ଗରଦପୁର ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ପାଟକୁରା,୨୧/୦୭/୨୦୨୫ (ଓଡ଼ିଶା ସମାଚାର)-ଆଜି ଗରଦପୁର ବ୍ଳକ ସଭାଗୃହରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସମୁଦାୟ ୭୪ ଗୋଟି ଅଭିଯୋଗ ଶିବିରରେ ଦାଖଲ କରାଯାଇଥିଲା । ସେଥି ମଧ୍ୟରୁ ୬୨ଗୋଟି ଅଭିଯୋଗ ବ୍ୟକ୍ତିଗତ ଥିବାବେଳେ ୧୨ଗୋଟି ଅଭିଯୋଗ ସାମୁହିକ ଥିଲା । ଏଡିଏମ ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଉପଜିଲ୍ଲାପାଳ ଅରୁଣକୁମାର ନାୟକ,ଅତିରିକ୍ତ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼:ସଚ୍ଚିଦାନନ୍ଦ ମିଶ୍ର, ଡେପୁଟି କଲେକ୍ଟର ତୃପ୍ତି ମହାନ୍ତି, ଗରଦପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଆଲୋକ କୁମାର ସେଠୀ ଓ ଗରଦପୁର ତହସିଲଦାର ତୃପ୍ତି ଦାଶ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁରେଶ କୁମାର ମଲ୍ଲିକ, ବ୍ଳକ କୃଷି ଅଧିକାରୀ ଡକ୍ଟର ଗୌତମ ଦାଶ ପ୍ରମୁଖ ଅଭିଯୋଗ ଗୁଡିକର ଶୁଣାଣି କରି ତୁରନ୍ତ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ ।

ଜିଲ୍ଲାର ଅନ୍ୟ ଅଧିକାରୀ ମାନେ ଅଭିଯୋଗ ଶୁଣାଣି ରେ ସହଯୋଗ କରିଥିଲେ । ଠିକାଦାରଙ୍କ ମନ୍ଥର ଗତି ପାଇଁ ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ନିର୍ମାଣଧୀନ ଗୃହ ଗୁଡିକ ଅଧାପନ୍ତରିଆ ହୋଇ ପଡି ରହିଥିବାରୁ ଅନେକ ଅସୁବିଧା ହେଉଛି । ତୁରନ୍ତ କାର୍ୟ୍ୟ ଶେଷ କରିବାକୁ ନବାବ ପଣ୍ଡା ନିବେଦନ କରିଥିଲେ । ଯମପଡା ଗ୍ରାମ ମଧ୍ୟରେ ବିଦ୍ୟୁତ ତାର କମ ଉଚତା ରେ ଝୁଲୁଥିବାରୁ ଏହା ବିପଦ ସୃଷ୍ଟି କରୁଛି ବୋଲି ବିଶ୍ୱଜିତ ପରିଡା, ଉମାକାନ୍ତ ବିଶ୍ୱାଳ ଅଭିଯୋଗ କରିଥିଲେ ।

କାମେଶ୍ୱର ପର୍ୟ୍ୟଟନ କ୍ଷେତ୍ରରେ ପାନ୍ଥ ନିବାସ, ରାସ୍ତା, ଶୌଚାଳୟ ଓ ଆଲୋକୀକରଣ କାର୍ୟ୍ୟ କରିବାପାଇଁ କାମେଶ୍ୱର ଚାରିଟେବୁଲ ଟ୍ରଷ୍ଟ ର ସଭାପତି ରମେଶ ଚନ୍ଦ୍ର ବେହେରା ନିବେଦନ କରିଥିଲେ । ବେଡାରୀ ଗ୍ରାମର ସମ୍ପୂର୍ଣ୍ଣ ଅନ୍ଧ ବାଳିକା ଗୀତାଞ୍ଜଳି ପୃଷ୍ଟିଙ୍କୁ ବର୍ଦ୍ଧିତ ଭତ୍ତା ୩୫୦୦ଟଙ୍କା ମିଳୁ ନଥିବାରୁ ସେ ଶିବିରରେ ଅଭିଯୋଗ କରିଥିଲେ । ସେହିପରି ଅଲାଭର ଗ୍ରାମର ଶାରୀରିକ ଅକ୍ଷମ ଦିଲ୍ଲୀପ କୁମାର ମହାନ୍ତି ଭତା ପଉନଥିବା ଅଭିଯୋଗ କରିଥିଲେ ।

୮୫ବର୍ଷୀୟା ଗୋବିନ୍ଦପୁର ଗ୍ରାମର ବୃଦ୍ଧ ଧ୍ରୁବ ଚରଣ ସାହୁ ଭତ୍ତା ଟଙ୍କା ଘରେ ପାଇବା ପାଇଁ ଅନୁରୋଧ କରିଥିଲେ । ଅବସର ପ୍ରାପ୍ତ କର୍ମଚାରୀ ସଂଘ ସମ୍ପାଦକ ନିରଞ୍ଜନ ପ୍ରଧାନ ବୃକ୍ଷ ରୋପଣ ପାଇଁ ସରକାରୀ ଅନୁମତି ନିମନ୍ତେ ନିବେଦନ କରିଥିଲେ । ଗରଦପୁର ବ୍ଳକ ହରିଦାସପୁର ନାଗମଣୀ ହାଇସ୍କୁଲର ସଂସ୍କୃତ ଶିକ୍ଷକ ଙ୍କୁ ଡେପୁଟେସନରେ ମାର୍ଶାଘାଇ ବ୍ଳକ ଅଞ୍ଚଳକୁ ପଠା ଯାଇଛି ଏଣୁ ଶିକ୍ଷା ଦାନରେ ବାଧା ଉପୁଜୁଛି । ତାଙ୍କ ଅର୍ଡର କୁ ଖାରଜ କରିବା ପାଇଁ ଚିତ୍ତରଞ୍ଜନ ଚୌଧୁରୀଙ୍କ ସମେତ ଗ୍ରାମବାସୀମାନେ ଆପତ୍ତି କରିଛନ୍ତି ।

ହରିଦାସପୁର ଗ୍ରାମର ଜ୍ୟୋତି ରଞ୍ଜନ ପରିଡା ଙ୍କୁ କେତକ ଦୁର୍ବୃତ୍ତ ଗାଁ ପାଖ ନଦୀବନ୍ଧ ପାଖରେ ବିଭତ୍ସ ଭାବେ ଛୁରା ମାଡ଼ କାରି ହତ୍ୟା କରିଥିଲେ ମଧ୍ୟ ସେମାନଙ୍କୁ ଗିରଫ କରାଯାଇନି ବୋଲି ମୃତକଙ୍କ ଭାଇ ରଶ୍ମିରଂଜନ ପରିଡା ଅଭିଯୋଗ କରି ତୁରନ୍ତ କାର୍ୟ୍ୟାନୁଷ୍ଠାନ ଦାବି କରିଥିଲେ । ପଣ୍ଡିଆ ପହଣା ଗ୍ରାମର ମୂଳି ଭୋଇ ଙ୍କୁ ତାଙ୍କ ଡ଼ିହ ବାଡ଼ି ପଟା ଗରଦପୁର ତହସିଲ ରୁ ମିଳିନି ବୋଲି ସେ ଅଭିଯୋଗ କରିଥିଲେ । ଅନେକ ଲୋକ ବାର୍ଦ୍ଧକ୍ୟ ଭତ୍ତା, ରେସନ କାର୍ଡ, ଆବାସ ଯୋଜନାରେ ଗୃହ ପାଇବା ପାଇଁ ଆବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *