ଲୋକ ନାଟ୍ୟକାର ପୂର୍ଣ୍ଣଚନ୍ଦ୍ର ପାଇଲେ ” ଚନ୍ଦ୍ରଶେଖର ନାଟ୍ୟ ସମ୍ମାନ “

ଭୁବନେଶ୍ୱର, ୦୭/୦୧/୨୦୨୪ (ଓଡ଼ିଶା ସମାଚାର)- ଭୁବନେଶ୍ବରର ପ୍ରତିଷ୍ଠିତ ଅଗ୍ରଣୀ ନାଟ୍ୟାନୁଷ୍ଠାନ ” ମନନ ନାଟ୍ୟ ସଂସ୍ଥା ” ର ୪୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ରବୀନ୍ଦ୍ରମଣ୍ଡପଠାରେ ଅନୁଷ୍ଠିତ ନାଟ୍ୟ ମହୋତ୍ସବର ୪ତାରିଖ ଦ୍ଵିତୀୟ ସନ୍ଧ୍ୟାରେ ଲୋକ ନାଟ୍ୟକାର ଡକ୍ଟର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟଙ୍କୁ “ଚନ୍ଦ୍ରଶେଖର ନାଟ୍ୟ ସମ୍ମାନ ” ପ୍ରଦାନ କରାଯାଇଛି । ଗ୍ରାମାଞ୍ଚଳରେ ଲୋକକଳାର ପ୍ରଚାର ପ୍ରସାର ଏବଂ ତା’ର ମୌଳିକତାକୁ ବଜାୟ ରଖିବା ପାଇଁ ପୂର୍ଣ୍ଣଚନ୍ଦ୍ର ନିଷ୍ଠାର ସହ କାର୍ଯ୍ୟ କରିଚାଲିଛନ୍ତି । ଲୋକନାଟକ ହେଉ ଅବା ମଞ୍ଚ ନାଟକ , ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ଓଡ଼ିଶାର ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ଦ୍ୱାରା ସେ ସମ୍ମାନିତ ଏବଂ ପୁରସ୍କୃତ । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ କଳା-ସଂସ୍କୃତିର ମାଟି ଗୋଳବାଇଶାସନ ଗ୍ରାମରେ ପୂର୍ଣ୍ଣଚନ୍ଦ୍ରଙ୍କ ଜନ୍ମ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ରାମଲୀଳା ଉପରେ ଗବେଷଣା କରି ମର୍ଯ୍ୟାଦାଜନକ ପି.ଏଚ.ଡି ଡିଗ୍ରୀ ହାସଲ କରିଛନ୍ତି । ଅଧ୍ୟାପନା ବୃତ୍ତିରେ ରହି ଲୋକକଳା ତଥା ମଞ୍ଚ ନାଟକ କ୍ଷେତ୍ରରେ ତାଙ୍କର ତ୍ୟାଗପୂତ ଜୀବନ ଯାତ୍ରା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛୁମାନଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି ।

Leave a Reply

Your email address will not be published. Required fields are marked *