ଅବହେଳିତ ନିଶାର ଫାର୍ମ

ଲକ୍ଷ୍ମୀପୁର,୨୮/୦୭/୨୫(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ନିଶାର ଗ୍ରାମ ପାଖ ରେଳ ରାସ୍ତା କଡରେ ୪୦ ଏକର ଜାଗାରେ ଥିବା ଉଦ୍ୟାନ ବିଭାଗର ଫାର୍ମ ଅବହେଳିତ ରୂପେ ପଡି ରହିଛି। ୮୦ ଦଶକରେ ଉକ୍ତ ଫାର୍ମର ଅବସ୍ଥା ଓ ବର୍ତମାନର ଅବସ୍ଥା ମଧ୍ୟରେ ଆକାଶ ପାତାଳ ଫରକ ଦେଖା ଦେଇଛି।ସେଇ ସମୟରେ ଫାର୍ମର ପ୍ରାକୃତିକ ସୌନ୍ଧର୍ଯ୍ୟକରଣ କୁ ନେଇ ଲୋକଙ୍କ ଗହଳି ଚହଳି ଲାଗି ରହୁଥିଲା।

ଏବେ ଫାର୍ମ ଭିତରେ ଭୋଜିଭାତର ଆୟୋଜନ ପାଇଁ ଗହଳି ହେଉଛି। ଏହି ଫାର୍ମ ଅବହେଳିତ ରୂପେ ରହି ବି ବିଭିନ୍ନ ପ୍ରକାରର ଚାରା ପ୍ରସ୍ତୁତ କରାଯାଇ ଜିଲ୍ଲା ବାହାରକୁ ପାଠ ଯାଉଛି। ଖାସ କରି ଏଠି ଆମ୍ବ, ତେଜ ପତ୍ର, ଲିଚୁ, ପିଜୁଳି, ଗୋଲ ମରିଚ, ପଣସ, ଗେଣ୍ଡୁ ଚାରା ପ୍ରସ୍ତୁତ ହେଉଥିବା ବେଳେ ବର୍ଷକୁ ଷାଠିଏରୁ ସତୁରି ହଜାର ଆମ୍ବ ଚାରା, ଦଶରୁ ପନ୍ଦର ହଜାର ପଣସ ଚାରା, ଦୁଇ ହଜାର ଲିଚୁ ଓ ତେଜ ପତ୍ର ଚାରା ବାହାର ଜିଲ୍ଲାକୁ ରପ୍ତାନି ହୁଏ।

ହେଲେ ସବୁ କ୍ଷେତ୍ରରେ ଚାଷ ପାଇଁ ପାଣି ସମସ୍ୟା ରହିଥିବାରୁ ପନ୍ଦର ଏକର ଜମି ଏବେ ଶୁଖିଲା ପଡିଛି।ଏଥି ସହ ଫାର୍ମ ପାଖକୁ ଯିବା ପାଇଁ ରାସ୍ତା ର ସୁବିଧା ସହିତ କର୍ମଚାରୀଙ୍କ ରହିଵା ପାଇଁ କୌଣସି ସୁବିଧା ନଥିବାରୁ ପୁରୁଣା ଘରେ ରହି ସମସ୍ତ କାମ ଚାଲିଛି। ସେହି ପରି ବର୍ଷ ସାରା ଭୋଜି ଭାତ ପାଇଁ ଅଞ୍ଚଳର ବିଭିନ୍ନ ସରକାରୀ ଓ ବେସରକାରୀ ଲୋକଙ୍କ ସୁଅ ଛୁଟୁଥିବା ବେଳେ ଭିତରେ ବି ସେମିତି କିଛି ସୁବିଧା ନାହିଁ।ଲକ୍ଷ୍ମୀପୁର କୋଡୀଙ୍ଗା ମାଳି ପାହାଡରୁ ଖଣି ଉତ୍ତୋଳନ କରି ଓଡିଶା ଖଣି ନିଗମ ଲାଭବାନ ହେଉଥିବା ବେଳେ ଖଣି ପ୍ରଭାବିତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଏହି ବିଭାଗ ପ୍ରତି କାହାରି ନଜର ଯାଉନି।ତେଣୁ ସର୍ବ ସାଧାରଣ ଙ୍କ ନିମନ୍ତେ ଉଦ୍ୟାନ ବିଭାଗର ଏହି ଫାର୍ମ ନିଜକୁ ଜଳାଞ୍ଜଳି ଦେଇ ଆସୁଥିବା ବେଳେ ସେଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ଥିବା ସମସ୍ତ ସୁବିଧା ଯୋଗାଇ ଦେବାକୁ ସବୁ ମହଲରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *