required fields are marked *