କଟକ ୨୭/୦୬/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା) ଓଡ଼ିଆ ଚଳଚିତ୍ର ଜଗତର ଖ୍ୟାତନାମା ସିନେମାଟୋଗ୍ରାଫର ଦିଲ୍ଲୀପ ରାୟଙ୍କ ପରଲୋକ ଘଟିଛି। ଶୁକ୍ରବାର ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଶୁକ୍ରବାର ଚଳଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ମଞ୍ଚରେ ତାଙ୍କ ନାଁ ଘୋଷଣା ହୋଇଥିଲା କିନ୍ତୁ ସେ ଅନୁପସ୍ଥିତ ରହିଥିଲେ । ଉତ୍ସବ ସରିବାର କିଛି ସମୟ ମଧ୍ୟରେ ଖବର ଆସି ପହଞ୍ଚିଥିଲା କି ରାତି ପ୍ରାୟ ସାଢ଼େ ୯ଟା ସମୟରେ ସେ ଅଫେରା ରାଇଜକୁ ଚାଲିଯାଇଛନ୍ତି ।
ଏହି ଖବର ପରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ତାଙ୍କର ପତ୍ନୀ ଓ ୩ କନ୍ୟା ଅଛନ୍ତି। ତାଙ୍କର ଶେଷ କୃତ୍ୟ ପୁରୀ ସ୍ୱର୍ଗଦ୍ୱାରଠାରେ ସମ୍ପନ୍ନ ହେବ ବୋଲି ପରିବାର ସୁତ୍ରରୁ ଜଣାପଡିଛି। ଦିଲ୍ଲୀପ ରାୟ ୧୯୫୪ ମସିହା ଜୁଲାଇ ୨୭ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ୮୦ ଦଶନ୍ଧିରେ ପ୍ରଖ୍ୟାତ ନିର୍ଦ୍ଦେଶକ ମନୋମୋହନ ମହାପାତ୍ରଙ୍କ ପରାମର୍ଶରେ ସିନେମାଟୋଗ୍ରାଫର ହୋଇଥିଲେ।
ସେ ବେଙ୍ଗାଲୁରୁର ଏଫଟିଆଇରୁ ସିନେମାଟୋଗ୍ରାଫି କୋର୍ସ କରିବା ପରେ ସିନେମାରେ ପ୍ରବେଶ କରିଥିଲେ।କୁହୁଡି,ତ୍ରିସନ୍ଧ୍ୟା,ବାଜେ ବଇଁଶୀ ନାଚେ ଘୁଙ୍ଗୁର,ଭାଗ୍ୟ ହାତେ ଡୋରି,ସୁନା ସଂସାର, ଜୀବନସାଥି,ବିଧିର ବିଧାନ,ଏଇତ ଦୁନିଆ, ବସ୍ତ୍ର ହରଣ,ଚକା ଭଉଁରୀ,ଲକ୍ଷ୍ମଣ ରେଖା,ଚିନି,ପୁଅ ମୋର ଭୋଳା ଶଙ୍କର , ଗଙ୍ଗା ଯମୁନା ଆଦି ୮୦ରୁ ଉର୍ଦ୍ଧ୍ବ ଓଡ଼ିଆ ସିନେମା ,୧୫ ବଙ୍ଗଳା ସିନେମା ଓ ୮ଟି ଛତିଶଗଡ଼ି ସିନେମାରେ ଚିତ୍ରୋତ୍ତଳନ କରିଛନ୍ତି। ଏତଦବ୍ୟତୀତ ଅନେକ ପ୍ରାମାଣିକ ଚିତ୍ର ଓ ଟେଲି ଧାରାବାହିକରେ କାମ କରିଛନ୍ତି। ଶ୍ରେଷ୍ଠ ସିନେମାଟୋଗ୍ରାଫର ଭାଵେ ୩ ଥର ୧୯୮୬ରେ ‘ତ୍ରିସନ୍ଧ୍ୟା’, ୨୦୧୬ରେ ‘ଚିନି’, ୨୦୨୨ରେ ‘ଭିଜା ମାଟିର ସ୍ୱର୍ଗ’ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ତାଙ୍କ ବିୟୋଗରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି।ଶେଷ ଦର୍ଶନ ପରେ ଅନ୍ତିମ ସଂସ୍କାର ପାଇଁ ଆଜି ସକାଳେ ପୁରୀ ନିଆଯାଇଛି ।
