- ସମ୍ମିଳନୀରେ ଆଲୋଚିତ ଅଭିନବ ଓ ଶ୍ରେଷ୍ଠ ଅଭ୍ୟାସ ଅନୁକରଣ କରିବାକୁ ପରାମର୍ଶ
- ସୁଶାସନରେ ଓଡ଼ିଶାର ଅଭିନବତ୍ୱ ସମ୍ପର୍କରେ ଆଲୋଚନା
- ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ନାଗରିକ କୈନ୍ଦ୍ରିକ ସେବାକୁ ଗୁରୁତ୍ୱ
ଭୁବନେଶ୍ୱର,୧୮/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ରାଜ୍ୟ କନଭେନସନ ସେଣ୍ଟରଠାରେ ଆୟୋଜିତ ସୁଶାସନ ଅଭ୍ୟାସ ସଂପର୍କିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆଜି ଉଦଯାପିତ ହୋଇଯାଇଛି ।
ଉଦଯାପନୀ ଅଧିବେଶନରେ ଓଡ଼ିଶା ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଯୋଗଦେଇ କହିଥିଲେ ଯେ, ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରରୁ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ନିଜନିଜ ଜିଲ୍ଲା ରେ ଅଭିନବତ୍ୱର ସହ ବିକାଶ ମୂଳକ କାର୍ଯ୍ୟ କରି ସଫଳତା ହାସଲ କରିଛନ୍ତି, ସେ ସଂପର୍କରେ ଉପସ୍ଥାପନ କରିଛନ୍ତି। ଏହି ଉତ୍ତମ ଅଭ୍ୟାସ ଦେଶର ବିଭିନ୍ନ ଅଂଚଳରେ ପ୍ରୟୋଗ କରାଯିବାର ଆବଶ୍ୟକତା ରହିଛି।
ପ୍ରଶାସନିକ କ୍ଷେତ୍ରରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତାକୁ ଅବତାରଣା କରି ସ୍ୱଚ୍ଛତା, ଉତ୍ତର ଦାୟିତ୍ୱ, ନାଗରିକ କୈନ୍ଦ୍ରିକ ସେବାକୁ ଗୁରୁତ୍ୱ ଦେବା ସହିତ ପ୍ରଶାସନିକ ଅଧିକାରୀ ମାନଙ୍କ ଛୋଟ ଛୋଟ ପ୍ରୟାସ କିପରି ଲୋକଙ୍କ ହିତରେ ବୃହତ ପରିବର୍ତ୍ତନ ଆଣିଥାଏ, ସେ ସଂପର୍କରେ ସେ ଆଲୋକପାତ କରିଥିଲେ। ଦୁର୍ନୀତି ମୁକ୍ତ ଓ ସ୍ୱଚ୍ଛତାର ସହ କାର୍ଯ୍ୟ ସୁଶାସନ ବ୍ୟବସ୍ଥାରେ ଶକ୍ତିର ଉତ୍ସ ବୋଲି ଶ୍ରୀ କୁମାର ପ୍ରକାଶ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟାରେ ଜନସାଧାରଣ ହେଉଛନ୍ତି ଊର୍ଦ୍ଧ୍ୱରେ। ସରକାରୀ ଅଧିକାରୀ ମାନେ ସେମାନଙ୍କର ସେବା ପାଇଁ କାର୍ଯ୍ୟ କରୁଛନ୍ତି। ଏ ସମସ୍ତ କଥାକୁ ଆଖି ଆଗରେ ରଖି ଅଧିକାରୀମାନେ ଜନସାଧାରଣଙ୍କ ସେବାକୁ ଗୁରୁତ୍ୱ ଓ ଯତ୍ନବାନ ହେବାକୁ ସେ ପ୍ରଶାସନିକ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍ ବା କୃତ୍ରିମ ବୁଦ୍ଧିମତା ସାଂପ୍ରତିକ ଯୁଗରେ ବିକାଶରେ ଅଭିନବତ୍ୱ ପାଇଁ ନୂଆ ସମ୍ଭାବନା ଆଣିଛି। ଏହା ତଥ୍ୟକୁ ଅନୁଶୀଳନ କରି ନିଷ୍ପତ୍ତି ନେବାରେ ସମ୍ଭାବ୍ୟ ମାର୍ଗ ପ୍ରଦର୍ଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ କୁମାର ପ୍ରକାଶ କରିବା ସହିତ ଅଧିକାରୀ ମାନଙ୍କୁ ଏହାର ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅଧିବେଶନର ନିର୍ଯ୍ୟାସ ବିକଶିତ ଭାରତ ଗଠନରେ ରାଜ୍ୟ ତଥା ଜାତୀୟ ସ୍ତରରେ ଅଧିକାରୀ ମାନଙ୍କ ଯୋଗଦାନ ଓ ନେତୃତ୍ୱକୁ ଅଧିକ ପ୍ରଭାବୀ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।
ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ପୁନିତ୍ ଯାଦବ ଯୋଗଦେଇ ଏହି ସମ୍ମିଳନୀ ଆୟୋଜନରେ ଓଡ଼ିଶା ସରକାରଙ୍କ ସହଯୋଗକୁ ପ୍ରଶଂସା କରିଥିଲେ।ବୈଷୟିକ ଜ୍ଞାନ କୌଶଳର ଉପଯୋଗରେ ନାଗରିକ କୈନ୍ଦ୍ରିକ ସେବା କିପରି ସହଜ ହୋଇପାରୁଛି ସେ ସଂପର୍କରେ ଦେଶର ବିଭିନ୍ନ ପ୍ରଦେଶରୁ ପ୍ରଧାନମନ୍ତ୍ରୀ ପୁରସ୍କାରପ୍ରାପ୍ତ ଜିଲ୍ଲା ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କ ଉଚ୍ଚକୋଟୀର ଉପସ୍ଥାପନା ଜିଲ୍ଲା ତଥା ଅଂଚଳ ବିକାଶ ପାଇଁ ନିଶ୍ଚିତ ଭାବରେ ଅନୁକରଣୀୟ ଓ ଉତ୍ସାହ ଜନକ ବୋଲି ସେ ମତବ୍ୟକ୍ତ କରିଥିଲେ।
ଉଦ୍ଯାପନୀ ଅଧିବେଶନରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗ ଓ ପରିମଳ ବିଭାଗ ନିର୍ଦ୍ଦେଶକ ତଥା ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଟିଭ (ସିଏମଜିଆଇ) ର ନିର୍ଦ୍ଦେଶକ ଶ୍ରୀ ବିନୀତ ଭରଦଓ୍ୱାଜ, ପ୍ରମୁଖ ଶାସନ ସଚିବ ଶ୍ରୀ ଏନ.ବି.ଏସ ରାଜପୁତ ଯୋଗ ଦେଇଥିବାବେଳେ ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ଜନଅଭିଯୋଗ ବିଭାଗ ନିର୍ଦ୍ଦେଶକ ଡଃ ତୁଷାବାସିନ୍ଦେ ଏହି ସମ୍ମିଳନୀ ସଫଳତାର ସହ ଆୟୋଜନ ପାଇଁ ଓଡ଼ିଶା ରାଜ୍ୟ ସରକାର ଓ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଆଜି ଅନୁଷ୍ଠିତ ସମ୍ମିଳନୀର ଦ୍ୱିତୀୟ ଦିବସରେ ପ୍ରଥମ ଅଧିବେଶନ ଓଡ଼ିଶା ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଏନବିଏସ୍ ରାଜପୁତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆସାମ ରାଜ୍ୟ ସମଗ୍ର ଶିକ୍ଷା ମିଶନ ନିର୍ଦ୍ଦେଶକ ଡଃ. ଓମ ପ୍ରକାଶ ତାଙ୍କର ଉପସ୍ଥାପନରେ ବୈଷୟିକ ଜ୍ଞାନ କୌଶଳ ତଥା କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗରେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଉପସ୍ଥାନ ନିଆଯାଉଥିବା, ଏହା ଡ୍ରପ୍ ଆଉଟ୍ ରୋକିବାରେ ସହାୟକ ହେଉଥିବା ଏବଂ ବିଦ୍ୟାଳୟ ସଂପର୍କିତ ସମସ୍ତ ତଥ୍ୟ ଉପଲବ୍ଧ ସହଜ ହୋଇଥିବା ସମ୍ପର୍କରେ ପ୍ରକାଶ କରିଥିଲେ ।
ଉତ୍ତରପ୍ରଦେଶ ମୋରଦାବାଦର ଜିଲ୍ଲାପାଳ ଶ୍ରୀ ଅନୂଜ ସିଂ ତାଙ୍କର ଉପସ୍ଥାପନ ରେ ରାଜ୍ୟରେ ସୁଗମ୍ୟ ପୁସ୍ତକାଳୟ ଅଭିନବ ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଥିଲେ । ଏହି ବ୍ୟବସ୍ଥା ସୁଗମ୍ୟ ଭାରତ ଅଭିଯାନ ସହିତ ସଂଯୋଜିତ । ଦିବ୍ୟାଙ୍ଗମାନଙ୍କୁ ଏକ ସାମଗ୍ରିକ ଅନୁକୂଳ ପରିବେଶ ଯୋଗାଇଦେବା ଲକ୍ଷ୍ୟରେ ସାମାଜିକ କର୍ପୋରେଟ୍ ଦାୟିତ୍ୱବୋଧ(ସିଏସଆର ପାଣ୍ଠି) ଉପଯୋଗରେ ସେମାନଙ୍କୁ ସ୍ୱତନ୍ତ୍ର ଅଧ୍ୟୟନ ସୁବିଧା ଦେବା ପାଇଁ ଭିତ୍ତିଭୂମିରେ ଉନ୍ନତି କରାଯାଇଛି । ବୈଷୟିକ ସହାୟତା, ସ୍ୱତନ୍ତ୍ର ତାଲିମପ୍ରାପ୍ତ ଶିକ୍ଷକ ନିୟୋଜିତ ହୋଇଥିବା,ସୁବ୍ୟବସ୍ଥିତ ସମାବେଶୀ ଶିକ୍ଷା ବ୍ୟବସ୍ଥା ସହିତ ଚିକିତ୍ସା ସୁବିଧା ଏବଂ ସୁଦୃଢ ଅନ୍ ଲାଇନ୍ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।
ଝାରଖଣ୍ତ ରାଜ୍ୟ ଗୁମଲା ଜିଲ୍ଲାର ଜିଲ୍ଲାପାଳ ଶ୍ରୀ କର୍ଣ୍ଣ ସତାର୍ଥୀ ଯୋଗଦେଇ ତାଙ୍କର ଉପସ୍ଥାପନରେ ଜିଲ୍ଲାର ସାମଗ୍ରିକ ବିକାଶ ସଂପର୍କରେ ଉପସ୍ଥାପନ କରିଥିଲେ । ଜିଲ୍ଲାରେ ଅର୍ଦ୍ଧାଧିକ ଜନଜାତି ଲୋକସଂଖ୍ୟା, ଭୌଗୋଳିତ ଅବସ୍ଥିତି ପ୍ରତିକୂଳତା, ବିଭିନ୍ନ ପ୍ରକାର ଦାରିଦ୍ର୍ୟତା ଏବଂ ମାଓବାଦୀ କାର୍ଯ୍ୟକଳାପ ରହିଛି । ଏସବୁ ଆହ୍ୱାନ ସତ୍ତ୍ୱେ ଜିଲ୍ଲାରେ ସମାବେଶୀ ବିକାଶ ଜିଲ୍ଲାବାସୀଙ୍କ ମନରେ ଗଭୀର ଆଶା ସଂଚାର କରିଛି ।
ତୃଣମୂଳସ୍ତରରେ ବିକାଶ ସହ ଜିଲ୍ଲାରେ ଶତାଧିକ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଥିବା, ଜନସାଧାରଣଙ୍କୁ ବିଭିନ୍ନ ଯୋଜନାରେ ରହିଥିବା ମୌଳିକ ସୁବିଧା ଯୋଗାଇଦେବା, ଅଭିଯୋଗ ଶୁଣାଣି ବ୍ୟବସ୍ଥାକୁ ଗୁରୁତ୍ୱ , ଗ୍ରାମର ସାମଗ୍ରିକ ବିକାଶ ପାଇଁ ଜନ ଭାଗିଦାରୀରେ ନିଷ୍ପତ୍ତି, ଜଳ ଜୀବନ ମିଶନ କାର୍ଯ୍ୟକାରିତାରେ ଅଗ୍ରଣୀ ଜିଲ୍ଲା ହୋଇଥିବା, ପିଏମ୍ ପୋଷଣ ଯୋଜନାକୁ ଗତିଶୀଳ କରାଯାଇଥିବା, ଜନସାଧାରଣଙ୍କ ଅଭାବ ଅସୁବିଧା ଓ ସରକାରୀ ସେବା ସଂପର୍କରେ ବୁଝିବା ପାଇଁ ଦୁର୍ଗମ ଅଂଚଳରେ ଥିବା ଗ୍ରାମଗୁଡ଼ିକରେ କ୍ୟାମ୍ପ କୋର୍ଟ କରାଯାଉଥିବା ସହ ଜିଲ୍ଲାରେ ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦିର ଅଧିକ ବିକାଶ ପାଇଁ ପ୍ରୟାସ ଜାରି ରହିଥିବା ସମ୍ପର୍କରେ ସେ ଉପସ୍ଥାପନ କରିଥିଲେ ।
ମଧ୍ୟ ପ୍ରଦେଶ ବଡଓ୍ୱାନୀ ଜିଲ୍ଲାର ଗୃହ ଓ ଭିତ୍ତିଭୂମି ଉନ୍ନୟନ ବୋର୍ଡର କମିଶନର ଡଃ. ରାହୁଳ ହରିଦାସ ଫାତିଙ୍ଗ ଯୋଗଦେଇ ଜିଲ୍ଲାର ସାମଗ୍ରିକ ବିକାଶ କ୍ଷେତ୍ରରେ ସଫଳତା ଓ ଆଗାମୀ ଦିନରେ ଆହ୍ୱାନ ତଥା ସୁଯୋଗ ସଂପର୍କରେ ଆଲୋକପାତ କରିଥିଲେ । ତାଙ୍କର ଉପସ୍ଥାପନାରେ ମିଶନ ସ୍ମାଇଲ କାର୍ଯ୍ୟକାରିତାରେ ସ୍ୱତନ୍ତ୍ର ଶିବିର ମାଧ୍ୟମରେ ୧୬ ଜଣ ଶିଶୁଙ୍କର ହୃତପିଣ୍ଡ ଅସ୍ତ୍ରୋପଚାର କରାଯାଇଥିବା, ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ପ୍ରସବ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଥିବା ଓ ପୂର୍ବରୁ ସେମାନଙ୍କ ପାଇଁ ଡାଟା ବେସ୍ ପ୍ରସ୍ତୁତି ରହିଥିବା, ବିଶ୍ୱ ରେକର୍ଡ ସ୍ତରୀୟ ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା, ଜଳଜୀବନ ମିଶନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ଆୟୁଷ୍ମାନ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା , ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା, ପିଏମ୍ ମାତୃବନ୍ଦନା ଯୋଜନା, ଏମ୍ ବିଶ୍ୱକର୍ମା, ପିଏମ୍ ମୁଦ୍ରା ଯୋଜନା ଆଦି କାର୍ଯ୍ୟକାରିତାରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଥିବା ସଂପର୍କରେ ଆଲୋକପାତ କରିଥିଲେ ।
ସମ୍ମିଳନୀର ଦ୍ୱିତୀୟ ଦିବସରଦ୍ୱିତୀୟ ଅଧିବେଶନ ତଥା ଦୁଇ ଦିନିଆ ସମ୍ମିଳନୀର ୫ମ ଅଧିବେଶନ ଓଡିଶା ସରକାରଙ୍କ ପଞ୍ଚାୟତିରାଜ, ପାନୀୟ ଜଳ ଓ ପରିମଳ ବିଭାଗ ନିର୍ଦ୍ଦେଶକ ତଥା ସିଏମଜିଆଇର ନିର୍ଦ୍ଦେଶକ ଶ୍ରୀ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ. ପ୍ରଦୀପ ରାଉତ ଯୋଗଦେଇ ଓଡ଼ିଶାରେସମସ୍ତ ପ୍ରଶାସନିକ ବିଭାଗ, ନିର୍ଦ୍ଦେଶାଳୟ, ଜିଲ୍ଲା କାର୍ଯ୍ୟାଳୟ କିପରି ଓଡ଼ିଶା କାର୍ଯ୍ୟସ୍ରୋତ ସ୍ୱୟଂଚାଳିତ ପଦ୍ଧତି(ଓସ୍ୱାସ) ବ୍ୟବସ୍ଥାରେ ସମନ୍ୱିତ କରାଯାଇ ସରକାରୀ ନଥି କାର୍ଯ୍ୟ ପରିଚାଳନା କିପରି ସହଜ ହୋଇପାରିଛି, ସେ ସମ୍ପର୍କରେ ଉପସ୍ଥାପନ କରିଥିଲେ ।
