ଫୁଲନଖରା ୩୧/୦୩/୨୦୨୪ (ଓଡ଼ିଶା ସମାଚାର)-ପାହାଳ ଥାନା ଅନ୍ତର୍ଗତ ଜୟର ଶାସନ ସ୍ଥିତ ବଟେଶ୍ବର ମହାଦେବଙ୍କ ନିକଟରେ ୧୯୬୮ ମସିହାରୁ ହୋଇ ଆସୁଥିବା ପଞ୍ଚବଟୀ ଦୋଳ ମେଲଣ ଶାନ୍ତି ଶୃଙ୍ଖଳା ସହିତ ଉଦଯାପିତ ହୋଇଯାଇଛି । ଦୋଳ ପୂର୍ଣ୍ଣମୀର ୫ ଦିନରେ ଏବଂ ଏହି ମେଳଣରେ ମୋଟ ୫ ଟି ଦୋଳ ଯୋଗଦେଉ ଥିବାରୁ ମେଲଣର ନାମ “ପଞ୍ଚବଟୀ ମେଲଣ” ନାମ କରଣ କରାଯାଇଛି । ଫାଲଗୁନ କୃଷ୍ଣ ଚତୁର୍ଥୀ ଅର୍ଥାତ ୨୯ ତାରିଖ ରାତିରେ ଜୟର ଶାସନ ଗ୍ରାମର ବଟେଶ୍ବର ମହାଦେବ, ଗୁଆଳି ଗ୍ରାମର ଗୋପୀନାଥ ଦେବ, ଜଗନ୍ନାଥ ପୁର ଗ୍ରାମର ଗୋପୀନାଥ ଦେବ, ଗୋହଳ ଗ୍ରାମର ମଦନମୋହନ ଦେବ , ଚାରିଘରିଆ ଗ୍ରାମର ରାଧାକାନ୍ତ ଦେବ ଙ୍କ ସୁସଜ୍ଜିତ ବିମାନ ନିଜ ନିଜର ଗ୍ରାମରୁ ଶୋଭାଯାତ୍ରାରେ ବାହାରି ତ୍ରିନାଥ ବଜାର ଠାରେ ଏକତ୍ରିତ ହୋଇଥିଲେ । ରାତ୍ର ୨ ଘଟିକା ଠାରୁ ସକଳ ୬ ଘଟିକା ପର୍ଯ୍ୟନ୍ତ ନିଆଳି ମାଧବ ରାସ୍ତାରେ ବାଜା ବାଣ ରୋଷଣୀ କରି ପଞ୍ଚବଟୀ ବଜାର ନିକଟସ୍ଥ ବଟେଶ୍ବର ମହାଦେବ ମନ୍ଦିର ନିକଟରେ ପହଞ୍ଚିଥିଲେ । ଦିନ ତମାମ ଠାକୁରଙ୍କ ନୀତି କାନ୍ତି ହେବାପରେ ଅପରାହ୍ନରେ ଓଡ଼ିଶୀ ସଙ୍କୀର୍ତ୍ତନ ଆରମ୍ଭ ହୋଇ ରାତି ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ବଟେଶ୍ବର ମହାଦେବ ଙ୍କ ଠାରୁ ଭୋଗ ହାଣ୍ଡି ପାଇବା ପରେ ଆତସବାଜି ପ୍ରଦର୍ଶନ କରାଯାଇ ମେଳଣ ଶେଷ ହୋଇଥିଲା । ଏହି ମେଳଣ ବରା ମାଂସ ପାଇଁ ପ୍ରସିଦ୍ଧି ଲାଭ କରିଅଛି । ସେଥିପାଇଁ ଦୂରଦୂରାନ୍ତରୁ ବହୁ ସଂଖ୍ୟାରେ ଲୋକ ଏହି ମେଲଣ କୁ ଆସିଥାନ୍ତି । ମୀନା ବଜାର ସାଙ୍ଗକୁ ଚଳିତ ବର୍ଷ ଏଠାରେ ବିଭିନ୍ନ ପ୍ରକାର ଘରକରଣା ଜିନିଷ କିଣାବିକା ହୋଇଥିଲା । ଲୋକମାନଙ୍କ ଭିଡ ନିୟନ୍ତ୍ରଣ କରିବା ପାଇଁ ପଞ୍ଚବଟୀ ଦୋଳ ମେଲଣ ଶାନ୍ତି କମିଟି ଓ ପାହାଳ ଥାନା ପକ୍ଷରୁ ଫୋର୍ସ ମୁତୟନ କରାଯାଇଥିଲା ।