ଯାଜପୁର,୦୬/୦୬/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ମିଶନ ଶକ୍ତି ସମ୍ମିଳନୀ ଗୃହ ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ ପାଳିତ ହୋଇଯାଇଅଛି। ଯାଜପୁର ଜିଲ୍ଲା ସମବାୟ ବିଭାଗ ଆନୁକୁଲ୍ୟରେ ସଶକ୍ତ ସମବାୟ, ସୁଦୃଢ ସମବାୟ ଓ ସମୃଦ୍ଧ ସମବାୟ ନାରାରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ସଚେତନତା ଶିବିରରେ ଧାନର ଗୁଣାତ୍ମକ ମାନ ନିର୍ଣ୍ଣୟ ରାସାୟନିକ ସାର, ବିହନ ଓ କୃଷି ଯନ୍ତ୍ରପାତିର ସଦୁପଯୋଗ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।
ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ବାଇଁ କହିଲେ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ ଆଜିର ଆଲୋଚନାରେ ବିଷୟ ବସ୍ତୁ ହେଉଛି ଏଫ୍.ଏ.କ୍ୟୁ(FAQ) ଧାନ ଉପରେ ସଚେତନତା ଓ କୃଷି ଉପକରଣ ଯଥା ସାର, ବିହନ, କୀଟନାଶକ, କୃଷି ଯନ୍ତ୍ରପାତି ଇତ୍ୟାଦିର ବ୍ୟବହାର। ମଇ ୨୮ ତାରିଖରୁ ଜୁନ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଷୀ ମାନଙ୍କ ଠାରୁ ରବିଧାନ କ୍ରୟ କରାଯିବ। ରବି ଧାନର ଗୁଣାତ୍ମକ ମାନ (ଏଫ୍.ଏ.କ୍ୟୁ) ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ରାଜ୍ୟ ସରକାର ୮୦୦ ଟଙ୍କାର ଇନପୁଟ ସବସିଡି ପ୍ରଦାନ କରୁଛନ୍ତି।
ଧାନ ବ୍ୟବସାୟ ଉପଯୋଗୀ, ଖାଦ୍ୟ ଉପଯୋଗୀ, ଶୁଖିଲା, ପରିଷ୍କାର, ସମରଙ୍ଗୀ, ସମ ଆକାର ଏବଂ ଏକ କିସମର ହୋଇଥିବା ଆବଶ୍ୟକ। ଧାନ ସଂଗ୍ରହ ପ୍ରକ୍ରିୟାକୁ ଶୃଙ୍ଖଳ, ସରଳ ତଥା କୃଷକ ଅଭୀମୁଖି କରିବା ପାଇଁ ଧାନ ସଂଗ୍ରହ କେନ୍ଦ୍ର ମାନଙ୍କରେ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇଦେବା ଯାହା ଦ୍ଵାରା ଗ୍ରାମ୍ୟ ଜୀବନକୁ ବିକଶିତ କରାଯାଇପାରିବ। ଏହି ଦିବସରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଅରୁଣ କୁମାର ବେହେରା ଯୋଗଦେଇ କହିଲେ ରବି ଋତୁରେ ପି.ଏସ.ଏସ ମାଧ୍ୟମରେ ପଞ୍ଜୀକୃତ ଚାଷୀଙ୍କ ଠାରୁ ମୁଗ, ବିରି, ଚିନାବାଦାମ ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ କରାଯିବ। ମୁଗ କ୍ଵିଣ୍ଟାଲ ପିଛା ୮୬୮୨ ଟଙ୍କା, ବିରି ୭୪୦୦ ଟଙ୍କା ଓ ଚିନାବାଦାମ ୬୭୮୩ ଟଙ୍କା ଦରରେ ଚାଷୀଙ୍କ ଠାରୁ କ୍ରୟ କରାଯିବ।
ଏହି ଦିବସରେ ଅଧ୍ୟକ୍ଷତା କରି ଡି.ଆର.ସି.ଏମ ଶ୍ରୀ ଅମୂଲ୍ୟ କୁମାର ସେଠୀ ଉପସ୍ଥିତ ପ୍ରାଥମିକ କୃଷି ସମବାୟ ସମିତିର ସେକ୍ରେଟାରୀ ମାନଙ୍କୁ ଏଫ୍.ଏ.କ୍ୟୁ ଧାନର ମାନ, ଚାଷୀମାନଙ୍କୁ ସଚେତନ କରିବା ସମ୍ପର୍କରେ ପରାମର୍ଶ ଦେଇଥିଲେ। ଉନ୍ନତ ବିହନ, ସାର, କୀଟ ନାଶକ ଚାଷୀଙ୍କୁ ସୁଲଭ ମୂଲ୍ୟରେ ଯୋଗାଇବା ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ଦିବସରେ ଯୋଗଦେଇ ଅତିରିକ୍ତ ଯୋଗାଣ ଅଧିକାରୀ ଜିତ୍ ରାୟ ଟୁଡୁ କହିଲେ ପ୍ୟାକ୍ସରୁ ଧାନ ନେଉଥିବା ଯାନରେ ଭେହିକିଲ ଟ୍ରାକିଂ ସିଷ୍ଟମ ଲାଗୁ ହୋଇଛି। ଏହି ଦିବସରେ ଏ.ଆର.ସି.ଏସ ନିହାର ମିଶ୍ର, ନିବେଦିତା ପ୍ରଧାନ, ଅତସି କୁସୁମ ମେଲା, କୋଅପରେଟିଭ ଇନ୍ସପେକ୍ଟର ପ୍ରଶାନ୍ତ କୁମାର କର, ଅଲେଖ ସାହୁ, ରାଜୀବ ଲୋଚନ ପଣ୍ଡା, ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକଗଣ, ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।