ଆଳି,୧୦/୦୬/୨୦୨୫ (ଓଡ଼ିଶା ସମାଚାର)- ଆଜି ଆଳି ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଆଳି ବ୍ଳକ ଅଧୀନ ଆଳି ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆମ ଓଡିଶା ରାଜ୍ୟ ଜଗନ୍ନାଥ ସଂସ୍କୃତିରେ ପରିଚାଳିତ ଠାକୁର ଜଗନ୍ନାଥଙ୍କ ପାଇଁ ଓଡିଶା ବିଶ୍ୱ ସ୍ତରରେ ପରିଚିତ । ଲୋକକଥା ଏବଂ ପୂରାଣ ରେ ବର୍ଣନା କରାଯାଇଛି ଯେ ଶ୍ରୀମନ୍ଦିରରେ ଯେଉଁ ମହାପ୍ରସାଦ ପ୍ରସ୍ତୁତ ହୁଏ ତାହାକୁ ମା ଲକ୍ଷ୍ମୀ ନିଜ ହାତରେ ରାନ୍ଧିଥାନ୍ତି ।
ଏଣୁ ଶ୍ରୀ ମନ୍ଦିରରେ ଭକ୍ତଙ୍କ ପାଇଁ ମହାପ୍ରସାଦ କେବେ ଅଭାବ ହୁଏନି । ସେହିପରି ଠାକୁରଙ୍କ ପାଇଁ ବାର ମାସରେ ତେର ପର୍ବ ପାଳନ ହେଉଥିବାରୁ ଗୁରୁବାର ଓଷା ହେଉ କି ରଜ ପର୍ବ ହେଉ ସବୁଥିରେ ପିଠାପଣା ଘରେଘରେ ତିଆରି ହୁଏ ଓ ଠାକୁରଙ୍କ ନିକଟରେ ପ୍ରସାଦ ଲାଗି ହେବାପରେ ସମସ୍ତେ ଆନନ୍ଦରେ ପିଠାପଣା ଖାଇଥାନ୍ତି । ଜାତିର ଆରାଧ୍ୟ ଠାକୁର ଜଗନ୍ନାଥ ଓ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇଁ ଓଡ଼ିଶାରେ ଖାଦ୍ୟର କେବେ ଅଭାବ ପଡ଼େନି । ଏସବୁଖାଦ୍ୟ ପ୍ରସ୍ତୁତିରେ ମା ମାନଙ୍କର ନିଷ୍ଠା, ପରିଶ୍ରମ, ଶ୍ରଦ୍ଧା ସବୁଠାରେ ଆଗରେ ଥାଏ ।
ସେହି ମା ମାନଙ୍କୁ ଉତ୍ସାହିତ କରିବା ପାଇଁ ଓ ସେମାନଙ୍କ ମନରେ ଖାଦ୍ୟ ପ୍ରସ୍ତୁତିରେ ପ୍ରତିଯୋଗିତା ମନୋଭାବ ବଢାଇବା ପାଇଁ ରାଜ୍ୟ ସରକାର ମିଶନ ଶକ୍ତି ବିଭାଗ ଦ୍ୱାରା ଏହି କାର୍ୟ୍ୟ କ୍ରମର ଆୟୋଜନ କରିଛନ୍ତି । ଏଥିରେ ସଫଳତା ମିଳିଲେ ମା ମାନଙ୍କର ଆର୍ଥିକ ଅଭିବୃଦ୍ଧି ହୋଇ ପାରିବ ବୋଲି ସରକାର ଆଶାବ୍ୟକ୍ତ କରିଛନ୍ତି । ଏଥିରେ ବ୍ଲକର ପଚିଶ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠିର ପଚିଶ ଗୋଟି ସ୍ଟଲ ଭାଗ ନେଇଥିଲେ । ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠିର ମୁଖ୍ୟ ରୋସେୟା ମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଗୁଡିକ ବେଶ ଆକର୍ଷଣୀୟ ଓ ସ୍ୱାଦିଷ୍ଟ ହୋଇଥିଲା ।
ଷ୍ଟଲ ଗୁଡିକରେ ମାଣ୍ଡିଆ ଦହିବରା, ମାଣ୍ଡିଆ ପକୁଡି, ମାଣ୍ଡିଆ ଚକୁଳି ପିଠା, ମାଣ୍ଡିଆ ମଣ୍ଡା,ମୁଆଁ ପୋଡ଼ପିଠା, ଆରିସା ପିଠା, ଦହି ବରା, ଏଣ୍ଡୁରିପିଠା, ପୁରୀ ଘୁଗୁନି, କଦମ୍ବ ପିଠା, କ୍ଷୀର ମଣ୍ଡା, ଆଳୁ ଚାର୍ଟ, କ୍ଷୀର ପୋଡପିଠା, ଉପମା, ସୁଜିକାକରା, ରସମଲେଇ, ରସାବଳୀ, ମସଲାଦୋସା, କ୍ଷୀର ଗଇଁଠା, ମଣ୍ଡା ପୀଠ, ଆଳୁ ଚାର୍ଟ ବେଶ ସ୍ୱାଦିଷ୍ଟ ହୋଇଥିଲା । ରୋଷେୟା ମାନେ ଷ୍ଟଲ ପରିସରରେ ଖାଦ୍ୟ ସବୁ ପ୍ରସ୍ତୁତ କରିଥିଲେ ।
