ସକାଳ ୭ରୁ ରାତି ୯ ଯାଏ ସହର ମଧ୍ୟରେ ଭାରୀଯାନ ଚଳାଚଳ ବନ୍ଦ

କେନ୍ଦ୍ରାପଡା, ୨୫/୦୨/୨୦୨୫(ଓଡ଼ିଶା ସମାଚାର)- ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ କେନ୍ଦ୍ରାପଡା ସହରର କୌଣସି ରାସ୍ତାରେ ଭାରୀଯାନ ଚଳାଚଳ ହୋଇପାରିବ ନାହିଁ । ଏହି ସମୟ ମଧ୍ୟରେ ଭାରୀଯାନ ଚଳାଚଳ ବନ୍ଦ ରହିବ ବୋଲି କେନ୍ଦ୍ରାପଡା ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଏକ ନିର୍ଦେଶନାମା ଜାରି କରିଛନ୍ତି । ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ୧୫ରୁ ୪୫ବର୍ଷ ମଧ୍ୟରେ ଲୋକମାନେ ପେଟପୋଷିବା ପାଇଁ ବିଭିନ୍ନ କର୍ମ ସଂସ୍ଥାନକୁ ଯାଉଛନ୍ତି ଓ ଫେରୁଛନ୍ତି ।

ସେହିପରି ଏହି ସମୟ ମଧ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ରାସ୍ତାରେ ଯିବା ଆସିବା କରୁଛନ୍ତି । ଭାରୀଯାନ ଗୁଡିକ ବାଲି, ଗୋଡି, ଚିପ୍ସ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ବୋହିବା ସମୟରେ ଗାଡି ଉପରେ ସଠିକ୍ ଭାବେ ପାଲ ଘୋଡାଉ ନାହାନ୍ତି । ଏହାଦ୍ୱାରା ବାଲି, ଗୋଡି, ମାଟି, ମୋରମ ଉଡି ଲୋକଙ୍କ ଉପରେ ପଡୁଛି । ଫଳରେ ରାସ୍ତାରେ ଦୂର୍ଘଟଣା ଘଟି ଧନ ଜୀବନ ହାନୀ ଘଟୁଛି । ତେଣୁ ଆଂଚଳିକ ପରିବହନ କର୍ମଚାରୀ ଓ ସ୍ଥାନୀୟ ପୋଲିସ ସଜାଗ ରହି ଭାରୀଯାନ ଚଳାଚଳକୁ ବନ୍ଦ କରିବେ ।

ଏହି ନିୟମକୁ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶନାମାରେ ଉଲ୍ଲେଖ କରିଛନ୍ତି । ସୂଚନା ଯୋଗ୍ୟ ଯେ ଗତ ସୋମବାର ଜନବହୂଳ ରାସ୍ଥା ତିନିମୁହାଣୀ ଛକରେ ବାଲି ବୋଝେଇ ହାଇୱା ଚଢି ଯିବାରୁ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତୁ୍ୟ ଘଟିଥିଲା । ଏଥିରେ ତାଙ୍କ ସ୍ୱାମୀ ଏବଂ ପୁଅ ଆହତ ହୋଇଥିଲେ । ଏହି ଘଟଣା ପରେ ଜିଲା ପ୍ରଶାସନ ସଜାଗ ହୋଇଥିବାରୁ ବୁଦ୍ଧିଜୀବୀମାନେ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *