ଶିବାନନ୍ଦ ରାୟଙ୍କୁ ଗଙ୍ଗାଧର ମହାପାତ୍ର ସମ୍ମାନ-୨୦୨୫ ପ୍ରଦାନ
ଭୁବନେଶ୍ୱର,୧୪/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଗଙ୍ଗାଧର ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ସୋମବାର ସନ୍ଧ୍ୟାରେ ଫାଉଣ୍ଡେସନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ବୁଦ୍ଧମନ୍ଦିର ସଭାଗୃହରେ ପୂର୍ବତନ ମନ୍ତ୍ରୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗଙ୍ଗାଧର ମହାପାତ୍ରଙ୍କ ୧୧୨ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି ।
ଜୟନ୍ତୀ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବିଶିଷ୍ଟ ରାଜନେତା ତଥା ଇଷ୍ଟର୍ଣ୍ଣ ମିଡ଼ିଆ ଲିିମିଟେଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ, ସ୍ୱର୍ଗତ ଗଙ୍ଗାଧର ମୂଲ୍ୟବୋଧଭିତିକ ରାଜନୀତିର ମୂର୍ତିମନ୍ତ ପ୍ରତୀକ ଥିଲେ । ପୁରୀ ମୁ୍ୟନିସିପାଲିଟିର ଉପାଧ୍ୟକ୍ଷ ଠାରୁ ଆରମ୍ଭ କରି ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ
ସେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ । କିନ୍ତୁ ଗର୍ବ ଓ ଅହଂକାର ତାଙ୍କୁ ସ୍ପର୍ଶ କରିନଥିଲା । ଆଜିର ଯୁବସମାଜ ତାଙ୍କ ଜୀବନୀ ପଢିବାର ଆବଶ୍ୟକତା ରହିଛି ।
ସମ୍ମାନିତ ଅତିଥି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଲେ ଯେ, ସ୍ୱର୍ଗତ ଗଙ୍ଗାଧର ମହାପାତ୍ର ଜଣେ ଲୋକପ୍ରିୟ ଜନନେତା ଥିଲେ । ସମଗ୍ର ଓଡ଼ିଶାରେ ବାପ ଠାରୁ ପୁଅ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଶ୍ରଦ୍ଧାରେ ଗଙ୍ଗୁଭାଇନା ଭାବେ ସମ୍ବୋଧିତ କରୁଥିଲେ । ଜଣେ ଓକିଲ ଭାବରେ ତାଙ୍କର ଦକ୍ଷତା ଓଡ଼ିଶାରେ ବେଶ୍ ପରିଚିତ ଥିଲା ।
ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟବକ୍ତା ପ୍ରଫେସର ବିଶ୍ୱରଞ୍ଜନ କହିଲେ ଯେ, ଗଙ୍ଗାଧର ମହାପାତ୍ର ରାଜନୀତିର ଅଜାତ ଶତ୍ରୁ ଥିଲେ । ସେ ପୁରୀ ଜିଲାରେ ପ୍ରତ୍ୟେକ ନାଗରିକଙ୍କୁ ନିଜର ପରିବାର ବୋଲି ଭାବୁଥିଲେ । ତାଙ୍କ ମନ୍ତ୍ରୀତ୍ୱ ସମୟରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ଶ୍ରୀମନ୍ଦିରରେ ହୁଣ୍ଡି ପ୍ରତିଷ୍ଠା ହୋଇଥିଲା । ଆଜି ବି ଶ୍ରୀମନ୍ଦିରର ସେବାୟତମାନେ ତାଙ୍କର ମଣିଷ ପଣିଆକୁ ଭୂରି ଭୂରି ପ୍ରଶଂସା କରିଥାନ୍ତି । ଏହି ଅବସରରେ ବରିଷ୍ଠ ଆଇନଜୀବୀ, ଭୁବନେଶ୍ୱର ବାର୍ ଆସୋସିଏସନର ପୂର୍ବତନ ସଭାପତି ଶ୍ରୀ ଶିବାନନ୍ଦ ରାୟଙ୍କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଟ୍ଟନାୟକ ମାନପତ୍ର ଓ ଉତରୀୟ ଦେଇ ଗଙ୍ଗାଧର ମହାପାତ୍ର-୨୦୨୫ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ ।
ପ୍ରାରମ୍ଭରେ ଟ୍ରଷ୍ଟି ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ସ୍ୱାଗତ ଭାଷଣ ଓ ଶ୍ରୀ ସୀତାବଲ୍ଲଭ ମହାପାତ୍ର ଟ୍ରଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଓକିଲ ଶ୍ରୀ ଶୀଳଭଦ୍ର ଶାସ୍ତ୍ରୀ, ଅରବିନ୍ଦ ତ୍ରିପାଠୀ ଓ ଓକିଲ ମିତ୍ରଭାନୁ ମହାପାତ୍ର ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀ, ଦିଲ୍ଲୀପ ଦାସଶର୍ମା, ପୂର୍ବ ପ୍ରଶାସକ ସହଦେବ ଜୟସିଂ, ଧାରା ଶ୍ରୀରାଧା ଟ୍ରଷ୍ଟର ଅଧ୍ୟକ୍ଷ ଅମରେନ୍ଦ୍ର ମହାପାତ୍ର, ଉମାବଲ୍ଲଭ ମହାପାତ୍ର, ପର୍ଶୁରାମ ଦ୍ୱିବେଦୀ, କଂଗ୍ରେସ ନେତା କିଶୋର ଜେନା, ଡାକ୍ତର ଅଭୟ ଦାସ ଓ ଦୂରଦର୍ଶନର ପୂର୍ବତନ ନିର୍ଦ୍ଧେଶକ ଗୋପାଳ ମହାପାତ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇ ଗଙ୍ଗାଧର ମହାପାତ୍ରଙ୍କ ବହୁମୁଖୀ ପ୍ରତିଭା ଉପରେ ସ୍ମୃତିଚାରଣ କରିଥିଲେ ।
