ପାହାଳ ରସଗୋଲା କ୍ଲଷ୍ଟର୍ ଡିିପିଆର କୁ ରାଜ୍ୟ ସରକାର ଙ୍କ ଅନୁମୋଦନ

ଭୁବନେଶ୍ୱର,୦୯/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ରସଗୋଲା ଦିବସରେ ଖୁସି ଖବର ମିଳିଛି । ପାହାଳ ରସଗୋଲା କ୍ଲଷ୍ଟର ଡିିପିଆର୍ କୁ ସରକାରୀ ଅନୁମୋଦନ ମିଳିଛି । ଏଥିପାଇଁ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଓଡ଼ିଶା ରସଗୋଲାର ସ୍ୱତନ୍ତ୍ରତା କେବଳ ଏବେ ନୁହେଁ , କାହିଁ କେଉଁ କାଳରୁ ରହି ଆସିଛି । ତେବେ ବର୍ତମାନ ରସଗୋଲା ଓଡ଼ିଶାରେ ନୁହେଁ ବରଂ ରାଜ୍ୟ ବାହାରେ ମଧ୍ୟ ବେଶ୍ ଚର୍ଚ୍ଚିତ । ଓଡ଼ିଶାର ପ୍ରସିଦ୍ଧ ଏହି ରସଗୋଲାକୁ କିଭଳି ଦେଶ ବିଦେଶରେ ପହଂଚାଯାଇ ପାରିବ ସେଥି ନିମନ୍ତେ ରାଜଧାନୀରେ ଏକ ରସଗୋଲା ହବ୍ କରିବାକୁ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ପ୍ରାୟ ୭ବର୍ଷ ପୂର୍ବେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଚଳିତ ବର୍ଷ ଏଥିପାଇଁ ପ୍ରସ୍ତୁତ ହୋଇଥିବା ଡିପିଆରକୁ ରାଜ୍ୟ ସରକାରଙ୍କ ଏମଏମସଏମଇ ବିଭାଗ ପକ୍ଷରୁ ଅନୁମୋଦନ ମିଳିଛି ।

ନିକଟରେ ଖାରବେଳ ଭବନରେ ଅନୁଷ୍ଠିତ ବୈଠକରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଡିିପିଆରକୁ ଅନୁମୋଦନ କରାଯାଇଥିବା ବେଳେ ଖୁବଶିଘ୍ର କାମ ଆରମ୍ଭ ହେବ । ସୂଚନା ଅନୁସାରେ, ୨୦୧୮ ଫେବୃଆରି ୨୩ ତାରିଖରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ “ଓଡ଼ିଶା ରସଗୋଲା’ର ଜିଆଇ ମାନ୍ୟତା ଲାଗି ଆବେଦନ କରାଯାଇଥିବା ବେଳେ ୨୦୧୯ ଜୁଲାଇ ୨୯ ତାରିଖରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଲା । ଏହାକୁ ଦୃଷ୍ଟିରେ ରଖି ୨୦୨୦ ଡିସେମ୍ୱର ୧୨ ତାରିଖରେ ପାହାଳରେ “ରସଗୋଲା କ୍ଲଷ୍ଟର’ କରାଯିବାକୁ ଯୋଜନା ହୋଇଥିଲା । ଏଥିପାଇଁ ପାହାଳରେ କମନ୍ ଫାସିଲିଟି ସେଂଟର (ସିଏଫସି) ନିମନ୍ତେ ରାଜ୍ୟ ସରକାର ଦେଢ଼ ଏକର ଜାଗା ଯୋଗାଇ ଦେଇଥିଲେ । ଯେଉଁଠାରେ ମିଠା କାରିଗରମାନଙ୍କୁ ସଂଗଠିତ କରି ସେମାନଙ୍କ ବିକାଶ ଦିଗରେ ଏହି କ୍ଲଷ୍ଟର ପ୍ରମୁଖ ଭୂମିକା ଗ୍ରହଣ କରିବ । ଅତ୍ୟାଧୁନିକ ଉପାୟରେ ମିଠା ପ୍ରସ୍ତୁତି ସହ ରାଜ୍ୟ ଓ ଦେଶ ବାହାରକୁ ମିଠା ପଠାଇ ମିଠା କାରିଗର ଅଧିକ ରୋଜଗାରକ୍ଷମ ହେବେ ।

ଓଡ଼ିଶାର ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିବା ବେଳେ ପାହାଳ ରସଗୋଲାକୁ ଦେଶ ଓ ରାଜ୍ୟ ବାହାରେ ବ୍ରାଣ୍ଡିଂ କରିବାରେ ଏହା ସହାୟକ ହେବ । ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ଓ କଟକସ୍ଥିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନ ସହଯୋଗରେ ଏହି କ୍ଲଷ୍ଟର ସ୍ଥାପନ କରାଯିବାକୁ ଥିବା ବେଳେ ଏଥିପାଇଁ ମୋଟ୍ ୧୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସେଥିମଧ୍ୟରୁ ୭ କୋଟି ଟଙ୍କା ଭାରତ ସରକାର, ୨ କୋଟି ଟଙ୍କା ରାଜ୍ୟ ସରକାର ଏବଂ ୧ କୋଟି ଟଙ୍କା ମିିଠା କାରୀଗରମାନେ ବହନ କରିବାର ଯୋଜନା ରହିଥିଲା । ଏହି କ୍ଲଷ୍ଟରରେ ମିଠାର ପ୍ୟାକେଜିଙ୍ଗ୍, ବ୍ରାଣ୍ଡିଂ କରାଯିବା ସହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସହ ମିଠାର ମାନ ଯାଂଚ କରାଯିବାକୁ ଲାବ୍ରୋଟୋରୀ ଏବଂ କୋଲ୍ଡଷ୍ଟୋରର ମଧ୍ୟ ସୁବିଧା କରାଯାଇ ପ୍ରଚୁର ପରିମାଣର ମିଠା ଗଚ୍ଛିତ ରଖାଯିବାର ବ୍ୟବସ୍ଥା ରହିବ ।

ହେଲେ ଏଥିପାଇଁ ସଠିକ୍ ଡିପିଆର ପ୍ରସ୍ତୁତ ହୋଇପାରୁ ନଥିବାରୁ କାର୍ଯ୍ୟ ଆଗେଇ ପାରୁ ନଥିବା ଜଣାପଡ଼ିଛି । ଏନେଇ ପାହାଳ ରସଗୋଲା ଉଦ୍ୟୋଗୀ ଓ ପ୍ରସ୍ତୁତକାରୀ ସମିତିର ସଭାପତି ଅକ୍ଷୟ କୁମାର ଲେଙ୍କା କହିଛନ୍ତି ଯେ, କ୍ଲଷ୍ଟର ଡିଜାଇନ୍ ର ଡିିପିଆର ପ୍ରସ୍ତୁତ ହେବା ପରେ ଚଳିତ ମାସ ୧ ତାରିଖରେ ଏମଏସଏମଇ ବିଭାଗ ପକ୍ଷରୁ ଆପ୍ରୁଭ ହୋଇଛି । ଏହାପରେ ୩ମାସ ପରେ ଆଉ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ଡିିପିଆର କପି ଦିଲ୍ଲୀ ପଠାଯିବ । ସେଠାରୁ ଅନୁମତି ମିଳିବା ପରେ ସରକାର ଦେଇଥିବା ଜାଗାରେ କନଷ୍ଟ୍ରକସନ୍ ଆରମ୍ଭ ହେବ ଏବଂ ଆବଶ୍ୟକୀୟ ମେସିନ୍ ଲଗାଯିବ । ଏଥିପାଇଁ ଯାହା ଖର୍ଚ୍ଚ ହେବ ୭୦ ପ୍ରତିଶତ କେନ୍ଦ୍ର ସରକାର ବହନ କରିବା ସହ ୧୫ ପ୍ରତିଶତ ରାଜ୍ୟ ସରକାର ଏବଂ ୧୫ ପ୍ରତିଶତ ମିଠା କାରିଗରମାନେ ବହନ କରିବେ ।

Leave a Reply

Your email address will not be published. Required fields are marked *