ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସାଧିକା ବିଦ୍ୟୁତପ୍ରଭା ଦେବୀଙ୍କ ଜନ୍ମଶତବାର୍ଷିକୀ ପାଳିତ

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଭବ୍ୟ ଜୟନ୍ତୀ ସମାରୋହର ଆୟୋଜନ

ବିଦ୍ୟୁତପ୍ରଭା ଦେବୀଙ୍କ ଜୀବନୀ ଉପରେ ଆଧାରିତ ଚିତ୍ରକଳା ଶିବିର ଉଦ୍‌ଘାଟିତ, ଶିଳ୍ପୀଙ୍କ ତୂଳୀରେ ପ୍ରସ୍ଫୁଟିତ ହେଲା ବିଦ୍ୟୁତପ୍ରଭାଙ୍କ ବଳିଷ୍ଠ ବ୍ୟକ୍ତିତ୍ବ

ଲବ୍ଧ ପ୍ରତିଷ୍ଠିତ କବି ବିଦ୍ୟୁତପ୍ରଭା ଦେବୀ ହେଉଛନ୍ତି ନାରୀ ସଶକ୍ତିକରଣର ଅନ୍ୟତମ ପ୍ରତୀକ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଦ୍ୟୁତପ୍ରଭା ଦେବୀ ହେଉଛନ୍ତି ଅନନ୍ୟା : ପଦ୍ମଭୂଷଣ ଡ଼. ପ୍ରତିଭା ରାୟ

ନାରୀବାଦର ସକାରାତ୍ମକ ଉଦ୍‌ଘୋଷିକା ଓ ନାରୀଶକ୍ତିର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କବି ବିଦ୍ୟୁତପ୍ରଭା : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ସାହିତ୍ୟ ଓ ସଂସ୍କୃତି ଆମ ସମାଜର ଦର୍ପଣ, ବିଦ୍ୟୁତପ୍ରଭା ଦେବୀ ହେଉଛନ୍ତି ଓଡ଼ିଆ ସାହିତ୍ୟ ଜଗତର ଧ୍ରୁବତାରା : ଏକାମ୍ର ବିଧାୟକ ବାବୁ ସିଂ

ଭୁବନେଶ୍ୱର,୧୨/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସାଧିକା ବିଦ୍ୟୁତପ୍ରଭା ଦେବୀଙ୍କ ଜନ୍ମଶତବାର୍ଷିକୀ ଆଜି ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏହି ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହର ଆୟୋଜନ କରାଯାଇଥିଲା।

ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, “ସାରସ୍ୱତ ସାଧିକା ବିଦ୍ୟୁତପ୍ରଭା ଦେବୀଙ୍କ ଜନ୍ମଶତବାର୍ଷିକୀ ସମାରୋହରେ ଯୋଗଦେବା ମୋର ସୌଭାଗ୍ୟ। ବାଲ୍ୟାବସ୍ଥାରୁ ବିଦ୍ୟୁତପ୍ରଭା ଦେବୀଙ୍କର ସାହିତ୍ୟ ପ୍ରତି ରହିଥିବା ସାଧନା ଓ ସମର୍ପଣ ଭାବ ଆମ ସମସ୍ତଙ୍କୁ ପ୍ରେରିତ କରିଛି। ଓଡ଼ିଆ ସାହିତ୍ୟରେ ନାରୀବାଦୀ କବିତାର କଥା ଉଠିଲେ ବିଦ୍ୟୁତପ୍ରଭା ଦେବୀଙ୍କ କଥା ମନେପଡେ।

ଲବ୍ଧ ପ୍ରତିଷ୍ଠିତ କବି ବିଦ୍ୟୁତପ୍ରଭା ଦେବୀ ହେଉଛନ୍ତି ନାରୀ ସଶକ୍ତିକରଣର ଅନ୍ୟତମ ପ୍ରତୀକ।ବିଦ୍ୟୁତପ୍ରଭା ଦେବୀଙ୍କ ସାହିତ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଆଜିର କୃତ୍ରିମ ବୁଦ୍ଧିମତାର ଯୁଗରେ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ସହ ଏହାକୁ ଆଗକୁ ନେବା ପାଇଁ ଟେକ୍ନୋଲୋଜିର ଯେପରି ବ୍ୟବହାର ହୋଇପାରିବ ସେ ଦିଗରେ ଆମେ କାର୍ଯ୍ୟ କରିବା ଉଚିତ। ଆମ ଓଡ଼ିଆ ସାହିତ୍ୟ ଯେପରି ବିଶ୍ୱବିଦିତ ଓ ସୁସମୃଦ୍ଧ ହୋଇପାରିବ ସେଥିପାଇଁ ଆମେ ନିଜର ନିରନ୍ତର ପ୍ରୟାସ ଜାରି ରଖିବା ଉଚିତ।”

ସମ୍ମାନିତ ଅତିଥିଭାବେ ଯୋଗଦେଇ ପଦ୍ମଭୂଷଣ ଡ଼. ପ୍ରତିଭା ରାୟ କହିଥିଲେ ଯେ, “କବି ବିଦ୍ୟୁତପ୍ରଭା ଦେବୀ ହେଉଛନ୍ତି ଅନନ୍ୟା।ବିଦ୍ୟୁତପ୍ରଭାଙ୍କ ସାହିତ୍ୟ ସର୍ଜନା  ଓଡ଼ିଆ ସାହିତ୍ୟ ଜଗତକୁ ପରିପୁଷ୍ଟ କରିଛି। ନାରୀବାଦୀ ଓ ସମାଜବାଦୀ କବିତା ଲେଖି ସେ ଆମ ସମସ୍ତଙ୍କୁ ପ୍ରେରିତ କରିଛନ୍ତି। ପ୍ରେମ ଓ ବେଦନାରୁ କବିତା ଜନ୍ମ ହୋଇଥାଏ, ବିଦ୍ୟୁତପ୍ରଭାଙ୍କ କବିତାରେ ଉଭୟର ଝଲକ ଦେଖିବାକୁ ମିଳେ।”

ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, “ନାରୀବାଦର ସକାରାତ୍ମକ ଉଦ୍‌ଘୋଷିକା ଓ ନାରୀଶକ୍ତିର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କବି ବିଦ୍ୟୁତପ୍ରଭା। ତାଙ୍କ ଲେଖନୀରେ ପ୍ରସ୍ଫୁଟିତ ହୋଇଥିବା କବିତା ନାରୀ ସଶକ୍ତିକରଣର କଥା କହିଛି। ଏକ ସଶକ୍ତ ରାଷ୍ଟ୍ର ଓ ସଶକ୍ତ ସମାଜ ଗଠନରେ ନାରୀଶକ୍ତିର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ।

ଆଗକୁ ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ଗଠନ ପାଇଁ ଆମ ସରକାର ଯେଉଁ ପରିକଳ୍ପନା କରିଛନ୍ତି, ତାହାର ନେତୃତ୍ବ ଆମ ନାରୀ ସମାଜ, ଆମ ଛାତ୍ରୀ ସମାଜ ନେବେ ବୋଲି ମୋର ଦୃଢ଼ ବିଶ୍ୱାସ। ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ କରିବାର ଲକ୍ଷ୍ୟକୁ ପୂରଣ କରିବା ସହିତ ଓଡ଼ିଆ ଭାଷା ଓ ସାହିତ୍ୟକୁ ବିଶ୍ୱବିଦିତ କରିବା ପାଇଁ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ। ଆମ ଭାଷା ଦିନେ ତାଳପତ୍ରରୁ କାଗଜ ଯାଏଁ ଆସିଥିଲା। ବର୍ତ୍ତମାନ କାଗଜରୁ କ୍ଲାଉଡ଼ ପର୍ଯ୍ୟନ୍ତ ରହିଥିବା ଯାତ୍ରା ଅର୍ଥାତ ଭାଷାକୁ ଡିଜିଟାଇଜ କରିବା ନିମନ୍ତେ ଆମକୁ ହିଁ ଉଦ୍ୟମ କରିବାକୁ ପଡିବ ଓ ଆମେ ସମସ୍ତେ ଏଥିରେ ସଫଳ ହେବା ବୋଲି ମୋର ବିଶ୍ୱାସ”।

ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ କହିଥିଲେ ଯେ, “ସାହିତ୍ୟ ଓ ସଂସ୍କୃତି ଆମ ସମାଜର ଦର୍ପଣ। ବିଦ୍ୟୁତପ୍ରଭା ଦେବୀ ହେଉଛନ୍ତି ଓଡ଼ିଆ ସାହିତ୍ୟ ଜଗତର ଧ୍ରୁବତାରା। ତାଙ୍କର ଜୀବନୀ, ତାଙ୍କର ବ୍ୟକ୍ତିତ୍ୱ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କ ଆଦର୍ଶରେ ଆମ ଯୁବପିଢ଼ି ପ୍ରେରିତ ହୋଇ ଏକ ସଶକ୍ତ ସମାଜ ଗଠନ ନିମନ୍ତେ କାର୍ଯ୍ୟ କରିବେ ବୋଲି ମୁଁ ଆଶା କରୁଛି।”

କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ କୋରାପୁଟର ପୂର୍ବତନ କୁଳପତି ତଥା ବିଦ୍ୟୁତପ୍ରଭା ଦେବୀଙ୍କ ସୁପୁତ୍ର ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି କବି ବିଦ୍ୟୁତପ୍ରଭାଙ୍କ ସାରସ୍ୱତ ସାହିତ୍ୟ ସର୍ଜନା ଉପରେ ଆଲୋକପାତ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ବିଦ୍ୟୁତପ୍ରଭା ଦେବୀଙ୍କ ଜୀବନୀ ଉପରେ ଆଧାରିତ ଚିତ୍ରକଳା ଶିବିରକୁ ମୁଖ୍ୟ ଅତିଥି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିଥିଲେ।ଶିଳ୍ପୀଙ୍କ ତୂଳୀରେ ପ୍ରସ୍ଫୁଟିତ ଚିତ୍ରକଳାକୁ ଶ୍ରୀ ପ୍ରଧାନ ବେଶ୍ ପ୍ରଶଂସା କରିଥିଲେ। ଏଥିସହିତ ଆଜିର କାର୍ଯ୍ୟକ୍ରମରେ “ବାଜିରାଉତ” ଶୀର୍ଷକ ପୁସ୍ତକ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ପତ୍ରିକା “କୋଣାର୍କ” ଉନ୍ମୋଚିତ ହୋଇଥିଲା। ବିଦ୍ୟୁତପ୍ରଭା ଦେବୀଙ୍କ ଜୀବନୀ ଉପରେ ଆଲୋଚନା ଚକ୍ର ମଧ୍ୟ ଆୟୋଜିତ ହୋଇଥିଲା।

ଓଡ଼ିଶା ସାହିତ୍ୟ ଏକଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା ଆଜିର କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ଚରଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ, ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀବୃନ୍ଦ, ସାହିତ୍ୟିକ, ବୁଦ୍ଧିଜୀବୀ, ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ।

-0-

ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *