ଯାଜପୁର ଜିଲ୍ଲାରେ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ଦ୍ଵି-ଦିବସୀୟ “ପୂର୍ବୋଦୟ ଷ୍ଟାର୍ଟଅପ ସଙ୍ଗମ” କାର୍ଯ୍ୟକ୍ରମ ଅନୁଷ୍ଠିତ।

ଯାଜପୁର,୧୮/୦୭/୨୦୨୫ (ଓଡ଼ିଶା ସମାଚାର)-ଆଜି ଯାଜପୁର ଜିଲ୍ଲାରେ, ରାଜ୍ୟରେ ଷ୍ଟାର୍ଟଅପ୍ ପରିବେଶକୁ ସୁଦୃଢ କରିବାସହ ନବସୃଜନର ସମ୍ଭାବନାକୁ ବଢାଇବା ପାଇଁ ଏମଏସଏମଇ ବିଭାଗ ସହାୟତାରେ ଷ୍ଟାର୍ଟଅପ୍ ଓଡ଼ିଶା ଦ୍ଵାରା, ‘ପୂର୍ବୋଦୟ  ଷ୍ଟାର୍ଟଅପ୍ ସଂଗମ’ କାର୍ଯ୍ୟକ୍ରମର ପ୍ରଥମ ଦିନ ଯାଜପୁରର ର ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଯାଇଛି ।

ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସମବାୟ ଓ ବୟନ ଶିଳ୍ପ ବିଭାଗର ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗଦେଇ କହିଲେ ଆଜିର ଏହି ପୂର୍ବୋଦୟ ଷ୍ଟାର୍ଟଅପ ସଙ୍ଗମର ଉଦ୍ଦେଶ୍ୟ ହେଉଛି ଓଡିଶାରେ କିପରି ଷ୍ଟାର୍ଟଅପର ଗ୍ରୋଥ ହୋଇପାରିବ ସେଥିପ୍ରତି କାର୍ଯ୍ୟରତ ହେବା। ଯୁବକ ମାନେ କିପରି ନିଯୁକ୍ତି ପଛରେ ନଧାଇଁକି ନିଜେ ନିଯୁକ୍ତି ସୃଷ୍ଟି କରି ପାରିବେ ସେଥିପାଇଁ ସମସ୍ତ ପ୍ରକାର ପ୍ରୋତ୍ସାହନ ଦେବାକୁ ସରକାର ସ୍ଥିର କରିଛନ୍ତି। ଆଜିର ଏହି କର୍ମଶାଳାରେ ନୂଆ ଯୁବ ପିଢ଼ିଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ଯାହାଦ୍ଵାରା ଆଜିର ଯୁବପିଢ଼ି ଷ୍ଟାର୍ଟଅପକୁ ଆଗେଇ ନେବେ ବୋଲି ଆଶା କରାଯାଏ।

ଉକ୍ତ ଦ୍ଵି-ଦିବସୀୟ କର୍ମଶାଳାର ପ୍ରଥମ ଦିନରେ ଯୋଗଦେଇ ମାନ୍ୟବର ଶିଳ୍ପ ଓ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଲେ ଷ୍ଟାର୍ଟଅପ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏବଂ କିପରି ଅଧିକ ମାତ୍ରାରେ ଷ୍ଟାର୍ଟଅପ ଓଡ଼ିଶାରେ ପ୍ରତିଷ୍ଠା ହେବ ଏହାର ଉଦ୍ଦେଶ୍ୟରେ ହିଁ ପୂର୍ବୋଦୟ ଷ୍ଟାର୍ଟଅପ୍ ସଙ୍ଗମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରତି ବର୍ଷ ଜାନୁଆରୀ ୧୬ ତାରିଖକୁ ଜାତୀୟ ଷ୍ଟାର୍ଟଅପ୍ ଦିବସ ରୂପେ ପାଳନ କରାଯାଏ।

  ପୂର୍ବୋଦୟ ମିଶନ ରେ ଓଡ଼ିଶାକୁ ସର୍ବଦା ପ୍ରାଧାନ୍ୟ ଦିଆଯାଇଛି। ଆଜିର ପୂର୍ବୋଦୟ ଷ୍ଟାର୍ଟଅପ୍ ସଂଗମରେ ପୂର୍ବୋତ୍ତର ୫ ଟି ଜିଲ୍ଲା ତଥା ବାଲେଶ୍ବର,ଭଦ୍ରକ, ମୟୂରଭଞ୍ଜ, କେଉଁଝର, ଯାଜପୁର ଜିଲ୍ଲାକୁ ନେଇ ଅନୁଷ୍ଠିତ କରାଯାଇଅଛି। ଏହି ୨ ଦିନିଆ କର୍ମଶାଳାରେ ଷ୍ଟାର୍ଟଅପ୍ ଉପରେ ବିଭିନ୍ନ ତଥ୍ୟ ଆଲୋଚନା ହେବ। ଏବେ ସୁଦ୍ଧା ଓଡ଼ିଶାରେ ୨୩୦୨ ଟି ଷ୍ଟାର୍ଟଅପ୍ ଷ୍ଟାର୍ଟଅପ୍ ଓଡ଼ିଶା ଦ୍ଵାରା ପଞ୍ଜୀକୃତ ହୋଇଛନ୍ତି। ଆଗାମୀ ୫ ବର୍ଷରେ ୫୦୦୦ ଷ୍ଟାର୍ଟଅପ୍ କରିବା ପାଇଁ ସରକାରଙ୍କ ତରଫରୁ ଓ ବିଭାଗ ତରଫରୁ ପଦକ୍ଷେପ ନିଆଯାଇଛି।

