ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଶକ୍ତିମନ୍ତ୍ରୀଙ୍କ ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି ବୈଠକ

– ଚଳିତ ବର୍ଷ ଶେଷ ଆଡ଼କୁ ଆୟୋଜିତ ହେବ ।

– ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ନେବ ଶକ୍ତି କ୍ଷେତ୍ର- ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର,୦୧/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଚଳିତ ବର୍ଷ ଶେଷରେ ଓଡ଼ିଶାରେ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଓ ଆଇଆଇଟି କାନପୁରର ମିଳିତ ସହଯୋଗରେ ଆୟୋଜିତ ହେବ ଶକ୍ତିମନ୍ତ୍ରୀଙ୍କ ସମ୍ମିଳନୀ । ସାରା ଦେଶର ଶକ୍ତିମନ୍ତ୍ରୀମାନେ ଏଥିରେ ଯୋଗଦେବେ । ଶକ୍ତି କ୍ଷେତ୍ରରେ ଅଧିକ ପ୍ରଭାବଶାଳୀ ରଣନୀତି ପ୍ରସ୍ତୁତ କରିବାରେ  ଓଡ଼ିଶା ନେତୃତ୍ୱ ନେବ । ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଗତ ଜୁନ ମାସରେ ନୂଆଦିଲ୍ଲୀ ଠାରେ ଏଥିନିମନ୍ତେ ଓଡିଶା ସରକାରଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ସମ୍ମିଳନୀରେ ଓଡ଼ିଶାର ଶକ୍ତି କ୍ଷେତ୍ରରେ ହୋଇଥିବା ନବସୃଜନର ସମାହାର ପ୍ରଦର୍ଶିତ ହେବ । ଦେଶ ବିଦେଶରୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଏହି ସମ୍ମିଳନୀରେ ଯୋଗଦେବେ ।

ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୨୦୪୭ ସୁଦ୍ଧା ହେବାକୁ ଥିବା ବିକଶିତ ଭାରତ ଗଠନର ମୂଳଦୁଆ ପଡିସାରିଛି । ଏଥିରେ ଶକ୍ତି କ୍ଷେତ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଭବିଷ୍ୟତକୁ ଦୃଷ୍ଟିରେ ରଖି ଜଳବାୟୁ ସହନୀୟ ରଣନୀତି ସରକାରଙ୍କ ଦ୍ଵାରା ପ୍ରସ୍ତୁତ ହେଉଛି । କାର୍ବନ ନିର୍ଗମନ ହ୍ରାସ କରି ନେଟ ଜିରୋ କାର୍ବନ ଲକ୍ଷ୍ୟ ହାସଲ ଦିଗରେ ରାଜ୍ୟ ଅଗ୍ରସର ହେଉଛି । ପାରମ୍ପରିକ ଉତ୍ସରୁ ଆମେ ଅକ୍ଷୟ ଶକ୍ତିକୁ ପରିବର୍ତ୍ତନ ନିମନ୍ତେ ପଦକ୍ଷେପ ଗ୍ରହଣ କରି ରାଜ୍ୟରେ ସୌର ବିଦ୍ୟୁତ, ପିଏସପି, ଗ୍ରୀନ ଏନର୍ଜି ଇତ୍ୟାଦିର ବିକାଶ ଆଡକୁ ଗତି କରୁଛୁ । ଏଥିରେ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଆମକୁ ସହଯୋଗ କରିବ ।

ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଡ଼ାଇରେକ୍ଟର ଶ୍ରୀ ବିବେକ ଅଗ୍ରୱାଲ, ଏନ ସାଗର, ଅମର ଜ୍ୟୋତି ମହାପାତ୍ର,  ଗ୍ରୀଡ଼କୋ ଏମଡି ଶ୍ରୀ ତ୍ରିଲୋଚନ ପଣ୍ଡା, ଅତିରିକ୍ତ ଶାସନ ସଚିବ ଶ୍ରୀ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

-0-

ସୁଶ୍ରୀ ସଙ୍ଗୀତା ମହାରଣା,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *