ଭୁବନେଶ୍ୱର,୨୫/୦୬/୨୦୨୫(ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶିରିପୁରସ୍ଥିତ ଇମେଜ୍ ଅଫିସ୍ ସଭାଗୃହରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଜାତୀୟ ସେବା ଯୋଜନା ଶାଖା ତରଫରୁ ଆୟୋଜିତ ହୋଇଥିବା ଦୁଇ ଦିବସୀୟ ରାଜ୍ୟ ସମ୍ମିଳନୀ ଆଜି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ କାଳୀ ପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏନ୍ ଏସ୍ ଏସ୍ର ବିଭିନ୍ନ ସେବା ମୂଳକ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ।
ବ୍ୟକ୍ତି ଯେକୌଣସି ପଦପଦବୀରେ ଥାଉ ନା କାହିଁକି ସମାଜ କଲ୍ୟାଣ ପାଇଁ ସେବା ମନୋଭାବ ରଖି କାମ କରିବା ଉଚିତ୍ ବୋଲି ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ମତବ୍ୟକ୍ତ କରିଥିଲେ। ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ଓ ରାଜ୍ୟ ଏନ୍ ଏସ୍ ଏସ୍ ଅଧିକାରୀ ତଥା ଉପ ଶାସନ ସଚିବ ଡ଼ ରମେଶ ଚନ୍ଦ୍ର ବେହେରା ରାଜ୍ୟର ଏନ ଏସ୍ ଏସ୍ ଶାଖା ଯେଭଳି ନିଜର ଗଠନମୂଳକ ସେବାକାର୍ଯ୍ୟ ମାଧ୍ୟମରେ ସାରା ଦେଶରେ ଉଦାହରଣ ସୃଷ୍ଟି କରିବ ସେଥିପାଇଁ ଉଦ୍ବୋଧନ ଦେଇଥିଲେ।
ସୂଚନାଯୋଗ୍ୟ ଯେ, ଜୁନ୍ ୨୪ ଓ ୨୫ ଦୁଇ ଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକଗଣ, ୩୦ଟି ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଓ ସ୍ୱେଚ୍ଛାସେବୀମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜକ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବା ସହିତ ସମସ୍ତ ପ୍ରତିଭାଗୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।