ମହିଳା ଓ ଶିଶୁ ବିକାଶ ବିଭାଗ ସମାଜ ମଙ୍ଗଳ ବୋର୍ଡର ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ ଯୋଗଦେଇ କିପରିବୈଷୟିକ ଜ୍ଞାନ କୌଶଳ ଏବଂ ସମସ୍ତଙ୍କର ସହଭାଗିତାରେଓଡ଼ିଶାରେ ସୁଭଦ୍ରା ଯୋଜନାରେ ଏକ କୋଟିରୁ ଅଧିକ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି, ସେ ସମ୍ପର୍କରେ ଆଲୋକପାତ କରିଥିଲେ । ସୁଭଦ୍ରାର କାର୍ଯ୍ୟାନ୍ୱୟନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ପରିଚାଳନା କମିଟି, ଜିଲ୍ଲାଠାରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ଏକାଧିକ ବୈଠକ କରାଯାଇଛି । ସୁଭଦ୍ରା ସମନ୍ୱିତ ପୋର୍ଟାଲ ଜରିଆରେ ହିତାଧିକାରୀ ଚୟନ, ବ୍ୟାଙ୍କ ଆକାଉଣ୍ଟକୁ ଅନ ଲାଇନ୍ ଅର୍ଥ ପ୍ରେରଣ, ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ନଥିବା ହିତାଧିକାରୀଙ୍କ ପାଇଁ କ୍ଷେତ୍ରସ୍ତରୀୟ ଯାଂଚ ବ୍ୟବସ୍ଥା, ସୂଚନା , ଶିକ୍ଷା ଓ ଯୋଗାଯୋଗ ବ୍ୟବସ୍ଥା, କୁହ ସୁଭଦ୍ରା-ସହାୟତା ନମ୍ବର ମାଧ୍ୟମରେ ଅନୁସନ୍ଧାନ,ସୁଭଦ୍ରା ସଚେତନତା ରଥ ଜରିଆରେ ପ୍ରଚାର ପ୍ରସାର, ପଦଯାତ୍ରା ,ଆଇଆଇଏମ୍ , ସମ୍ବଲପୁର ଏବଂ ଉଚ୍ଚ ଶିକ୍ଷା ବିଭାଗ ସହାୟତାରେ ସେମାନଙ୍କୁ ପ୍ରଦତ୍ତ ଅର୍ଥ କିପରି ମହିଳାମାନଙ୍କ ଜୀବନକୁ ପରିବର୍ତ୍ତନ କରିବାରେ ସହାୟତା ଦେଉଛି, ସେ ସଂପର୍କରେ ମୂଲ୍ୟାୟନ କରାଯାଉଥିବା ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଓଡ଼ିଶାର କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ଭି.କୀର୍ତ୍ତି ବାସନ ଯୋଗଦେଇ କୋରାପୁଟଜିଲ୍ଲାର ବିକାଶରେ ଅବଲମ୍ବନ କରାଯାଉଥିବା ଅଭିନବତ୍ୱ ଓ ଶ୍ରେଷ୍ଠ ଅଭ୍ୟାସ ସଂପର୍କରେ ବିସ୍ତୃତ ଉପସ୍ଥାପନ କରିଥିଲେ । କୃଷି ଉପରେ ନିର୍ଭରଶୀଳ ଏହି ଜିଲ୍ଲା ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ । ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମରେ ଶିଶୁମାନଙ୍କୁ ନିୟମିତ ଟୀକାକରଣକୁ ସୁନିଶ୍ଚିତ କରିବା ପାଇଁ ପିତାମାତାଙ୍କୁ ଭାସିନେସନ ନିମନ୍ତ୍ରଣ କାର୍ଡ ପ୍ରଦାନ, ଯେପରି କୌଣସି ଶିଶୁ ଔଷଧ ସେବନରୁ ବଂଚିତ ହେବେ ନାହିଁ, ସେଥିପାଇଁ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ନଦୀ ପାର ହେବା ପାଇଁ ମେସିନ୍ ଚାଳିତ ବୋଟ୍ ଯୋଗେ ଅପହଂଚ ଅଂଚଳରେ ଟୀକାକରଣ ବ୍ୟବସ୍ଥା କରାଯାଉଥିବା ସମ୍ପର୍କରେ ସେ ଉପସ୍ଥାପନ କରିଥିଲେ ।
ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ସକ୍ଷମ ଅଙ୍ଗନବାଡି ଏବଂ ପୋଷଣ-୨.୦ ରେ ଶ୍ରେଷ୍ଠ ଅଭ୍ୟାସ ଅବଲମ୍ବନ କରାଯାଉଥିବା, ପିଏମ ବିଶ୍ୱକର୍ମା ଯୋଜନାରେ ସ୍ଥାନୀୟ ମହିଳାଙ୍କୁ ଅଙ୍ଗନବାଡ଼ି ପିଲାମାନଙ୍କ ପାଇଁ ପୋଷାକ ସିଲାଇ ଓ ଯୋଗାଇବାରେ ସହାୟତା, ସୁରକ୍ଷିତ ମାତୃତ୍ୱ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଜନ୍ମଶ୍ରୀ ମୋବାଇଲ ଓ ଓ୍ୱେବ୍ ଆପ୍ କାର୍ଯ୍ୟକାରୀ,ମା ଗୃହ ସହିତ ବ୍ୟବସ୍ଥାକୁ ସମନ୍ୱିତ କରାଯାଇଥିବା, ଜିଲ୍ଲାରେ ଷ୍ଟ୍ରବେରୀ ଓ ଉଚ୍ଚ ଅର୍ଥକରୀ ଫସଲ , ଔଷଧୀୟ ଲତା ଗୁଲ୍ମ, କୋରାପୁଟ କଫି,ଗ୍ରାମୀଣ ଶିଳ୍ପକୁ ଗୁରୁତ୍ୱ, ମିଲେଟ୍ ପ୍ରକ୍ରିୟାକରଣ ୟୁନିଟ୍ ଜିଲ୍ଲାର ବିକାଶରେ ପ୍ରମୁଖ ଗୁରୁତ୍ୱ ରଖୁଥିବା ସେ ପ୍ରକାଶ କରିଥିଲେ । ଆଗାମୀ ପଦକ୍ଷେପ ସ୍ୱରୂପ ସେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଛାତ୍ରଛାତ୍ରୀମାନଙ୍କ ଉତ୍ତମ ଫଳାଫଳ ପାଇଁ ଜ୍ଞାନଦୀପ ଏବଂ ବିଦ୍ୟାଳୟରେ ରହୁଥିବା ଭିତ୍ତିଭୂମି ଓ ଅନ୍ୟ ସମସ୍ୟାର ସମାଧାନ ପାଇଁ ଦୃଷ୍ଟି ଏଆଇ-ଭିତ୍ତିକ ରିପୋର୍ଟିଂ ଓ ତଦାରଖ ବ୍ୟବସ୍ଥା ସଂପର୍କରେ ପଦକ୍ଷେପ ନିଆଯାଉଛି ବୋଲି ସେ ସଂପର୍କରେ ଉପସ୍ଥାପନ କରିଥିଲେ ।
ଏହି ଅଧିବେଶନରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟଓ୍ୱାନ ମହାଜନ ଯୋଗଦେଇ ଜିଲ୍ଲାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଉଥିବା ଅଭିନବତ୍ୱ, ଏଥିରେ ରହିଥିବା ଆହ୍ୱାନ ଓ ଗୋଷ୍ଠୀ ସହଭାଗିତାରେ ନିରନ୍ତରତା ଭିତ୍ତିରେ ତାହାର ସମାଧାନ ପାଇଁ ପ୍ରୟାସ ଜାରି ରହିଥିବା ସଂପର୍କରେ ଉପସ୍ଥାପନ କରିଥିଲେ ।
ସୂଚନା ଯୋଗ୍ୟ ଯେ ଏହି ସମ୍ମିଳନୀରେ ଦେଶର ବିଭନ୍ନ ପ୍ରଦେଶରୁ ଯୋଗଦେଇଥିବା ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରୁ ଅନେକ ଓଡ଼ିଶାର ଭୁବନେଶ୍ୱର ସହର ସମେତଆଜି ଅପରାହ୍ଣରେ ପୁରୀ ଓ କୋଣାର୍କ ଏବଂ ପୁରୀ ସମୁଦ୍ର ବେଳାଭୂମି ଆଦି ପରିଦର୍ଶନ କରିଥିବା ଜଣାଯାଇଛି ।
-0-
ପଠାଣି ରାଉତ ,ଲୋକ ସଂପର୍କ ଅଧକାରୀ ଙ୍କ ସୌଜନ୍ୟ ରୁ
