ନୂଆଦିଲ୍ଲୀ /ଭୁବନେଶ୍ୱର,୦୯/୦୯/୨୦୨୫ (ଓଡ଼ିଶା ସମାଚାର/ଏଜେନ୍ସି)- ଆସନ୍ତା ବର୍ଷ ଅର୍ଥାତ୍ ୨୦୨୬ରେ ଜାତୀୟ ଜନଗଣନା ହେବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଏଥର ଜାତୀୟ ଜନଗଣନା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ୍ ମୋଡ୍ ରେ ହେବ । ପ୍ରାୟ ୩୪ଲକ୍ଷ କର୍ମଚାରୀ ନିଜ ସ୍ମାର୍ଟଫୋନ୍ ମାଧ୍ୟମରେ କାମ କରିବେ ।
ରେଜିଷ୍ଟାର ଜେନେରାଲଙ୍କ ଦ୍ୱାରା ମୁତୟନ ହୋଇଥିବା ପର୍ଯ୍ୟବେକ୍ଷକ ଏବଂ ଜନଗଣନା ପାଇଁ ନିୟୋଜିତ କର୍ମଚାରୀମାନେ ନିଜ ସ୍ମାର୍ଟ ଫୋନରେ ତଥ୍ୟ ସଂଗ୍ରହ କରି ଏକ ଆପ୍ଲିକେସନ୍ ମାଧ୍ୟମରେ ଡାଟାକୁ ସେଂଟ୍ରାଲ୍ ସର୍ଭର ରେ ଟ୍ରାନ୍ସଫର କରିବେ । ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷ ହେବାକୁ ଥିବା ଜନଗଣନା କାର୍ଯ୍ୟରେ ସମସ୍ତ କର୍ମଚାରୀ ତଥ୍ୟ ସଂଗ୍ରହ ପାଇଁ ଏକ ମୋବାଇଲ୍ ଆପ୍ଲିକେସନକୁ ବ୍ୟବହାର କରିବେ ।
ତେବେ ଏହି ଆପ୍ ୨୦୨୧ ଜନଗଣନା କାର୍ଯ୍ୟ ପାଇଁ ବିକଶିତ କରାଯାଇଥିଲା । ଏହି ଅପ୍ଲିକେସନ ଅଣ୍ଡ୍ରୋଏଡ୍ ଓ ଆଇଓଏସ୍ ଅପରେଟିଂ ସିଷ୍ଟମରେ ସପୋର୍ଟ କରିବ । ଏଥିରେ ଇଂରାଜୀ ସହିତ ଅନ୍ୟ ଭାଷା ମଧ୍ୟ ଉପଲବ୍ଧ ରହିବ । ସୂଚନା ଅନୁଯାୟୀ, ୪ ବର୍ଷ ପୂର୍ବର ଏହି ଆପ୍ଲିକେସନକୁ ଡିଜିଟାଲ୍ ଜନଗଣନା ପାଇଁ ସମ୍ପୂର୍ଣ୍ଣ ଭାବେ ବିକଶିତ କରାଯାଇଛି । ଏଥିରେ ସରଳ ସେଟିଂସ୍ ରହିଛି, ଯାହାକୁ ଜନଗଣନା କର୍ମଚାରୀମାନେ ସହଜରେ ବ୍ୟବହାର କରିପାରିବେ ।
