( ଆଜି ହେଉଛି ଚିତଉ ଅମାବାସ୍ୟା , ଓଡ଼ିଶାର ଘରେ ଘରେ ଚିତଉ ପିଠା )
ଓଡ଼ିଶାରେ ପାଳିତ ହେଉଥିବା ଅନେକ ଗଣପର୍ବ ମଧ୍ୟରେ ଗୋଟିଏ ହେଲା ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ଏହା ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ । ତିନିଠାକୁରଙ୍କ ଲଲାଟରେ ଦଇତାପତିମାନେ ଚିତା ଲାଗି କରୁଥିବାରୁ ଏହାର ନାମ ଚିତାଲାଗି ଅମାବାସ୍ୟା ହୋଇଛି ।
ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଧେଶ୍ୟରେ ଚିତଉ ପିଠା ତିଆରି କରି ଅର୍ପଣ କରାଯାଇଥାଏ । ଏହା ଓଡିଶାର ପଶୁଯନ୍ତୁ ପ୍ରତି ଭଲ ପାଇବାର ଉଦାହରଣ । ଏହି ପ୍ରଥା ଶବର ପରମ୍ପରାରୁ ଆସିଛି ବୋଲି କୁହାଯାଏ । ତେବେ ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ବକୁ “ଗେଣ୍ଡାକଟା ଅମାବାସ୍ୟା” କୁହାଯାଏ । ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀମାନଙ୍କ ମଧ୍ୟରେ ଜନ୍ତୁଆଦିଙ୍କୁ ସନ୍ତୁଷ୍ଟ କରିବା ଉଦ୍ଧେଶ୍ୟରେ ପାଳିତ ପର୍ବମାନଙ୍କ ମଧ୍ୟରେ ଗୋଟିଏ । ସାଧାରଣତଃ ଚାଷୀମାନେ ବର୍ଷା ଋତୁ ସମୟରେ ଧାନ ଫସଲ ପାଇଁ ବିଲକୁ ଯାଆନ୍ତି । ବିଲରେ ଗେଣ୍ଡାମାନଙ୍କ ଯୋଗୁଁ ଗୋଡ଼ କଟି କ୍ଷତି ହୋଇଥାଏ । ଏଣୁ ଏହି ଆଶଙ୍କାକୁ ଏଡ଼େଇବା ପାଇଁ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡାମାନଙ୍କ ଉଦ୍ଧେଶ୍ୟରେ ବିଭିନ୍ନ ଜଳାଶୟକୁ ପକାଯାଏ ।
ପାଳନ ବିଧି: ଜଗନ୍ନାଥ ମନ୍ଦିର – ସ୍ନାନ ପୂର୍ଣ୍ଣିମା ଦିନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଲଲାଟରୁ ଯେଉଁ ଚିତା କଢାଯାଇଥାଏ ତାହା ପୁଣି ଶ୍ରାବଣ ଅମାବାସ୍ୟା ଲାଗି କରାଯାଏ । ଶ୍ରୀ ଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳା ଚିତା, ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ନୀଳାଖଚିତ ନିଳ ଚିତା ଏବଂ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ନାଲି ଚିତା ଲାଗି କରାଯାଏ । ଉତର ଓଡ଼ିଶାରେ ଘରେ ଘରେ ଏହି ଓଷାରେ ଗୃହିଣୀମାନେ ଘରେ ଚିତଉ ପିଠା ପ୍ରସ୍ତୁତ କରି ଏହାକୁ ଧାନ କ୍ଷେତରେ, ବାଡ଼ିବଗିଚାରେ, ଫସଲ କିଆରିରେ ମାଟିକୁ ଜନନୀ ଜ୍ଞାନ କରି ତାଙ୍କ ପାଇଁ ସମର୍ପଣ କରି ପୋତନ୍ତି । ତା’ସହିତ ଠାକୁର ବା ଇଷ୍ଟଦେବତାଙ୍କୁ ମଧ୍ୟ ଭୋଗ କରନ୍ତି । ଏହାସହ ବିଲରେ ପ୍ରଚୁର ଗେଣ୍ଡା ଥିବାରୁ ଏମାନେ ଚାରା ସବୁକୁ କାଟି ପକାନ୍ତି । ପୁଣି ବଛା ଖେଳା ବେଳେ ଚାଷୀର ଗୋଡ଼, ହାତକୁ କାଟି ଦିଅନ୍ତି ।
ଏହି ଦୁଇଟିରୁ ରକ୍ଷା ପାଇବା ପାଇଁ ଗେଣ୍ଡାଙ୍କ ଉଦ୍ଧେଶ୍ୟରେ ଚିତଉପିଠା କରି ପୋଖରୀ ବା ଚାଷଜମିକୁ ପକାଯାଏ । ଗେଣ୍ଡାମାନେ ପିଠା ପ୍ରତି ଆକୃଷ୍ଟ ହୋଇ ଚାରାଗଛ ଓ ମଣିଷଠାରୁ ଦୂରେଇ ଯାଆନ୍ତି । ପରମ୍ପରା ଅନୁଯାୟୀ ଏହି ଦିନରେ ପୋଖରୀକୁ ଗେଣ୍ଡା ଉଦ୍ଧେଶ୍ୟରେ ଝିଅପିଲାମାନେ ପିଠା ନିକ୍ଷେପ କରି ବାପା, ଭାଇ ଓ ବନ୍ଧୁବାନ୍ଧବମାନଙ୍କ ଗୋଡ଼ ନ କାଟିବାକୁ ଗେଣ୍ଡାମାନଙ୍କ ଉଦ୍ଧେଶ୍ୟରେ କୁହନ୍ତି: “ଗେଣ୍ଡେଇଶୁଣିଲୋ ଗେଣ୍ଡେଇଶୁଣି ମୋ ଗୋଡ଼ କାଟିବୁ ନାହିଁ, ମୋ ବାପା ଗୋଡ଼ କାଟିବୁ ନାହିଁ, ମୋ ବୋଉ ଗୋଡ଼ କାଟିବୁ ନାହିଁ, ଭାଇ ଗୋଡ଼ କାଟିବୁ ନାହିଁ । ଆମ ଫସଲ କାଟିବୁ ନାହିଁ ।” ଏଥିପାଇଁ ଏହି ଓଷାରେ ଗେଣ୍ଡାଙ୍କୁ ଗେଣ୍ଡେଇଶୁଣୀ ନାମରେ ପୂଜା କରାଯାଇଥାଏ । ଏହି ବିଧି ପାଇଁ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଜିଲାରେ ଏହା ଗେଣ୍ଡାକଟା ଅମାବାସ୍ୟା ନାମରେ ଜଣାଶୁଣା ।
