କେନ୍ଦ୍ରାପଡ଼ା,୦୬/୦୧/୨୦୨୪(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପରିବାର ଅଦାଲତରେ ଏକ ପରିବାର ବିଛେଦ ମାମଲାର ବିଚାର ସମୟରେ ଜଜ୍ ଙ୍କ ମାନବିକତା ନିକଟରେ ଉଭୟ ପତିପତ୍ନୀଙ୍କ ବିଛେଦ ହାର ମାନିଥିବା ବେଳେ ପୁଣି ଉଭୟ ସଂସାର ଗଢିବାକୁ ନଷ୍ପତି ନେଇଥିବା ଦେଖାଯାଇଛି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଇଶାଣଡିଆ ଗ୍ରାମର ରାଜକିଶୋର ସାହୁଙ୍କ ପୁଅ ଜୀତେନ୍ଦ୍ର କୁମାର ସାହୁ ଗତ ୨୦୧୮ମସିହାରେ କଟକ ମର୍କତନଗରର ବିଜୟ କୁମାର ପାତ୍ରଙ୍କ ଏକମାତ୍ର କନ୍ୟା କୁଶୁମାଞ୍ଜଳିଙ୍କୁ ବୈଦିକ ମତେ ବିବାହ କରିଥିଲେ । ବିବାହର କିଛି ବର୍ଷ ପର୍ଯ୍ୟନ୍ତ ଉଭୟ ପତିପତ୍ନୀ ଭଲରେ ଥିଲେ । ଉଭୟଙ୍କ ଔରସରୁ ୨ଟି ପୁତ୍ର ସନ୍ତାନ ମଧ୍ୟ ଜନ୍ମ ନେଇଥିଲେ । ଏହାପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ କୁଶୁମାଞ୍ଜଳି ଶଶୁର ଘରୁ ତାଙ୍କର ୨ପୁଅଙ୍କୁ ସଙ୍ଗରେ ନେଇ କଟକ ମର୍କତନଗରସ୍ଥିତ ବାପଘରେ ରହିଲେ । ସ୍ୱାମୀ ଜୀତେନ୍ଦ୍ର, ଉଭୟ ପରିବାର ଓ ଭଦ୍ର ଲୋକଙ୍କ ବହୁ ପ୍ରଚେଷ୍ଟା ପରେବି ସମାଧାନ ହୋଇପାରିନଥିଲା । ତେଣୁ ସ୍ୱାମୀ ଜୀତେନ୍ଦ୍ର କେନ୍ଦ୍ରାପଡା ପରିବାର ଅଦାଲତରେ ପତ୍ନୀ କୁଶାମାଞ୍ଜଳିଙ୍କୁ ଫେରାଇ ଆଣିବାକୁ ନିବେଦନ କରି ସି.ପି. କେଶ ନମ୍ବର- ୩୫/ ୨୦୨୩ରେ ଏକ ମାମଲା ଦାୟର କରିଥିଲେ । ପରିବାର ଅଦାଲତ ସେହି ମାମଲାରେ କୁଶୁମାଞ୍ଜଳିଙ୍କୁ କୋର୍ଟରେ ହାଜର ହେବାକୁ ଏକ ନୋଟିସ ପଠାଇଥିଲେ । ନୋଟିସ ପାଇବା ପରେ କୁଶୁମାଞ୍ଜଳି ତାହାକୁ ଚ୍ୟାଲେଞ୍ଜ କରି ଓଡିଶା ଉଚ୍ଚ ନ୍ୟାୟାଳୟରେ ଟି.ଆର.ପି.ସି. ନଂ- ୧୧୦/୨୦୨୩ରେ ଦାୟର କରି ଉକ୍ତ ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିନେବାକୁ ଏକ ଦରଖାସ୍ତ ଦାଖଲ କରିଥିଲେ । ଓଡିଶା ଉଚ୍ଚ ନ୍ୟାୟାଳୟ ସେହି ମାମଲାର ବିଚାର କରି ତା୧.୦୫.୨୦୨୩ରିଖରେ କୁଶୁମାଞ୍ଜଳିଙ୍କୁ କେନ୍ଦ୍ରାପଡା ପରିବାର ଅଦାଲତରେ ହାଜର ହୋଇ ନିଜର ପକ୍ଷ ରଖିବାକୁ ନିର୍ଦେଶ ପ୍ରଦାନ କଲେ । ତେଣୁ କୁଶୁମାଞ୍ଜଳି କେନ୍ଦ୍ରାପଡା ପରିବାର ଅଦାଲତର ଜଜ୍ ଙ୍କ କୋର୍ଟରେ ଚଳିତମାସ ୪ତାରିଖରେ ହାଜର ହୋଇଥିଲେ । ପରିବାର ଅଦାଲତର ଜଜ୍ ବିକାଶ ଚନ୍ଦ୍ର ଦେଙ୍କ ସଫଳ ଉଦ୍ୟମ ଓ ମାନବିକତା ଏବଂ ମୂଲ୍ୟବୋଧ ଭିତିକ ବୁଝାମଣା ଯୋଗୁଁ ଶେଷରେ ଭାଙ୍ଗି ଯାଇଥିବା ଜୀତେନ୍ଦ୍ର ଓ କୁଶୁମାଞ୍ଜଳିଙ୍କ ପରିବାର ପୁନର୍ବାର ଯୋଡି ହୋଇଯିବା ସହ ଏକ ନୂତନ ଜୀବନ ଆରମ୍ଭ କରିବାକୁ ଉଭୟ ପତି ଓ ପତ୍ନୀ ଜଜଙ୍କ ନିକଟରେ ନିଷ୍ପତିି ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ସେମାନଙ୍କ ପରିବାରର ପୁନଃ ମିଳନ ଘଟାଇ ଜଜ୍ ଶ୍ରୀ ଦେ ମାମଲାର ଅନ୍ତଃ ଘଟାଇଛନ୍ତି । ଏହି ମାମଲାଟିକୁ ଅଦାଲତରେ ଜୀତେନ୍ଦ୍ରଙ୍କ ପକ୍ଷରୁ ଆଇନଜୀବୀ ବିଚିତ୍ର କୁମାର ସାହୁ ପରିଚାଳନା କରୁଥିଲେ ।