ବିଦେଶ ମାଟି ଦୁବାଇରେ ଜନଜାତି ଶିଳ୍ପୀମାନେ ଚମକିଲେ –

                                        ଓଡ଼ିଶା ଜନଜାତି କଳାର ଉଚ୍ଚ ପ୍ରଶଂସା କଲେ କନ୍ସୁଲ୍ ଜେନେରାଲ

ଭୁବନେଶ୍ୱର,୧୪/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଦେଶ ମାଟି ଦୁବାଇଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଅଧୀନରେ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି ଓଡ଼ିଶା ଜନଜାତି ଚିତ୍ର କଳା ପ୍ରଦର୍ଶନୀ।

ଦୁବାଇରେ ଭାରତର କନ୍ସୁଲ ଜେନେରାଲ ସତିଶ କୁମାର ଶିବମ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ।ଓଡ଼ିଶା ଜନଜାତି କଳା ଉଚ୍ଚକୋଟୀର,ତାଙ୍କୁ ଅଭିଭୂତ କରିଛିଏବଂ ସେ ନିଜେ ଓଡ଼ିଶା ଆସି ସେମାନଙ୍କ ଗାଁକୁ ବୁଲିଯିବେ ବୋଲି କହିଥିଲେ।ଏଭଳି ପ୍ରଦର୍ଶନୀ ଆୟୋଜନ ଦ୍ଵାରା ଓଡ଼ିଶାର ଜନଜାତି ଶିଳ୍ପୀ ମାନଙ୍କ ପ୍ରଚାର ଓ ପ୍ରସାର ସହିତ ଭାରତ ଓ ଦୁବାଇ ପରସ୍ପର ପାରମ୍ପରିକ ସଂସ୍କୃତିର ବିନିମୟ ହୋଇପାରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।ଏହି ଅବସରରେ ଏକାଡେମୀର ସଭାପତି,ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।ପ୍ରାରମ୍ଭରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ଶାସନସଚିବ ମଧୂସୁଦନ ଦାଶ ଅତିଥିଙ୍କୁ ସ୍ଵାଗତ କରିବା ସହିତ ପ୍ରଦର୍ଶନୀର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।ପ୍ରଥମ ଥର ବିଦେଶ ମାଟିରେ,ଦୁବାଇଠାରେ ଓଡ଼ିଶାର ଜନଜାତି ଚିତ୍ରକଳା ଅଙ୍କନ କରି ଓଡ଼ିଶାର କଳା ସଂସ୍କୃତିର ନିଖୁଣ ଚିତ୍ର ପ୍ରଦର୍ଶନ କରିଥିବାରୁ ଶିଳ୍ପୀମାନଙ୍କୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ। ବିନୋଦିନୀ ସିଂହ, ସୁଜନ୍ମତି ଏକା,ଇନ୍ଦିରା ଗୋମାଙ୍ଗ, ସୁକୁମତି ଥିଉ, ସୌଭାଗ୍ୟ ମଞ୍ଜରୀ ମଲ୍ଲିକ,ସୁଭଦ୍ରା କରୱା,ଡଲି ଜାନୀ,ସୂର୍ୟଲତା ନାୟକ,ଭାରତୀ ଟୁଡୁ, ଜୁନେଶ ଗୋମାଙ୍ଗ,ରାଜେନ୍ଦ୍ର ସିଂ ଲାଗୁରି,ସନ୍ତୋଷସିଂ ଖୁଣ୍ଟିଆ,ଯୋଗୀ ଶବର, ସାମସନ୍ ଗୋମାଙ୍ଗ ଏବଂ ଅନିଲ କେରକେଟା ପ୍ରମୁଖ ଶିଳ୍ପୀମାନେ ହ୍ୟାଟ ପ୍ଲେସ ଦୁବାଇ ଅଲ ରିଗା ଠାରେ ୩ ଦିନ ଧରି ଓଡ଼ିଶାର ସୁପ୍ରସିଦ୍ଧ ସୌରା ଚିତ୍ର, ସାନ୍ତାଳ,କନ୍ଧ,ହୋଓ କୋଲହ ଆଦି ସମ୍ପ୍ରଦାୟର ଚିତ୍ର  ଅଙ୍କନ କରୁଛନ୍ତି। ଏକାଡେ଼ମୀର ସଚିବ ପଞ୍ଚାନନ ସାମଲ ପ୍ରଦର୍ଶନୀକୁ ପରିଚାଳନା କରିଥିଲେ। ପ୍ରଦର୍ଶନୀ ଅବସରରେ ଦୁବାଇରେ ରହୁଥିବା ଭାରତୀୟ ଚିତ୍ରଶିଳ୍ପୀ ଓ କଳାପ୍ରେମୀ ପ୍ରଦର୍ଶନୀ ବୁଲି ଦେଖିବା ସହିତ ଓଡ଼ିଶା ଜନଜାତି ଚିତ୍ରକଳାର ଭୂୟସୀ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *