କେନ୍ଦ୍ରାପଡ଼ା,୨୮/୦୭/୨୦୨୫(ଓଡ଼ିଶା ସମାଚାର)- ପବିତ୍ର ଶ୍ରାବଣ ମାସରେ ସବୁଆଡ଼େ ଶିବଭକ୍ତ ମାନଙ୍କ ଭିଡ । ମାନସିକ ମନାସି ଶିବଭକ୍ତ ମାନେ ଦୂରଦୂରାନ୍ତକୁ ପାଣି ଭାର ନେଇ ଯାତ୍ରା କରୁଛନ୍ତି । ଭକ୍ତିର ଏହି ଆଧ୍ୟାତ୍ମିକ ଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ଗାଁର କୁନିକୁନି ପିଲାମାନେ । କାନ୍ଧରେ ପାଣି ଭାର ବୋହି ଏହି କୁନି କାଉଡିଆ ମାନେ ପ୍ରାୟ ୧୫ କିଲୋମିଟର ପଥ ଅତିକ୍ରାନ୍ତ କରିଥିଲେ ।
ତେବେ ପିଲାମାନଙ୍କ ଶା୍ରବଣ ଯାତ୍ରା ଆରମ୍ଭ ହୋଇଥିଲା ଗଣ୍ଡା ଖିଆ ମଣି ମନ୍ଦିରରୁ । ମଣି ମନ୍ଦିରରେ ପୂଜାର୍ଚନା କରି ଗୋବରୀ ନଦୀରୁ ପାଣି ଉଠାଇଥିଲେ ଏମାନେ ।
ପରେ ପରେ ଶିବ ନାମ ଜପିଜପି ଯାତ୍ରା ଆରମ୍ଭ କରିଥିଲେ । ଏହି କୁନି କାଉଡିଆ ମାନେ ନରଣପୁର, ମଧୁରକୂଳ, କେଉଟଗଡ ଓ ବାଲିଗୋଠ ଗାଁ ଅତିକ୍ରମ କରି ଆୟବା ଗ୍ରାମରେ ପହଥିଲେ । ସେଠାରେ ପହଂଚି କାଉଡିଆ ମାନେ ବାବା ସ୍ୱପ୍ନେଶ୍ୱର ମହାଦେବଙ୍କର ଜଳାଭିଷେକ କରିଥିଲେ ।
ଏହି ଆଧ୍ୟାତ୍ମିକ ଯାତ୍ରାରେ ପ୍ରାୟ ୬୦ ଜଣ ଶ୍ରଦ୍ଧାଳୁ ଓ ସେମାନଙ୍କ ଅଭିଭାବକ ମାନେ ଯୋଗଦେଇଥିଲେ । ସମାଜସେବୀ ବିରେନ୍ଦ୍ର ଦାସ, କାର୍ତିକ ପରିଡା, ବିମଳ ସାହୁ, ସୁରେଶ ସ୍ୱାଇଁ, ଶରତ ସ୍ୱାଇଁ, ହେମନ୍ତ ସୁତାର, ଅନନ୍ତ ଜେନା, ସରୋଜକାନ୍ତ ପାଣି, ଅଯୋଧ୍ୟା ବିଶ୍ୱାଳ, ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