ଚଣ୍ଡୀଆଗାଡି ପଂଚାୟତ ର ବାସୁଦେବ ସ୍ୱୟଂ ସହାୟକ ଗୋଷ୍ଠୀ ର ମମତା ପ୍ରିୟଦର୍ଶିନୀ, ବଡଆମ୍ବିଳା ପଂଚାୟତ ଶ୍ରୀ ଅନୁକୂଳ ଗୋଷ୍ଠୀ ର ବାସନ୍ତୀ ମହାନ୍ତି, ନରେନ୍ଦ୍ରପୁର ପଂଚାୟତ ମା ମଙ୍ଗଳା ଗୋଷ୍ଠୀ ର ସତ୍ୟବ୍ରତୀ ସାହୁ, ପେତପଡା ପଂଚାୟତ ଭଗବତୀ ଗୋଷ୍ଠୀ ର ଗୋଲାପ ଦାସ, ମେଣ୍ଡପୁର ପଂଚାୟତ ନନ୍ଦଲାଲ ଜୀଉ ଗୋଷ୍ଠୀ ର ଜୟନ୍ତୀ ମହାନ୍ତି, ଦେମାଲ ପଂଚାୟତ ଜୟ ହନୁମାନ ଗୋଷ୍ଠୀ ର ରଶ୍ମିତା ପରିଡା, ପତ୍ରପୁର ପଂଚାୟତ ଜୟ ହନୁମାନ ଗୋଷ୍ଠୀ ର ପୁଷ୍ପାଞ୍ଜଳି ନାୟକ ଓ ଅନ୍ୟ ଗୋଷ୍ଠୀ ର ରୋଷେୟା ମାନେ ସେମାନଙ୍କ ଷ୍ଟଲ ରେ ସୁସ୍ୱାଦ ଖାଦ୍ୟ ମାନ ନିର୍ଦ୍ଧିଷ୍ଟ ସମୟ ସିମା ମଧ୍ୟରେ ପ୍ରସ୍ତୁତ କରିଥିଲେ।
ଆୟୋଜିତ ସଭାରେ ଆଳି ମଣ୍ଡଳ ଉନ୍ନୟନ ଅଧିକାରୀ ଅବିନାଶ ବିଶ୍ୱଜିତ ସେଠି ଅଧ୍ୟକ୍ଷତା କରି ରାଜ୍ୟ ସରକାରଙ୍କ ମହିଳା ସଶକ୍ତି କରଣ ନୀତିକୁ ଉଚ୍ଚପ୍ରଂଶସା କରିଥିଲେ । ସମ୍ମାନିତ ଅତିଥି ଭାବେ ଆଳି ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ବିକ୍ରମ ବେଉରା ଯୋଗ ଦେଇ ଆଳି ବ୍ଳକ ମିଶନ ଶକ୍ତି ବିଭାଗଦ୍ୱାରା ହେଉଥିବା କାର୍ୟ୍ୟକ୍ରମ ର ବେଶ ପ୍ରଶଂସା କରି ଥିଲେ ଓ ଆଗାମୀଦିନରେ ଏପରି ଖାଦ୍ୟ ପ୍ରସ୍ତୁତି ମହିଳାମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେଵବୋଲି ମତବ୍ୟକ୍ତ କରିଥିଲେ ।
ଅନ୍ୟତମ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ ମିନତୀ ବାରିକ, ଶିଶୁଵିକାଶ ପ୍ରକଳ୍ପ ଅଧିକାରିଣୀ ମାମିନା ବାଳା ପଣ୍ଡା, ସାମାଜିକ ସୁରକ୍ଷା ଅଧିକାରୀ ଦେବାଶିଷ ଆଚାର୍ୟ୍ୟ, ମିଶନ ଶକ୍ତି ବ୍ଳକ ପ୍ରକଳ୍ପ ସଂଯୋଜିକା ମନୀଷା ବାରିକ, ଜୀବିକା ମିଶନ ସଂଯୋଜିକା ସସ୍ମିତା ରାଉତ, ବିଭୁଦତ୍ତ ବିଶ୍ୱାଳ ପ୍ରମୁଖ ମଂଚାସୀନ ଥିଲେ । ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ମାମିନା ବାଳା ପଣ୍ଡା ସଭା ସଂଚାଳନ କରିଥିଲେ ଓ ରାଜ୍ୟ ସରକାରଙ୍କ ମହିଳା ସଶକ୍ତି କରଣ ନୀତିକୁ ଊଚ୍ଚ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ମହିଳାମାନେ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନାରୁ ଫାଇଦା ନେବା ଉଚ୍ଚିତବୋଲି ମତବ୍ୟକ୍ତ କରିଥିଲେ । ମିଶନ ଶକ୍ତି ଓ ଜୀବିକା ମିଶନ ର ସମସ୍ତ କର୍ମଚାରୀ ଏହି କାର୍ୟ୍ୟ କ୍ରମରେ ସହଯୋଗ କରିଥିଲେ ।