ଯାଜପୁର,୧୬/୦୬/୨୦୨୫ (ଓଡ଼ିଶା ସମାଚାର)- ଆଜି ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଆଶ୍ଵଥି ଏସ ଏବଂ ସ୍ବାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ସଚିବ ଡ଼ା. ବିଜୟ କୁମାର ମହାପାତ୍ର ଯାଜପୁର ଜିଲ୍ଲାର ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତକରି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ସେଠାକାର ପରିସ୍ଥିତି କିପରି ଅଛି ଅନୁଧ୍ୟାନ କରିଥିଲେ। ଏହି ଅବସରରେ ଝାଡାବାନ୍ତି ତଥା ଡାଇରିଆରେ ଆକ୍ରାନ୍ତ ଥିବା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ।
ପରେ ଜିଲ୍ଲପାଳ ଙ୍କ ସମ୍ମିଳନୀ କକ୍ଷରେ ପରିସ୍ଥିତି ସମୀକ୍ଷା କରିବା ପରେ ସ୍ବାସ୍ଥ୍ୟ ବିଭାଗ ଶାସନ ସଚିବ ଶ୍ରୀମତୀ ଆଶ୍ଵଥି ଏସ୍ କହିଥିଲେ ବର୍ତ୍ତମାନ ସୁଦ୍ଧା ୨୪୦ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। କାଲି ଏବଂ ଆଜି ମଧ୍ୟ ନୂଆ ରୋଗୀ ଆଡ଼ମିଶନ ହୋଇଛନ୍ତି।
ଡାକ୍ତରଙ୍କ ବିନା ଅନୁମତିରେ କୌଣସି ରୋଗୀ ଡାକ୍ତରଖାନା ନ ଛାଡ଼ିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ବିନା ଅନୁମତିରେ ଡିସଚାର୍ଜ ହୋଇ ଯିବା ଦ୍ଵାରା ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିବା ସହିତ ରୋଗୀର ପରିସ୍ଥିତି ଆହୁରି ଖରାପ ହେବାର ସମ୍ଭାବନା ମଧ୍ୟ ରହୁଛି ବୋଲି ଅବଗତ କରାଇଥିଲେ। ପ୍ରଥମ ପର୍ଯ୍ୟାୟରେ କେତେ ବିଶୋଧନ (ଡିସଇନ୍ଫେକ୍ସନ୍) କରାଯାଇଛି ଏହାର ମଧ୍ୟ ଆଜି ସମୀକ୍ଷା କରାଗଲା।
ନୂଆ ସଂକ୍ରମିତ ଚିହ୍ନଟର କାରଣ କଣ ରହୁଛି ଏହା ଜାଣିବା ପାଇଁ କେନ୍ଦ୍ରୀୟ ଟିମ, ମେଡିକାଲ କଲେଜ୍ ତରଫରୁ କମ୍ୟୁନିଟି ମେଡିକାଲ ଟିମ୍, ରାଜ୍ୟସ୍ତରୀୟ ଆର.ବି.ଏସ. କେ ଟିମ୍ ଅଞ୍ଚଳ ପରିଦର୍ଶନ କରି ତଦାରଖ କରିବା ସହିତ ବିଶୋଧନ (ଡିସଇନ୍ଫେକ୍ସନ୍) ସମ୍ବନ୍ଧରେ ମଧ୍ୟ ତଦାରଖ କରୁଛନ୍ତି। ସମଗ୍ର ୩୦ ଟି ଜିଲ୍ଲାରେ ଆଜି ଠାରୁ “ଷ୍ଟପ ଡାଇରିଆ” ଅଭିଯାନ ମଧ୍ୟ ଆରମ୍ଭ କରାଯାଉଛି। ଏହି ଅଭିଯାନ ମାଧ୍ୟମରେ ଲୋକଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଦିଆଯିବା ସହିତ ଜନସଚେତନତା ସୃଷ୍ଟି କରାଯିବ। ଆଜି ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ କାଲି ରାତି ୧୧ ଟା ସୁଦ୍ଧା ୨୪୪ ଜଣ ଚିକିତ୍ସିତ ହେଉଥିଲେ।
ନୂତନ ଭାବେ ଆଜି ୨୨୧ ଜଣ ଆଡମିଟ ହୋଇଥିବା ବେଳେ, ୧୮ ଜଣଙ୍କୁ ରେଫର କରାଯାଇଛି, ୧୮୫ ଜଣଙ୍କୁ ଡିସଚାର୍ଜ କରାଯାଇଛି। ବର୍ତ୍ତମାନ ୨୫୬ ଜଣ ବିଭିନ୍ନ ଡାକ୍ତରଖାନା ଓ ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି।ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଭେଷଜ ମହାବିଦ୍ୟାଳୟ ର ଡିନ ତଥା ଅଧ୍ୟକ୍ଷ, ମେଡିକାଲ କଲେଜ ସୁପରିଣ୍ଟେଡେଣ୍ଟ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ।
