ଭୁବନେଶ୍ୱର,୨୮/୦୭/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସେଂଟର ଫର ପୋଷ୍ଟ ଗ୍ରାଜୁଏଟ ଷ୍ଟଡ଼ିଜ (ସିପିଜିଏସ୍)ଠାରେ ଅନୁଷ୍ଠାନର ଏସଏସଜି କର୍ମକର୍ତାଙ୍କ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀଯୁକ୍ତ ପ୍ରଭାତ କୁମାର ରାଉଳ ଏହି ଶିବିରକୁ ଉଦଘାଟନ କରିଥିଲେ ।
ଅନୁଷ୍ଠାନର ସ୍ନାତକୋତର ଅଧ୍ୟକ୍ଷ ପ୍ରଫେସର ଚନ୍ଦ୍ରମଣି ପଣ୍ଡା, ଛାତ୍ର ମଙ୍ଗଳ ଅଧ୍ୟକ୍ଷ ପ୍ରଫେସର ସୁଷେଣ କୁମାର ପଣ୍ଡା, ଅବସରପ୍ରାପ୍ତ କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ଗୋପୀମୋହନ ପଟ୍ଟନାୟକ ଏବଂ ଅନ୍ୟ ଡିନ୍ /ଡାଇରେକ୍ଟରମାନେ ସଦୟ ଉପସ୍ଥିତ ରହିରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସିପିଜିଏସ୍ ପରିସରରେ ଥିବା ଏମସିଏ ହଲ୍-୧ରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ୪୦ରୁ ଅଧିକ ୟୁନିଟ୍ ରକ୍ତ ସଂଗୃହୀତ ହୋଇପାରିଥିଲା । ଏସଏସଜି କମିଟିର ଦାୟିତ୍ୱରେ ଥିବା ସହକାରୀ ଅଧ୍ୟାପିକା ଦେବସ୍ୱପ୍ନ ମିଶ୍ର ଏବଂ ରାଜଶ୍ରୀ, ଅମନ, ଝରଣା, ସମ୍ବିତ, ସୁମନ, ବାଦଲ ପ୍ରମୁଖ ଛାତ୍ରଛାତ୍ରୀ ଏହି ରକ୍ତଦାନ ଶିବିରକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।
