କଟକ ସଦର,୧୯/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ନିରବଚ୍ଛିନ୍ନ ଭାବେ ପାନୀୟ ଜଳ ଯୋଗାଇ ଦେବାକୁ ଘୋଷଣା କରିଥିଲେ ହେଁ ତାହା କଟକ ସଦର ବ୍ଲକ ରେ ପାଣିର ଗାର ସଦୃଶ ହୋଇଛି। ପ୍ରକାଶ ଯେ ଧରିଣା ପଞ୍ଚାୟତ ପାରାଵିଲ ଗ୍ରାମରେ କିଶନନଗର ବିଦ୍ୟୁତ ବିଭାଗ ପକ୍ଷରୁ ଖୁଣ୍ଟ ପୋତିବା ସମୟରେ ପାଣି ପାଇପ୍ କ୍ଷତିଗ୍ରସ୍ତ କରି ପଳାଇ ଯାଇଛନ୍ତି। ଯାହା ଫଳରେ ଲୋକଙ୍କୁ ୧୦ ଦିନ ହେଲା ଜଳ ଯୋଗାଇ ଦିଆଯାଇ ପାରୁନଥିବାରୁ ଲୋକମାନେ ପାଣି ପାଇଁ ଡହଳବିକଳ ହେଉଛନ୍ତି।
ଏ ସମ୍ପର୍କରେ ଵିଡିଓ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ, ପାନୀୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ, ସ୍ଥାନୀୟ ସରପଞ୍ଚଙ୍କୁ ଲୋକେ କହି କହି ନିରାଶ ହୋଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାଵି ହେଉଛି। ଉକ୍ତ ଖଵର ପାଇ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ତୁରନ୍ତ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ହେଲେ କେବେ ସମାସ୍ୟାର ସମାଧାନ ହେଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।
