ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ସମୂହ ଛୁଟିରେ ଗଲେ ଓଏଏସ ଅଧିକାରୀ

କେନ୍ଦ୍ରାପଡ଼ା,୦୧/୦୭/୨୦୨୫(ଓଡ଼ିଶା ସମାଚାର)- ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରି କେନ୍ଦ୍ରାପଡ଼ା ଜିଲାରେ କାର୍ଯ୍ୟରତ ଓଡ଼ିଶା ପ୍ରଶାସନିକ ସେବା ଏବଂ ଓଡ଼ିଶା ରାଜସ୍ୱ ସେବାର ଅଧିକାରୀମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ଯିବାକୁ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଲିଖିତ ଭାବେ ଅବଗତ କରିଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ ଜଣେ ଓଏଏସ୍ ଅଧିକାରୀଙ୍କୁ କାର୍ଯ୍ୟରତ ସମୟରେ ତାଙ୍କ କାର୍ଯ୍ୟାଳୟରେ ଯେଉଁଭଳି ଅମାନୁଷିକ ଭାବେ ସଂଗବଦ୍ଧ ଆକ୍ରମଣ କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ।

ଏହି ଘଟଣା ରାଜ୍ୟରେ କାର୍ଯ୍ୟରତ ସମସ୍ତ ଓଏଏସ୍ ଅଧିକାରୀଙ୍କୁ ବେଶ ଆଘାତ ପହଂଚାଇଛି । ଏହିଭଳି ଅମାନୁଷିକ ଆକ୍ରମଣ ଘଟଣା କୌଣସି କାର୍ଯ୍ୟସ୍ଥଳୀରେ ଗ୍ରହଣୀୟ ନୁହେଁ । ଏହା ଜଣେ ଅଧିକାରୀଙ୍କ ଉପରେ ଯେ ଆକ୍ରମଣ ତାହା ନୁହେଁ ଏହା ସମଗ୍ର ପ୍ରଶାସନିକ ବ୍ୟବସ୍ଥା ଉପରେ ଆକ୍ରମଣ । ପୂର୍ବରୁ ମଧ୍ୟ କାର୍ଯ୍ୟରତ ଓଏଏସ୍ ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଛି ।ଏହି ଘଟଣା ଯେ କେବଳ ଓଏଏସ ଅଧିକାରୀମାନଙ୍କୁ ହତୋତ୍ସାହିତ କରିଛି ତାହା ନୁହେଁ ଏହା କାର୍ଯ୍ୟରତ ଅଧିକାରୀମାନଙ୍କ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେନ୍ଦ୍ରାପଡ଼ା ଜିଲା ଓଏଏସ ସଂଘ ପକ୍ଷରୁ ସର୍ବସମ୍ମତିକ୍ରମେ ଏହି ନିଷ୍ପତିି ଗ୍ରହଣ କରାଯାଇଛି ।

ଯେଉଁମାନେ ଏହି ଆକ୍ରମଣରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସଂଘ ଦାବି କରିଛି । ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ବେଳେ ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପଜିଲାପାଳ ଅରୁଣ କୁମାର ନାୟକ, ମହାକାଳପଡ଼ା ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ଗରଦପୁର ତହସିଲଦାର ତୃପ୍ତି ଦାଶ, ଗରଦପୁର ବିଡିଓ ଆଲୋକ କୁମାର ସେଠୀ, ଆଳି ବିଡିଓ ଅବିନାଶ ସେଠୀ, ଡେପୁଟୀ କଲେକ୍ଟର ରବି ନାରାୟଣ ଆଚାର୍ଯ୍ୟ, କେନ୍ଦ୍ରାପଡ଼ା ଅତିିରିକ୍ତ ତହସିଲଦାର କୁମୁଦିନୀ ଜେନା, ମାର୍ଶାଘାଇ ବିଡିଓ ପଂଚାନନ ମଲ୍ଲିକଙ୍କ ସମେତ ଜିଲାର ୨୯ ଜଣ ଓଏଏସ ଓ ଓଆରଏସ୍ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *