ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଓଡ଼ିଶା ବନ୍ଦ ସଫଳ

ଭୁବନେଶ୍ୱର,୧୮/୦୭/୨୦୨୫(ଓଡ଼ିଶା ସମାଚାର)-ଫକୀର ମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଓ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିରେ, ଘଟଣା ପାଇଁ ଦାୟୀ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବହିଷ୍କାର ଓ ଘଟଣା ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କ ବିରୁଦ୍ଧରେ କଠୋର ଦଣ୍ଡ ବିଧାନ ଦାବିରେ ଆଠ ଗୋଟି ବିରୋଧୀ ରାଜନୈତିକ ଦଳ ପକ୍ଷରୁ ଆହୁତ ଓଡ଼ିଶା ବନ୍ଦ ସମ୍ପୂର୍ଣ ସଫଳ ହୋଇଛି। ରାଜ୍ୟରେ ବି. ଜେ.ପି ସରକାର ଶାସନକୁ ଆସିବା ପରେ ମହିଳାମାନଙ୍କ ଉପରେ ନିର୍ଯ୍ୟାତନା ବଢ଼ିବାରେ ଲାଗିଛି। ଫକୀର ମୋହନ କଲେଜର ସଂପୃକ୍ତ ଛାତ୍ରୀ କଲେଜ ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିବା ସତ୍ୱେ ତାଙ୍କ ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସେ ଶେଷରେ ଆତ୍ମହତ୍ୟା ଭଳି ଏକ କୁଶ୍ଚିତ ବ୍ୟବସ୍ଥାକୁ ଆପଣାଇ ନେଲେ। ଯାହା ଅତ୍ୟନ୍ତ ନିନ୍ଦନୀୟ ଓ ସରକାରୀ ଦାଇତ୍ୱ ହୀନତାର ଏକ ଚରମ ନିଦର୍ଶନ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ପକ୍ଷରୁ ଓଡିଶା ବନ୍ଦ ପରିପେକ୍ଷୀରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଥିଲା। ସକାଳ ୬ ଟାରୁ ଫରୱାର୍ଡ ବ୍ଲକ ଓ ଏହାର ଛାତ୍ର ସଂଗଠନ “ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟ୍ ବ୍ଲକ” ର କର୍ମକର୍ତାମାନେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ, ସିଟି ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନ ସମ୍ମୁଖରେ ପିକେଟିଙ୍ଗ କରି ବନ୍ଦରେ ସାମିଲ ହେବାକୁ ଜନସାଧାରଣକୁ ଆହ୍ୱାନ କରିଥିଲେ। ରେଳ ଷ୍ଟେସନରେ ରେଳ ରୋକ୍ କରିବାକୁ ଯାଉଥିବା ବେଳେ ଫରୱାର୍ଡ ବ୍ଲକର କର୍ମୀମାନଙ୍କୁ ରେଳବାଇ ପୋଲିସ ଅଟକାଇ ଥିଲା। ଫଳରେ ଆନ୍ଦୋଳନକାରୀ ଓ ରେଳବାଇ ପୋଲିସ ମଧ୍ୟରେ ବେଶ୍ କିଛି ସମୟ ଧସ୍ତାଧସ୍ତି ହୋଇଥିଲା। ପରେ ଫରୱାର୍ଡ ବ୍ଲକର କର୍ମକର୍ତ୍ତାମାନେ ଅଶୋକ ନଗର, ରାଜମହଲ ଛକ ଓ ମାର୍କେଟ ବିଲଡିଂ ଆଦି ସ୍ଥାନରେ ମଧ୍ୟ ବନ୍ଦ ସପକ୍ଷରେ ପିକେଟିଙ୍ଗ କରିଥିଲେ।

ପରେ ଦିବା ୧୨ ଘଟିକା ବେଳକୁ ଏକ ଶୋଭାଯାତ୍ରାରେ ଆନ୍ଦୋଳନ କାରୀମାନେ ଲୋକସଭା ଭବନ ଆଡ଼କୁ ଅଗ୍ରସର ହୋଇଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇ ଗିରଫ କରିଥିଲା। ଫରୱାର୍ଡ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଂଜନ ମହାପାତ୍ର, ରାଜ୍ୟ ସମ୍ପାଦିକମଣ୍ଡଳୀ ସଭ୍ୟା କମଳା ସାହୁ, ରାଜ୍ୟ ନେତ୍ରୀ ଲକ୍ଷ୍ମୀ ଦୋରା, ରାଜ୍ୟ ନେତା ଗୟାରାମ ପୂଜାରୀ, ସୁଶିଲ ଥାନପତି, ପାଇଲା ମୁରଲୀକ୍ରୀଷ୍ଣା,ବିଜୟ ସାହୁ, ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ, ଆଜାଦ ହିନ୍ଦ୍ ବାହିନର ରାଜ୍ୟ ସମ୍ପାଦିକା ସୁବତୀ ଦଳେଇ, ଷ୍ଟୁଡେଣ୍ଟସ ବ୍ଲକ ର ରାଜ୍ୟ ସମ୍ପାଦିକା ଦିସା ଆଜାଦ, ମହିଳା ନେତ୍ରୀ ମିରାମ୍ବିକା ସାହୁ, ଛାତ୍ରୀ ନେତ୍ରୀ ରିଙ୍କି ସାହୁ, ପ୍ରିୟା ବାରିକ୍‌, ମିକି ସାହୁ, ଛାତ୍ର ନେତା ଇଜନ୍ ବଜ, ରାଜୁ ମାଡ଼କାମୀ, ଅଭିରାମ ପାଙ୍ଗି ପ୍ରମୁଖ ଆଜିର ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ।

ଓଡିଶା ବନ୍ଦ ଅଭୁତପୂର୍ବ ଭାବରେ ସଫଳ ହୋଇଛି ଓ ଓଡ଼ିଶାର ଜନତା ମହିଳାଙ୍କ ସୁରକ୍ଷା ପାଇଁ ଏହି ବନ୍ଦ କୁ ସମର୍ଥନ ଦେଇଛନ୍ତି। ବନ୍ଦର ସଫଳତାର ଶ୍ରେୟ ରାଜ୍ୟବାସୀଙ୍କୁ ପ୍ରଦାନ କରିବା ସହିତ ଏଥିପାଇଁ ଫରୱାର୍ଡ଼ ବ୍ଲକ ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *