ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ: ସମାଧାନ ୯୧ ପ୍ରତିଶତ, ଲୋକଙ୍କ ସୁଖଦୁଃଖରେ ଅଛନ୍ତି ‘ଲୋକଙ୍କ ସରକାର’

ଲୋକଙ୍କ ସହିତ ଅଛନ୍ତି ‘ଲୋକଙ୍କ ସରକାର’ – ୩ ଅଭିଯୋଗ ବାବଦରେ ଦେଢ଼ଲକ୍ଷ ସହାୟତା – ଅନ୍ୟ ଜାଗାରେ ମଧ୍ୟ ଅଭିଯୋଗ ଶୁଣିବେ ସରକାର – ମନ୍ତ୍ରୀମଣ୍ଡଳର ୯ ମନ୍ତ୍ରୀ ବି ଶୁଣିଲେ ଅଭିଯୋଗ – ଦ୍ୱାଦଶ ପାଳି ସୁଦ୍ଧା ୯୧% ଅଭିଯୋଗର ସମାଧାନ – ସିଙ୍ଗିଲ୍ ୱିଣ୍ଡୋରେ ୫୧ଙ୍କୁ ମିଳିଛି ୫୫ ଲକ୍ଷ ଟଙ୍କା -ପ୍ରଥମେ ଦିବ୍ୟାଙ୍ଗଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରାୟ ୯୧ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି । ସୋମବାର ୩ ଅଭିଯୋଗ ବାବଦରେ ଦେଢ ଲକ୍ଷର ସହାୟତା ପ୍ରଦାନ ହୋଇଛି । ରାଜଧାନୀରୁ ଦୂରକୁ ଯାଇ ଶୁଣାଣି ବ୍ୟବସ୍ଥା କରୁଛନ୍ତି ସରକାର । ଅନ୍ୟ ଜାଗାରେ ମଧ୍ୟ ଅଭିଯୋଗ ଶୁଣିବେ ବୋଲି କହିଛନ୍ତି ମନ୍ତ୍ରୀ ବିଭୂତି ଜେନା ।

ସୂଚନା ଥାଉକି, ଆଜି ଭୁବନେଶ୍ୱର ୟୁନିଟ- ୨, ଅଶୋକ ନଗର ସ୍ଥିତ ପୂର୍ବ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଭିଯୋଗ ଶୁଣାଣି ସ୍ଥଳରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଥିଲା ।

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ପ୍ରତ୍ୟକ୍ଷ ଭାବେ ଭେଟି, ନିଜର ସମସ୍ୟା ଶୁଣାଇ ଆତ୍ମସନ୍ତୋଷର ସହ ଲୋକମାନେ ଫେରୁଥାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ଭରା କଥା ଅଭିଯୋଗ ନେଇ ଆସିଥିବା ଲୋକମାନଙ୍କୁ ଗଭୀର ଭାବେ ପ୍ରଭାବିତ କରୁଥିଲା ଏବଂ ସୁଶାସନର ଅନୁଭୂତି ସେମାନଙ୍କ ଆଖିରେ ଝଲସି ଉଠୁଥିଲା । ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୁରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାନ୍ଠିରୁ ତୁରନ୍ତ ଚିକିତ୍ସାସହାୟତା ଯୋଗାଇ ଦିଆଯାଉଛି ।

ଏଥି ନିମନ୍ତେ ବରିଷ୍ଠ ଡାକ୍ତରୀ ଟିମ୍ ମଧ୍ୟ ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହୁଛନ୍ତି । ଆଜି ଏହି ସିଷ୍ଟମରେ ଚିକିତ୍ସା ଖର୍ଚ୍ଚ ବାବଦକୁ ୩ଜଣଙ୍କୁ ଚିକିତ୍ସା ସହାୟତା ରାଶି ଯୋଗାଇ ଦିଆଯାଇଛି । ଚଳିତ ବର୍ଷ ଆରମ୍ଭରୁ ଆଜି ସୁଦ୍ଧା ସିଙ୍ଗିଲ ୱିଣ୍ଡୋ ସିଷ୍ଟମରେ ୫୧ ଜଣଙ୍କୁ ୫୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଦ୍ୱାଦଶ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୧,୫୧୬ଟି ଅଭିଯୋଗ ମଧ୍ୟରୁ ୧୦,୫୦୨ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା ୯୧ ପ୍ରତିଶତ ଅଟେ । ବକେୟା ଅଭିଯୋଗ ଗୁଡ଼ିକ ପ୍ରୋସେସରେ ରହିଛି । ୯ଜଣ ମନ୍ତ୍ରୀ ଶୁଣାଣିରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *