ଜଗତସିଂହପୁର, ୦୩/୧୦/୨୦୨୫ (ଓଡ଼ିଶା ସମାଚାର)- ଗତ କାଲି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆ ଠାରେ ଶ୍ରୀରାମ କ୍ଲବ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗ ରେ ରାବଣପୋଡି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଶ୍ରୀ ରାମ କ୍ଲବ ସଭାପତି ଶ୍ରୀ ରତ୍ନାକର ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମାନ୍ୟବର ମନ୍ତ୍ରୀ, ଆଇନ୍, ପୂର୍ତ୍ତ ଓ ଅବକାରୀ ବିଭାଗ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଜଗତସିଂହପୁର ଜିଲ୍ଲା ଏକ କଳା,ସାହିତ୍ୟ ଓ ସ°ସ୍କୃତି ର ଜିଲ୍ଲା।
ଏହି ଉତ୍ସବ ଆମକୁ ସୂଚାଇ ଦେଉଛି ଅସତ୍ୟ ଉପରେ ସତ୍ୟର ଜୟ, ଅଧର୍ମ ଉପରେ ଧର୍ମର ଜୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ଜୟ । ପ୍ରଭୁ ଶ୍ରୀ ରାମଚନ୍ଦ୍ର ଏହି ସବୁ ଅସ୍ତ୍ର କୁ ପ୍ରୟୋଗ କରି ରାବଣ ବଧ କରିଥିଲେ। ସେ ସମସ୍ତଙ୍କୁ କ୍ରୋଧ, ମୋହ, ଲୋଭ, ଅହଙ୍କାର ଭଳି କୁପ୍ରକୃତି ରୁ ଦୂରେଇ ରହିବା ପାଇଁ ଉପଦେଶ ଦେଇଥିଲେ ଏବଂ ନିଜ ଭିତରେ ଦେବତ୍ତ୍ଵ ଭାବ ଆଣିବା ପାଇଁ ମଧ୍ୟ କହିଥିଲେ । ସେ କିଛି ବର୍ଷ ଧରି ବନ୍ଦ ରହିଥିବା ଆକର୍ଷଣୀୟ ଆତସ ବାଜି କାର୍ଯ୍ୟକ୍ରମର ପୁନଃ ଆରମ୍ଭ ପାଇଁ ମାନ୍ୟବର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଓ ଶ୍ରୀରାମ କ୍ଲବ୍ କାର୍ଯ୍ୟକର୍ତ୍ତା ଙ୍କୁ ଧନ୍ୟବାଦ ଜଣାଇଥିଲେ ।
ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଶେଷରେ ରାବଣ ଦେହରେ ବୈଦ୍ୟୁତିକ ଅଗ୍ନି ସଂଯୋଗ କରିଥିଲେ। ଏହି ଉତ୍ସବ ରେ ମୁଖ୍ୟ ବକ୍ତା ଭାବେ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଯୋଗଦେଇ ଜିଲ୍ଲା ରେ ହେଉଥିବା ଏହି ପାର୍ବଣ ର ପର୍ବ କୁ ସୂଚାରୁ ରୂପେ ପାଳି ଥିବାରୁ ଜିଲ୍ଲାବାସୀ ଙ୍କୁ କୃତଜ୍ଞତା ଜଣାଇଥିଲେ। ସେ ସମସ୍ତଙ୍କୁ ସ୍ଵାଭିମାନୀ ଓ ଆତ୍ମନିର୍ଭରଶୀଳ ହେବା ପାଇଁ ଉପଦେଶ ଦେଇଥିଲେ ।
ଅନ୍ୟ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଜିଙ୍କ୍ୟା ମାଣେ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଷୋୟୀ,ଥାନପତି ମେଢ଼ ର ସଭାପତି ଶ୍ରୀ ସତ୍ୟ ବ୍ରତ ମହାପାତ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ।ପ୍ରାରମ୍ଭରେ ଶ୍ରୀରାମ କ୍ଲବ ସମ୍ପାଦକ ଶ୍ରୀ ବିଜୟ କୁମାର ରାଉତ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଦୁଃଖୀରାମ ସ୍ବାଇଁ କଳା ପ୍ରତିଷ୍ଠାନ ପକ୍ଷରୁ ରାମଲୀଳା ପ୍ରଦର୍ଶିତ ହୋଇଥିଲା।ଏଥିରେ ରାବଣ ଜଟାୟୁ ଯୁଦ୍ଧ, ସୀତା ହରଣ,ରାମରାବଣ ଯୁଦ୍ଧ ଓ ରାବଣ ବଧ ବେଶ ଆକର୍ଷଣୀୟ ହୋଇଥିଲା। ଶେଷରେ ଶ୍ରୀରାମ କ୍ଲବ୍ ର କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ସୁଜିତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଆରକ୍ଷୀ ବାହିନୀ ପକ୍ଷରୁ ଶାନ୍ତି ଶୃଙ୍ଖଳା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା।
