ନୂତନ ଜିଲାପାଳଙ୍କ ଗରଦପୁର ବ୍ଲକ୍ ଗସ୍ତ

ଗରଦପୁର, ୨୭/୦୭/୨୦୨୫ (ଓଡ଼ିଶା ସମାଚାର)-ଚାରିଦିନ ପୂର୍ବରୁ କେନ୍ଦ୍ରାପଡ଼ା ଜିଲାରେ ଯୋଗଜଦେଇଥିବା ନୂତନ ଜିଲାପାଳ ରଘୁରାମ ଆର ଆୟାର ଆଜି ରବିବାର ଛୁଟି ଦିନ ସତ୍ୱେ ଅଚାନକ ଭାବେ ପ୍ରଥମ ଥର ଗରଦପୁର ବ୍ଲକ୍ ଗସ୍ତ କରିଛନ୍ତି । ସାମ୍ପ୍ରତିକ ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ଜିଲାପାଳ ଶ୍ରୀ ରଘୁରାମ ଲୁଣା ନଦୀର ଆୟତପୁର ନଦୀ ବନ୍ଧ, ହୁରାସାହି ନଦୀ ବନ୍ଧ ବୁଲି ଦେଖିବା ସହ ଗରଦପୁର ବ୍ଲକ୍ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ ।

ଏହି ବୈଠକରେ ପାନୀୟ ଜଳ, ବିଦ୍ୟୁତ ବିଭାଗ , ଆରଡ଼ି, ଜଳ ସେଚନ , ପ୍ରାଣୀ ଚିକିତ୍ସା, କୃଷି, ଖାଦ୍ୟ ସୁରକ୍ଷା ବିଭାଗ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଆସନ୍ନ ବନ୍ୟା ପାଇଁ ବ୍ଲକ୍ ପ୍ରଶାସନ କେତେଦୂର ପ୍ରସ୍ତୁତ ହୋଇ ରହିଛନ୍ତି ସେ ସମ୍ପର୍କରେ ପଚାରି ବୁଝିଥିଲେ । ତାଙ୍କର ଏହି ଗସ୍ତ ସମୟରେ ଜିଲାପାଳଙ୍କ ସହିତ ଅତିରିକ୍ତ ଜିଲାପାଳ ରବିନ୍ଦ୍ର ନାଥ ମଲିକ, ଗରଦପୁର ବିଡ଼ିଓ ଆଲୋକ ରଂଜନ ସେଠୀ ଓ ତହସିଲଦାର ତୃପ୍ତି ଦାଶ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।


ପରେ ଅପରାହ୍ନରେ ଜିଲାପାଳ ଶ୍ରୀ ରଘୁରାମ ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦରେ ପହଂଚି ମେଡ଼ିକାଲ ର ବିଭିନ୍ନ ବ୍ୟବସ୍ଥା ବୁଲି ଦେଖିବା ସହିତ କାଗଜ ପତ୍ର ତନଖି କରିଥିଲେ । ଜିଲାପାଳ ଶ୍ରୀ ଆୟାର ପାଟକୁରା ମେଡ଼ିକାଲ ର ଆଉଟ ଡ଼ୋର, ଅଲଟ୍ରା ସାଉଣ୍ଡ ଗୃହ, ଜରୁରୀ କାଳିନ ବ୍ୟବସ୍ଥା , ଅସ୍ତ୍ରୋପଚାର ଗୃହ, ରୋଗୀ ରହୁଥିବା ଗୃହ ଓ ଲେବର ରୁମ ଓ ପରୀକ୍ଷା ଗାର ବୁଲି ଦେଖିବା ସହିତ ଅଫିସର କେତେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ତନଖି କରିଥିଲେ । ନୀରାମୟ ଔଷଧ ସମ୍ପର୍କରେ ଡ଼ାକ୍ତର ମାନଙ୍କ ଠାରୁ ପଚାରି ବୁଝିଥିଲେ । ମେଡ଼ିକାଲ ମଧ୍ୟରେ ନିର୍ମାଣ ହେଉଥିବା ଏକ ଅର୍ଦ୍ଧ ନିର୍ମିତ ତିନି ମହଲା ବିଶିଷ୍ଟ ଘର ବୁଲି ଦେଖିଥିଲେ ।

ଜିଲାପାଳ ଶ୍ରୀ ଆୟାର ଙ୍କ ଏହି ଗସ୍ତ ସମୟରେ ପାଟକୁରା ମେଡ଼ିକାଲ ର ଡ଼ାକ୍ତର ଅଭିଷେକ ନନ୍ଦି, ଡ଼ ଶଚି ମିଶ୍ର, ଡ଼ ସୋମେଶ , ଡ଼ ସିଦ୍ଧତ ସିଂ ଏବଂ ମେଡ଼ିକାଲ ର କର୍ମଚାରୀମାନେ ଉପସ୍ଥିତ ଥିଲେ । ଜିଲାପାଳ ଙ୍କ ସହିତ ଅତିରିକ୍ତ ଜିଲାପାଳ ରବିନ୍ଦ୍ର ନାଥ ମଲିକ , ଗରଦପୁର ବିଡ଼ିଓ ଆଲୋକ ରଂଜନ ସେଠୀ ଉପସ୍ଥିତ ଥିଲେ । ଜିଲାପାଳ ଶ୍ରୀ ଆୟାର ପାଟକୁରା ମେଡ଼ିକାଲ ର ପ୍ରସୂତି ବିଭାଗ ଭଳି ଅନ୍ୟ କେତେକ ବିଭାଗ ଦେଖି ସନ୍ତୋଷ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *