୧୮ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ – – ସୃଷ୍ଟି ହେବ ୮,୨୦୦ରୁ ଅଧିକ ନିଯୁକ୍ତି – – – ଖୋର୍ଦ୍ଧାରେ ୩୦୦ କୋଟି ଟଙ୍କାରେ ହେବ ଇଭି କାରଖାନା
ଭୁବନେଶ୍ୱର,୨୧/୦୮/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଶିଳ୍ପ ବିକାଶକୁ ଗୁରୁତ୍ୱ ଦେଇ ମୋଟ ୪,୫୧୫ କୋଟି ଟଙ୍କାର ୧୮ଟି ନୂଆ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ଓଡ଼ିଶା ସରକାର । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ୧୩୯ତମ ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ପ୍ରକଳ୍ପଗୁଡ଼ିକ ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲାରେ ୮,୨୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ । ଇନକ୍ସ ସୋଲାର ଲିମିଟେଡ୍ ଢେଙ୍କାନାଳରେ ୨୮୩ କୋଟି ଟଙ୍କାରେ ୫ ଜିଡବ୍ଲ୍ୟୁଏଚ୍ ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ ପ୍ଲାଣ୍ଟ ସ୍ଥାପନ କରିବ, ଯାହା ୫୧ଟି ନିଯୁକ୍ତି ସୃଷ୍ଟି କରିବ ।
ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ ଯାଜପୁରରେ ୯୦ କୋଟି ଟଙ୍କାରେ ୧,୫୦୦ ଏନଏମ/ଥ୍ରୀ ପରଆୱାର ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ କାରଖାନା ସ୍ଥାପନ କରିବ, ଯାହା ୮୯ଟି ନିଯୁକ୍ତି ଦେବ । ଗଞ୍ଜାମରେ ରାୟପୁରର ଏକ କମ୍ପନୀ ୭୫୦ କୋଟି ଟଙ୍କାରେ ୨ ଜିଡବ୍ଲ୍ୟୁ ସୌର ସେଲ୍ ଉତ୍ପାଦନ କାରଖାନା ସ୍ଥାପନ କରିବ, ଯାହା ୫୧୫ଟି ନିଯୁକ୍ତି ସୃଷ୍ଟି କରିବ । ଗ୍ରାଭିଟା ଇଣ୍ଡିଆ ଲିମିଟେଡ୍ ଅନୁଗୁଳରେ ୩୫୦ କୋଟି ଟଙ୍କାରେ ରିଫାଇନ୍ଡ ଲେଡ୍, ଆଲଏ ଓ ପିି ପି ଗ୍ରାନ୍ୟୁଲ୍ ରିସାଇକ୍ଲିଂ କାରଖାନା ସ୍ଥାପନ କରିବ, ଯାହା ୨୭୦ଟି ନିଯୁକ୍ତି ଦେବ । ଷ୍ଟାରକ୍ୟାପ୍ସ ଗ୍ଲୋବାଲ ଏଲଏଲପି ଖୋର୍ଦ୍ଧାରେ ୮୦ କୋଟି ଟଙ୍କାରେ ଔଷଧ ଉତ୍ପାଦନ କାରଖାନା ସ୍ଥାପନ କରିବ । ପଦ୍ମା ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡ୍ ଜଗତସିଂହପୁରରେ ୫୯.୯୧ କୋଟି ଟଙ୍କାରେ ତିନି ତାରକା ହୋଟେଲ ସ୍ଥାପନ କରିବ ।

ଏସଏନଏମ ହୋଟେଲସ୍ ଆଣ୍ଡ ରିସର୍ଟସ୍ ପ୍ରାଇଭେଟ ଲିମିଟେଡ୍ ଜଗତସିଂହପୁରରେ ୯୨.୩୨ କୋଟି ଟଙ୍କାରେ ଚାରି ତାରକା ହୋଟେଲ ଓ ରିସର୍ଟ ସ୍ଥାପନ କରିବ । ଓରିସା ଷ୍ଟେଭେଡୋର୍ସ ଲିମିଟେଡ୍ ପାରାଦୀପରେ ୨୧୧ କୋଟି ଟଙ୍କାରେ ପାଂଚ ତାରକା ହୋଟେଲ ସ୍ଥାପନ କରିବ । ଭାଇବ୍ରାଣ୍ଟ ସ୍ପିରିଟସ୍ ପ୍ରାଇଭେଟ ଲିମିଟେଡ୍ ସୁନ୍ଦରଗଡ଼ରେ ୫୦ କୋଟି ଟଙ୍କାରେ ୪,୦୦୦ ଏମଟିିଏ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ ସ୍ଥାପନ କରିବ । ବେଟାବିଲ୍ଡସ୍ ଟେକ୍ନୋଲୋଜିସ୍ ପ୍ରାଇଭେଟ ଲିମିଟେଡ୍ ସୁନ୍ଦରଗଡ଼ରେ ୧୩୧.୫୫ କୋଟି ଟଙ୍କାରେ ଇଆରଡବ୍ଲ୍ୟୁ ପାଇପ୍, ପିଇବି ଉତ୍ପାଦନ ଓ ଏଚଆର କଏଲ ସ୍ଲିଟିଂ ପାଇଁ ଷ୍ଟିଲ ପ୍ରକ୍ରିୟାକରଣ କାରଖାନା ସ୍ଥାପନ କରିବ ।କୋଣାର୍କ ଇସ୍ପାତ ଲିମିଟେଡ୍ ଝାରସୁଗୁଡ଼ାରେ ୯୯୦ କୋଟି ଟଙ୍କାରେ ୦.୩୫ ଏମଟିିଏ ରୋଲିଂ ମିଲ, ୦.୬ ଏମଟିପିଏ ପେଲେଟ ପ୍ଲାଣ୍ଟ, ୭୦ ମେଗାୱାଟ କ୍ୟାପଟିଭ ପାୱାର ପ୍ଲାଣ୍ଟ, ୦.୫୪ ଏମଟିପିଏ ଡିଆରଆଇ ପ୍ଲାଣ୍ଟ ଓ ୦.୫୦ ଏମଟିିଏ ବିଲେଟ ପ୍ଲାଣ୍ଟ ସ୍ଥାପନ କରିବ ।
ଶ୍ରୀ ଜଗନ୍ନାଥ କ୍ୟାରିଅର୍ସ ପ୍ରାଇଭେଟ ଲିମିଟେଡ୍ ଅନୁଗୁଳରେ ୧୧୧.୯୦ କୋଟି ଟଙ୍କାରେ ଲଜିଷ୍ଟିକ୍ସ ପାର୍କ ଓ ଗୋଦାମ ସୁବିଧା ସ୍ଥାପନ କରିବ । ସାପିଏଣ୍ଟ ରିସୋର୍ସେସ ପ୍ରାଇଭେଟ ଲିମିଟେଡ୍ ଅନୁଗୁଳରେ ୭୦ କୋଟି ଟଙ୍କାରେ ୨ଗୁଣନ ୩ ଏମଟିପିଏ କୋଇଲା ୱାଶେରୀ ସ୍ଥାପନ କରିବ । ସନକା ଅଟୋ କର୍ପ ଲିମିଟେଡ୍ ଖୋର୍ଦ୍ଧାରେ ୩୦୦ କୋଟି ଟଙ୍କାରେ ୧୦,୦୦୦ ୟୁନିଟ ବାର୍ଷିକ କ୍ଷମତା ସହ ଇଭି ଉତ୍ପାଦନ କାରଖାନା ସ୍ଥାପନ କରିବ ।ଶ୍ରୀଟେକ ଡାଟା ଲିମିଟେଡ୍ ଖୋର୍ଦ୍ଧାରେ ୫୦୧ କୋଟି ଟଙ୍କାରେ ହାଇପରସ୍କେଲ ଡାଟା ସେଣ୍ଟର ସ୍ଥାପନ କରିବ । ୱେଷ୍ଟ ଏଜ୍ ଡାଟା ସେଣ୍ଟର୍ସ ପ୍ରାଇଭେଟ ଲିମିଟେଡ୍ ଖୋର୍ଦ୍ଧାରେ ୫୦.୫୦ କୋଟି ଟଙ୍କାରେ ଡାଟା ସେଣ୍ଟର ଓ ସାଟେଲାଇଟ ଇଣ୍ଟରନେଟ ସେବା ସ୍ଥାପନ କରିବ । ଏଲିକ୍ସିର ଅଫ ଇଷ୍ଟ – ଦି ଆର୍ଟିସାନ ଡିଷ୍ଟିଲେରୀ ଏଲଏଲପି ଖୋର୍ଦ୍ଧାରେ ୯୩.୬୫ କୋଟି ଟଙ୍କାରେ ସ୍ପିରିଟ ଉତ୍ପାଦନ କାରଖାନା ସ୍ଥାପନ କରିବ ।ଆସୋସିଏଟେଡ ଆଲକୋହଲସ୍ ଆଣ୍ଡ ବ୍ରୁଅରୀଜ ଲିମିଟେଡ୍ ଖୋର୍ଦ୍ଧାରେ ୩୦୦ କୋଟି ଟଙ୍କାରେ ୨୦୦ କେଏଲପିଡି ଶସ୍ୟ- ଆଧାରିତ ଡିଷ୍ଟିଲେରୀ ଓ ଆଇଏମଏଫଏଲ ବୋତଲ ଉତ୍ପାଦନ କାରଖାନା ସ୍ଥାପନ କରିବ ।
