କେନ୍ଦ୍ରାପଡ଼ା, ୨୪/୦୬/୨୦୨୫(ଓଡ଼ିଶା ସମାଚାର)- ଶ୍ରୀବଳଦେବଜୀଉଙ୍କ ତେର ଦିନର ଗୁପ୍ତ ସେବା ଚାଲିଛି । ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ହେତୁ ମହାପ୍ରଭୁଙ୍କୁ ଭୀଷଣ ଜ୍ୱର ହୋଇଥିଲା । ତେଣୁ ଚତୁର୍ଦ୍ଧାମୂର୍ତି ଏବେ ଅଣସର ଘରେ ଅଛନ୍ତି । ଅଣସର ଘରେ ଏବେ ଗୁପ୍ତସେବା ଚାଲିଛି । ବୈଦ୍ୟରାଜଙ୍କ ଚେରମୂଳି ଔଷଧ ଦ୍ୱାରା ଶ୍ରୀବଳଦେବଜୀଉ ଏବେ ସୁସ୍ଥ ହେଉଛନ୍ତି । ଗୁପ୍ତ ସେବାରେ ଅନ୍ନ ଭୋଗ ନିଷେଧ ରହିଛି । ଅଣସର ଘରେ ଶ୍ରୀଜୀଉମାନଙ୍କୁ କେବଳ ପଣା ଓ ଫଳ ଭୋଗ ଅର୍ପଣ କରାଯାଉଛି । ଠାକୁରମାନେ ଅଣସର ଘରେ ଥିବାରୁ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ ଏବେ କଟକଣା ରହିଛି ।
ତେଣୁ ଭକ୍ତମାନେ ମନ୍ଦିରରେ କେବଳ ପଟି ଦିଅଁଙ୍କୁ ଦର୍ଶନ କରୁଛନ୍ତି । ଏହି ଦୁର୍ଲଭ ଦର୍ଶନ କେବଳ ବର୍ଷରେ ପନ୍ଦର ଦିନ ଆଷାଢ଼ ମାସ କୃଷ୍ଣ ପକ୍ଷରେ ସମ୍ଭବ ହୋଇଥାଏ । ଅଣସର ଘରେ ସମସ୍ତ ପ୍ରକାର ରୀତି ନୀତି କାର୍ଯ୍ୟ ହୋଇଥାଏ । ଅଣସର ଘରେ ଖେଚଡ଼ି, ଖିରୀ, କ୍ରାନ୍ତି ପିଠା, ଦହି ପଖାଳ, ଡାଳିମ୍ବ କୋରା ଭିନ୍ନ ଭିନ୍ନ ନୀତିରେ ପୂଜା ପଣ୍ଡା ସେବକଙ୍କ ଦ୍ୱାରା ଅର୍ପଣ କରାଯାଉଛି । ମନ୍ଦିର ପୂଜକ ଜ୍ୟୋତିରଞ୍ଜନ ପତ୍ରୀ କହିଛନ୍ତି ସ୍ନାନ ପୂର୍ଣ୍ଣିମା ରାତ୍ରରୁ ଶ୍ରୀବଳଦେବଜୀଉଙ୍କୁ ରଘୁନାଥଜୀଉଙ୍କ ମନ୍ଦିରରୁ ସେବକଙ୍କ ଦ୍ୱାରା ଅଣାଯାଇ ଜଗମୋହନରେ କପଡା ଆବୃତ କରାଯାଇ ବିଜେ କରାଯାଏ । ପନ୍ଦର ଦିନ ପୂଜା ସମ୍ପନ୍ନ ପରେ ଅମାବାସ୍ୟା ରାତିରେ ସେବାୟତଙ୍କ ଦ୍ୱାରା ପୁନର୍ବାର ରଘୁନାଥଜୀଉ ମନ୍ଦିରରେ ଅବସ୍ଥାପିତ କରାଯାଏ । ପରେ ପ୍ରଭୁଙ୍କ ନେତ୍ର ଉତ୍ସବ ବା ନବ ଯୌବନ ଦର୍ଶନ ଦେଇଥାନ୍ତି ପ୍ରଭୁ । ଏହି ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଶ୍ରୀବଳଦେବଜୀଉ ।
