ଭୁବନେଶ୍ୱର,୦୯/୦୭/୨୦୨୫ (ଓଡ଼ିଶା ସମାଚାର)- ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ସଙ୍ଗୀତ ଭିତିକ କାର୍ଯ୍ୟକ୍ରମ ‘ସଂସ୍କୃତି ବିଚିତ୍ରା’ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦଘାଟନୀ ଉତ୍ସବରେ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ କୁମକୁମ୍ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସାହିତ୍ୟିକ ତଥା ଗବେଷକ ଡ. ଶାନ୍ତନୁ କୁମାର ରଥ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ବେଳେ ସାହିତ୍ୟିକ ତଥା ଅନୁବାଦକ ଡ. ସଂଗ୍ରାମ ଜେନା ସମ୍ମାନିତ ଅତିଥିଭାବେ ଏବଂ ଓଡିଶା ସାହିତ୍ୟ ଏକାଡେମୀ ଓ ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ଡ. ଚନ୍ଦ୍ରଶେଖର ହୋତା ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହିଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଆଗାମୀ ଦିନରେ ଓଡିଶାର କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ଦିଗରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । କୁଳସଚିବ ଅନାମିକା ଅଧିକାରୀ ସ୍ୱାଗତ ଭାଷଣ ଦେବା ସହ ଏହିଭଳି କାର୍ଯ୍ୟକ୍ରମର ପ୍ରାସଙ୍ଗିକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭରେ ସହକାରୀ ପ୍ରଫେସର ଡ. ଇତିଶ୍ରୀ ସାହୁଙ୍କ ନିର୍ଦ୍ଧେଶନାରେ ହିନ୍ଦୁସ୍ତାନୀ କଣ୍ଠ ସଂଗୀତ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନେ ରାଗଯୋଗର ଚାରୋଟି ରଂଗକୁ ନେଇ ‘ସାଜନ କି ଯୋଗ୍’ ଓ ମା ଭବାନୀଙ୍କ ଭଜନ ପରିବେଷଣ କରିଥିଲେ । ମର୍ଦ୍ଧଳ ବିଭାଗ ପକ୍ଷରୁ ଓଡିଶାର ପାମ୍ପରିକ ସଂଗୀତକୁ ନେଇ ବୃନ୍ଦ ମର୍ଦ୍ଧଳ ବାଦନ ପରିବେଷଣ କରାଯାଇଥିଲା ।
ସହକାରୀ ପ୍ରଫେସର ଡ. ଜବାହାର ମିଶ୍ର ଓ ଡ ସାରଦା ପ୍ରସନ୍ନ ଦାସଙ୍କ ନିର୍ଦ୍ଧେଶନାରେ ବଂଶୀ, ବେହେଲା ଓ ସୀତାର ବାଦ୍ୟ ଯନ୍ତ୍ରରେ ପାରମ୍ପରିକ ଓଡିଶୀ ସଂଗୀତ ସହ ଶ୍ରୀଜଗନ୍ନାଥଙ୍କ ଭଜନର ଧୂନ୍ ବୃନ୍ଦ ଯନ୍ତ୍ର ସଂଗୀତରେ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମର ଶେଷ ପ୍ରସ୍ତୁତିରେ ସହକାରୀ ପ୍ରଫେସର ଡ. ସନ୍ଦୀପ କୁମାର ରାଉତଙ୍କ ନିର୍ଦ୍ଧେଶନାରେ ତବଲା ଓ ଢୋଲକ୍ ରେ ତାଳବାଦ୍ୟର କାର୍ଯ୍ୟକ୍ରମ ‘ତାଲ୍ ଯାତ୍ରା’ ପରିବେଷଣ କରାଯାଇଥିଲା । ସହକାରୀ ପ୍ରଫେସର ଡ. ଆଶିଷ ମହାପାତ୍ର ଓ ଡ. ଜ୍ଞାନରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