ଉକ୍ତ କର୍ମଶାଳାରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଯୋଗଦେଇ କହିଲେ ପୂର୍ବୋଦୟ ଷ୍ଟାର୍ଟଅପ ସଙ୍ଗମ” କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଷ୍ଟାର୍ଟଅପ ସମ୍ବନ୍ଧିତ ଆକ୍ଟିଭିଟିଜ୍ ଆଗକୁ ନେବା। ଷ୍ଟାର୍ଟଅପ ଓଡ଼ିଶା  ଜିଲ୍ଲାସ୍ତରରେ କିପରି କାର୍ଯ୍ୟକାରୀ କରାଯାଇପାରିବ ସେ ଦିଗରେ ଆଜି ଯାଜପୁର ଜିଲ୍ଲାରେ ୫ ଟି ପୂର୍ବୋତ୍ତର ଜିଲ୍ଲାକୁ ନେଇ ୨ ଦିନିଆ କର୍ମଶାଳା ଆୟୋଜିତ କରାଯାଇଛି। ଯେଉଁ ଉଦ୍ୟୋଗୀମାନେ ନୂଆ ଆଇଡ଼ିଆ ରଖିଛନ୍ତି କିମ୍ବା କ୍ଷୁଦ୍ର ବ୍ୟବସାୟ ତଥା ଆଇ.ଟି କ୍ଷେତ୍ରରେ କିଛି କରିବା ପାଇଁ ଚାହୁଁଛନ୍ତି ସେମାନେ ଏହି ପୂର୍ବୋଦୟ ଷ୍ଟାର୍ଟଅପ୍ ସଂଗମ କର୍ମଶାଳା ଦ୍ଵାରା ନିଶ୍ଚୟ ଉତ୍ସାହିତ ହେବେ।

ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ସ୍ବାଗତ ଭାଷଣ ଦେବା ସହିତ କହିଲେ ଷ୍ଟାର୍ଟଅପ୍  ପାଇଁ ରାଜ୍ୟ ସରକାର ଅନୁକୂଳ ପରିବେଶ ସୃଷ୍ଟି କରୁଛନ୍ତି। ଏହା ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ।

ଏହି ଅବସରରେ ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଆଦି ଜିଲ୍ଲାର ବିଭିନ୍ନ ଷ୍ଟାର୍ଟଅଫ୍ ଯୁବ ଉଦ୍ୟୋଗୀ ଓ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ଅଂଶଗ୍ରହଣ କରିଥିଲେ।

ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଦ୍ଵାରା ଷ୍ଟାର୍ଟଅପ୍ ଉଦ୍ୟୋଗ କ୍ଷେତ୍ରରେ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ, ବୈଷୟିକ ସହାୟତା ଆଦି ପ୍ରସଙ୍ଗରେ ଆଲୋଚନା ହେଇଥିଲା। ପରେ ପରେ ଉଦ୍ୟୋଗୀମାନେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବା, ବୈଷୟିକ ଅଧିବେଶନ, ପ୍ୟାନେଲ୍ ଆଲୋଚନା ଅଂଶଗ୍ରହଣ କରିବା ସହ ନିଜର ମତାମତ ରଖିଥିଲେ ।ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଷ୍ଟାର୍ଟଅପ୍ ଓଡ଼ିଶା ପ୍ରଦର୍ଶନୀରେ ସ୍ଵୟଂ ସହାୟକ ଗୋଷ୍ଠୀ, ଷ୍ଟାର୍ଟଅପ୍ ୟୁନିଟ, ଏଫ୍.ପି.ଓ ମାନଙ୍କ ଦ୍ଵାରା ପ୍ରଦର୍ଶନୀ ଷ୍ଟଲ କରାଯାଇଥିଲା ଏବଂ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଯାଜପୁର ସାଂସଦ, ଡ. ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ନିର୍ବାଚନମଣ୍ଡଳୀର ବିଧାୟକ ଆକାଶ ଦାସନାୟକ, ବିଧାୟକ ବଡ଼ଚଣା ଅମର ନାୟକ, ଓ  ଶିଳ୍ପ ବିଭାଗର ନିର୍ଦ୍ଦେଶକ ଡି. ପ୍ରଶାନ୍ତ କୁମାର ରେଡ୍ଡୀ, ସ୍ବାବଲମ୍ବୀ ଭାରତ ଅଭିଯାନର ଆଞ୍ଚଳିକ ସଂଯୋଜକ ଶ୍ରୀ ସାରଦା ପ୍ରସାଦ ଶତପଥୀ  ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ଶିଳ୍ପପତି, ଯୁବ ଉଦ୍ୟୋଗୀ, ଏସ୍.ଏଚ୍.ଜି ମହିଳାମାନଙ୍କ ସମେତ ବହୁ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *