ଭୁବନେଶ୍ୱର,୦୮/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭବିଷ୍ୟତ ପିଢି ପାଇଁ ପୁନଶ୍ଚ ପୃଥିବୀ ଏକ ଜନ ଆନ୍ଦୋଳନରେ ପରିଣତ ହେଉ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମ୍ପାଟି କହିଛନ୍ତି । ଚଳିତ ଅକ୍ଟୋବର ୦୮ ତାରିଖ ଦିନ ଭୁବନେଶ୍ୱରଠାରେ ସମ୍ବାଦ ଗ୍ରୁପ୍ ଆନୁକୂଲ୍ୟେରେ ଆୟୋଜିତ ‘ପୁନଶ୍ଚ ପୃଥିବୀ’ ସମ୍ମିଳନୀର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଆଜି ଆମେ ସମୟର ଏକ ନିର୍ଣ୍ଣାୟକ ମୁହୂର୍ତ୍ତରେ ଛିଡ଼ା ହୋଇଛେ । ଜଳବାୟୁ ପରିବର୍ତ୍ତନ ଏକ ଜୀବନ୍ତ ବାସ୍ତବତା ହୋଇଛି । ବୃଦ୍ଧି ପାଉଥିବା ତାପମାତ୍ରା, ଅନିୟମିତ ବର୍ଷା ଏବଂ ପରିବେଶଗତ ଅସନ୍ତୁଳନ ଆମର ବଂଚିବାଶୈଳୀ ଏବଂ ଉତ୍ପାଦନକୁ ପୁନଃ ଆକାର ଦେଉଛି ।

ତଥାପି ଏପରି ଆହ୍ୱାନ ମଧ୍ୟରେ ବିକାଶକୁ କେବଳ ଅଭିବୃଦ୍ଧି ଭାବରେ ନୁହେଁ ବରଂ ସନ୍ତୁଳନ, ସମାନତା ଏବଂ ନବୀକରଣ ଦିଗରେ ଏକ ସହଭାଗୀ ଯାତ୍ରା ଭାବରେ ପୁନଃ କଳ୍ପନା କରିବାର ଏକ ସୁଯୋଗ ରହିଛି । ‘ପୁନଶ୍ଚ ପୃଥିବୀ’ ସମ୍ମିଳନୀ ଏକ ଶକ୍ତିଶାଳୀ ବାର୍ତ୍ତା ବହନ କରେ ଯେ, ଆର୍ଥିକ ଅଭିବୃଦ୍ଧି ଏବଂ ପରିବେଶଗତ ପରିଚାଳନା ଏକ ସଙ୍ଗରେ ଯିବା ଉଚିତ୍ । ଆମର ସାମୁହିକ ଭବିଷ୍ୟତ ବିକାଶ ଏବଂ ପ୍ରକୃତି ମଧ୍ୟରେ ଆମେ ନିର୍ମାଣ କରୁଥିବା ସନ୍ତୁଳନ ଉପରେ ନିର୍ଭର କରେ । ପରିବେଶଗତ ଅବକ୍ଷୟ ସହିତ ଜଡ଼ିତ ଏକ ବିଶ୍ୱରେ ଗଣମାଧ୍ୟମର କେବଳ ସୂଚନା ଦେବା ନୁହେଁ, ବରଂ କାର୍ଯ୍ୟକୁ ପ୍ରେରଣା ଦେବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମ୍ବାଦ ଗ୍ରୁପ ଏ କ୍ଷେତ୍ରରେ ଯୁବ ପିଢିକୁ ଏକ ସବୁଜ ଆସନ୍ତା କାଲି ପାଇଁ ଚିନ୍ତା କରିବା, କାର୍ଯ୍ୟକରିବା ଏବଂ ନବସୃଜନ ନିମନ୍ତେ ପ୍ରେରଣାଦାୟକ ସାଜିଛି ।
‘ପୁନଶ୍ଚ ପୃଥିବୀ’ ପ୍ରୟାସ କେବଳ ଏକ ପରିବେଶ ଗତ କାର୍ଯ୍ୟକ୍ରମ ନୁହେଁ ବରଂ ସାମୁହିକ ପରିବର୍ତ୍ତନ ପାଇଁ ଏକ ଆହ୍ୱାନ । ଗୋଷ୍ଠୀ ନେତୃତ୍ୱାଧିନ କର୍ମଶାଳା, ସହଯୋଗପୂର୍ଣ୍ଣ ନବ ସୃଜନ କାର୍ଯ୍ୟକ୍ରମ ଏବଂ ରାଜ୍ୟ ବ୍ୟାପୀ ଅଗ୍ରଣୀ ଜଳବାୟୁ ପଂଚାୟତ ମାଧ୍ୟମରେ ନାଗରିକ ଏବଂ ସେମାନଙ୍କ ପ୍ରତିନିଧିମାନଙ୍କୁ ପରିବେଶ ଗତ ସ୍ଥିରତା ପାଇଁ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ସମାଧାନର ପନ୍ଥା ପ୍ରସ୍ତୁତ କରିବାକୁ ଏକତି୍ରତ କରେ ବୋଲି ରାଜ୍ୟପାଳ କହିଥିଲେ । ପୁଣି ରାଜ୍ୟପାଳ କହିଥିଲେ ଯେ, ଓଡ଼ିଶାର ଅନନ୍ୟ ପରିବେଶ, ସକ୍ଷମ ଲୋକ ଶକ୍ତି ଏବଂ ପ୍ରକୃତି ସହିତ ଜଡ଼ିତ ସଂସ୍କୃତି ଦର୍ଶାଇ ଥାଏ ଯେ, ପ୍ରଗତି ଏବଂ ସଂରକ୍ଷଣ ସହାବସ୍ଥାନ କରି ପାରିବେ ।
ବିଶ୍ୱ ଜଳବାୟୁ ପରିବର୍ତ୍ତନର ସମ୍ମୁଖୀନ ହେଉଥିବା ବେଳେ ଓଡ଼ିଶା ସବୁଜ ନବସୃଜନର ନେତୃତ୍ୱ ନେଇପାରିବ । ସରକାର ନବସୃଜନଶୀଳ ଶକ୍ତି, ବିପର୍ଯ୍ୟୟ ପରିଚାଳନା, ଉପକୂଳ ସୁରକ୍ଷା ଏବଂ ସ୍ଥାୟୀ ଜୀବିକା ମାଧ୍ୟମରେ ଜଳବାୟୁ ସ୍ଥିରତା ଦିଗରେ ପ୍ରୋତ୍ସାହିତ କରୁଛନ୍ତି । ବ୍ୟକ୍ତି, ଉଦ୍ୟୋଗୀ ଓ ଗୋଷ୍ଠୀ ସକ୍ରିୟଭାବେ ଅଂଶ ଗ୍ରହଣ କଲେ ଜଳବାୟୁ ସ୍ଥିରତା ଅଭିଯାନ ସଫଳ ହୋଇପାରିବ । ଏହି ପରିପ୍ରେକ୍ଷୀରେ ଯୁବ ପିଢି କେବଳ ପୃଥିବୀର ଉତ୍ତରାଧିକାରୀ ନୁହେଁ, ବରଂ ରକ୍ଷକ ସାଜି ପ୍ରକୃତି ଓ ପରିବେଶର ସୁରକ୍ଷା ଦିଗରେ ଆଗେଇ ଆସିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ ।
ଏହି ଅବସରରେ ଇଷ୍ଟର୍ଣ୍ଣ ମିଡ଼ିଆ ଲି.ର ମୁଖ୍ୟ ପରିଚାଳନା ନିର୍ଦ୍ଧେଶକ ସୌମ୍ୟରଜଂନ ପଟ୍ଟନାୟକ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ‘ପୁନଶ୍ଚ ପୃଥିବୀ’ ଅଭିଯାନର ଉଦ୍ଧେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏହି ସମାରୋହରେ ଦଶ ଜଣ ବ୍ୟକ୍ତିଙ୍କୁ ପରିବେଶ ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଥିଲା ।
-୦-
ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
